ଓଡ଼ିଶାଲାଇଭ୍‍ ବ୍ୟୁରୋ

ଶନିବାର ଦିନ ବିଜୁବାବୁଙ୍କ ବହି ଉନ୍ମୋଚନ ପାଇଁ ଭୁବନେଶ୍ୱର ଆସିଥିବା ୪ ଜଣ ବିଶିଷ୍ଟ ଅତିଥିଙ୍କୁ ପଖାଳ ଖୁଆଇ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଖାଳ ସାଙ୍ଗକୁ ପିଆଜ ଷଣ୍ଢା ଭଜା, ସଜନା ଛୁଇଁ ଭଜା ଏବଂ ଶାଗବଡ଼ି ଖାଇବାକୁ ଦେଇ ଓଡ଼ିଆ ସୁଆଦିଆ ରନ୍ଧଣାର ସ୍ବାଦ ଚଖାଇଥିଲେ ଅତିଥିମାନଙ୍କୁ। ଏବଂ ଶେଷରେ ନବୀନ ସେମାନଙ୍କୁ ଚଖାଇଥିଲେ ଓଡ଼ିଶାର ପ୍ରସିଦ୍ଧ ନୟାଗଡ଼ ଛେନାପୋଡ।

ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ The Tall Man Biju Patnaik ଉନ୍ମୋଚନ ପାଇଁ ଓଡ଼ିଶା ନିମନ୍ତ୍ରିତ ହୋ‍ଇଆସିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନି ଏବଂ ସିପିଏମ୍‍ ମହାସଚିବ ସୀତାରାମ ୟେଚୁରି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିଥିମାନଙ୍କୁ ନବୀନ ନିବାସକୁ ଡାକି ସେମାନଙ୍କ ପାଇଁ ମଧ୍ୟାହ୍ଣ ଭୋଜନର ବ୍ୟବସ୍ଥା କରିଥିଲେ।ଏହି ଭୋଜନରେ ସେମାନଙ୍କୁ କଦଳୀପତ୍ରରେ ପରସାଯାଇଥିଲା ଭଳିକିଭଳି ଓଡ଼ିଆ ରନ୍ଧଣା।

ନବୀନଙ୍କ ଖାନସମା ମୁଖ୍ୟମନ୍ତ୍ରୀଙ୍କ ଅତିଥିମାନଙ୍କ ପାଇଁ ପଖାଳ ସାଙ୍ଗକୁ ପିଆଜ ଷଣ୍ଢା ଭଜା, ଶାଗବଡ଼ି ଓ ସଜନା ଛୁଇଁ ଭଜା ଆଦି ରାନ୍ଧି ପରସିଥିଲେ।ନବୀନ ସେମାନଙ୍କ ସହ ନିଜେ ମଧ୍ୟ ଖାଇବାର ମଜା ନେଇଥିଲେ|

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ମାଧ୍ୟମରେ ଏହି କଥା ତାଙ୍କ ଫ୍ୟାନମାନଙ୍କୁ ଜଣାଇଥିଲେ।ସୋସିଆଲ ମିଡିଆର ପାଠକମାନେ ମଧ୍ୟ ନବୀନଙ୍କ ପୋଷ୍ଟ ଉପରେ ବିଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।

ଆଜି ନବୀନ ନିବାସରେ ଅତିଥିମାନଙ୍କୁ ସ୍ୱତନ୍ତ୍ର କଂସା ଗିନାରେ ପଖାଳ ଖାଇବାକୁ ଦିଆଯାଇଥିବା ବେଳେ କଂସା ଥାଳିଆରେ ଅନ୍ୟାନ୍ୟ ଖାଦ୍ୟ ରଖାଯାଇଥିଲା।ଅତିଥିମାନଙ୍କ ସହ ନବୀନ କଦଳିପତ୍ରରେ ଭୋଜନ କରିଥିଲେ|

ପଖାଳ ଓଡ଼ିଶା ଲୋକଙ୍କ ଏକ ପ୍ରିୟ ଖାଦ୍ୟ।ଅନେକ ଏହାକୁ ଗରିବଙ୍କ ଖାଦ୍ୟ କହୁଥିବା ବେଳେ ଆଜିର ଦିନରେ ଏହା ଷ୍ଟାର ହୋଟେଲରେ ସ୍ପେସାଲ ପ୍ୟାକେଜିଂ ସହ ପରସାଯାଉଛି।ଓଡ଼ିଆ ବ୍ରାଣ୍ଡିଂ ପାଇଁ ପଖାଳ ଏକ ଭଲ ବିଷୟ ନିଶ୍ଚୟ।ତେବେ ନବୀନ ବାବୁ ଶୀତ ଦିନେ ଅତିଥିମାନଙ୍କୁ ପଖାଳ ଖାଇବାକୁ ଦେଇଥିବାରୁ କେହି କେହି ସୋସିଆଲ ମିଡିଆ ପାଠକ ଏ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି।ତେବେ ଓଡ଼ିଆ ଖାଦ୍ୟକୁ ଗୁରୁତ୍ୱ ଦେଇଥିବାରୁ ନବୀନଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସା କରିଥିଲେ।

Comment