ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରଣହୁଙ୍କାର ଦେଇଛି କଂଗ୍ରେସ। ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି କଂଗ୍ରେସ କର୍ମୀ। ପୋଲିସ ଉପରକୁ ଅଣ୍ଡାମାଡ଼ କରିବାକୁ ପଛାଇ ନାହାନ୍ତି କଂଗ୍ରେସ କର୍ମୀ।

ରାଜଧାନୀ ଭୁବନେଶ୍ୱରରେ ପୁଣି କୁନ୍ଦୁଲି ତାତି। ବିଜେପି ପରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଗୁରୁବାର ରଣହୁଙ୍କାର ଦେଇଛି। ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ସହ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଛି। କୁନ୍ଦୁଲି ଗଣଦୁଷ୍କର୍ମ ଉପରୁ ପରଦା ହଟାଇବା ପାଇଁ ରାଜ୍ୟ ସରକାର ଦେଇଥିବା ଏସ୍‌ଆଇଟି ତଦନ୍ତକୁ ବିରୋଧ କରିଛି କଂଗ୍ରେସ।

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ବିରୋଧ କରିଛି କଂଗ୍ରେସ। ଏସ୍‌ଆଇଟି ତଦନ୍ତରେ ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରିବନି ବୋଲି କଂଗ୍ରେସ କହିଛି। ଏହାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିଲା।

ଏହି ଘେରାଉରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ପ୍ରମୁଖ କଂଗ୍ରେସ କର୍ମୀମାନେ ସାମିଲ୍ ହୋଇଥିଲେ।

ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରୁ ନେତା ଓ କର୍ମୀମାନେ ଏକ ଶେଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଇଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ବୋଲୀ କଂଗ୍ରେସ ନେତା ଅଭିଯୋଗ କରିଥିଲେ।

ନବୀନ ନିବାସ ଅଭିମୁଖେ ଯିବା ବେଳେ କଂଗ୍ରେସ କର୍ମୀଙ୍କୁ ଶିଶୁଭବନ ଛକରେ ପୋଲିସ ଅଟକାଇଥିଲା। ଫଳରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବା ବେଳେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡାମାଡ଼ କରିଥିଲେ।

“କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏ ଲଢ଼େଇ କରାଯାଉଛି। ଓଡ଼ିଶାର ମା’ ଭଉଣୀଙ୍କୁ ସୁରକ୍ଷା ପାଇଁ ଏ ଲଢ଼େଇ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଶେଷ ହେବ ନାହିଁ”, କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

Comment