ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଗୁରୁବାର ସନ୍ଧ୍ୟା ୫ଟାରେ ଶେଷ ହୋଇଛି ପ୍ରଚାର। ଶେଷ ଦିନରେ ତିନି ଦଳର ପ୍ରାର୍ଥୀ ଏବଂ ନେତା ଘର ଘର ବୁଲି ଭୋଟ ମାଗିଛନ୍ତି।

ଶେଷ ହୋଇଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ୨୪ ତାରିଖରେ ହେବ ଭୋଟ୍। ଏଥିପାଇଁ ବିଭିନ୍ନ ପୋଲିଂ ବୁଥ୍‌ରେ ପୋଲିଂ ଅଧିକାରୀମାନେ ପହଞ୍ଚିଛନ୍ତି। ତେବେ ଶେଷ ଦିନରେ ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି। ବଡ଼ ଧରଣର ସଭା କି ସମାବେଶ ନକରି ଡୋର କ୍ୟାମ୍ପେନିଂକୁ ଗରୁତ୍ୱ ଦେଇଥିଲେ ତିନି ଦଳ।

ପୂର୍ବରୁ ବିଜେପୁରରେ ୨୭୦ଟି ବୁଥ୍ ଥିଲା। ଉପ-ନିର୍ବାଚନରେ ବୁଥ୍ ସଂଖ୍ୟା ୨୮୧ କରାଯାଇଛି। ସେଥିମଧ୍ୟରୁ ୧୫୫ଟି ବୁଥ୍ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। ୨୦ଟି ବୁଥ୍‌ରେ ସିସିଟିଭି ଲଗାଇବାର ବ୍ୟବସ୍ଥା କରାଯାଇଥିବା ବେଳେ କେନ୍ଦ୍ରରୁ ମାଇକ୍ରୋ ଅବଜର୍ଭର ମଧ୍ୟ ଆସିଛନ୍ତି। ଚଳିତ ଉପ-ନିର୍ବାଚନରେ ଭିଭିପାଟ୍ ମେସିନରେ ଭୋଟ ଗ୍ରହଣ କରାଯିବ।

ବିଜେପି-ବିଜେଡି-କଂଗ୍ରେସ ପ୍ରାର୍ଥୀ ତିନୋଟି ବ୍ଲକର ବିଭିନ୍ନ ଗାଁରେ ପ୍ରଚାର କରିଛନ୍ତି। ଛାମୁଆ ନେତାମାନେ ବି ଭାଗବାଣ୍ଟି ବିଭିନ୍ନ ଗାଁକୁ ଯାଇ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଶ୍ରୀକାନ୍ତ ଜେନା ଏବଂ ଅନ୍ୟ ବରିଷ୍ଠ ନେତା ପ୍ରଚାର କରିଛନ୍ତି। ବିଜେଡି ବି ଆଜି ଶକ୍ତି ଦେଖାଇଛି। ବିଧାୟକ ଓ ମନ୍ତ୍ରୀମାନେ ବିଭିନ୍ନ ଗାଁକୁ ଯାଇ ବିଜେଡି ସପକ୍ଷରେ ଭୋଟ ମାଗିଛନ୍ତି।

ଦୁଇ ସପ୍ତାହ ହେଲା ବିଜେପି ଚଳ ଚଞ୍ଚଳ ହୋଇ ଉଠିଥିଲା। ପ୍ରଚାରରେ ଗାଁ ଦାଣ୍ଡ ଦୁଲୁକୁଥିଲା। ସିନେ ଷ୍ଟାର ଏବଂ ହେଭିୱେଟ ନେତାଙ୍କ ପ୍ରଚାରରେ ବିଜେପୁର କମ୍ପୁଥିଲା। ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ଭେଟୁଥିଲେ। ବିଜେଡିର ୩୦ରୁ ଅଧିକ ନେତା ବିଜେପୁରରେ ଡେରା ପକାଇ ନିର୍ବାଚନ ପରିଚାଳନା କରୁଥିବା ବେଳେ ବିଜେପି ପ୍ରଚାରର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ। ଏହାସହ ଅନ୍ୟ ୪ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଜେପୁର ଆସି ପ୍ରଚାର କରିଥିଲେ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ଦୁଇ ଦିନ ଧରି ବରପାଲି, ବିଜେପୁର ଏବଂ ଗାଇସିଲଟ ବ୍ଲକରେ ପ୍ରଚାର କରିଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ସବୁ ନେତା ଏକାଠି ହୋଇଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଚାର ମଙ୍ଗ ଧରିଥିଲେ।

ଅଭିନେତା ଓ ଅଭିନେତ୍ରୀମାନେ ବିଜେପୁରରେ ହାଇଭୋଲଟେଜ ପ୍ରଚାର କରିଥିଲେ। ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଗାଁ ଦାଣ୍ଡରେ ଲୋକଙ୍କ ଭିଡ଼ ଜମୁଥିଲା। ବିଜେଡି ପାଇଁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଆକାଶ ଦାସନାୟକ ପ୍ରଚାର କରିଥିଲେ।

ବିଜେପି ପାଇଁ ଅଭିନେତା ମିହିର ଦାସ, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ହରିହର ନାୟକ, ମହାଶ୍ୱେତା ରାୟ ଏବଂ ଅପରାଜିତା ମହାନ୍ତି ପ୍ରଚାର କରିଥିଲେ।

LEAVE A REPLY

Please enter your comment!
Please enter your name here