ଡାକ୍ତର କବି ପ୍ରସାଦ ମିଶ୍ର

ଡାକ୍ତର ମିଶ୍ରଙ୍କ ଆତ୍ମଜୀବନୀ ‘ତିନୋଟି ପୃଥିବୀ’। ଏଥିରେ ସେ ତାଙ୍କ ଛାତ୍ର ଅବସ୍ଥାରୁ ଆରମ୍ଭକରି ଦୀର୍ଘ ପେସାଦାର ଜୀବନ ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଅନୁଭୂତି ସମ୍ପର୍କରେ ବିସ୍ତୃତଭାବେ ଲେଖିଛନ୍ତି। ଏହି ଲେଖାରେ ସେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ କିଭଳି ଅବସ୍ଥାରେ ପ୍ରଥମ ହୃତପିଣ୍ଡ ରୋପଣ କରାଯାଇଥିଲା, ସେହି ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି।

ଆପୋଲୋ ହସ୍ପିଟାଲରେ ଥିବା ବେଳେ ମୋର ବୃତ୍ତିଗତ ଜୀବନରେ ବହୁତ ପ୍ରକାର ରୋଗ ଓ ଅସାଧାରଣ ଅଭିନବ ଚିକିତ୍ସା ପଦ୍ଧତି ଦେଖିବାକୁ ପାଇଥିଲି। ଏହି ଘଟଣାବହୁଳ ଜୀବନରେ ବହୁ ରୋଗୀଙ୍କ କଥା ମନକୁ ଆସୁଥିଲେ ମଧ୍ୟ କେବଳ ଦୁଇଟି ରୋଗୀଙ୍କ କଥା ଏଠାରେ ଲେଖିବାକୁ ଚାହୁଁଛି। ଜଣେ ରୋଗୀ ଏକ ଅତ୍ୟାଧୁନିକ ବୈଷୟିକ କୌଶଳରୁ ଉପକୃତ ହୋଇ ନୂତନ ଜୀବନ ପାଉଥିଲେ ଏବଂ ଅନ୍ୟ ରୋଗୀଜଣକ ଈଶ୍ୱରଙ୍କ କୃପାରୁ ଏବଂ ମଦରଟେରେସାଙ୍କ ଆଶୀର୍ବାଦରୁ ଭଲ ହୋଇଯାଇଥିଲେ। ମୋର ଲମ୍ବା ବୃତ୍ତିଗତ ଜୀବନରେ ବହୁ ରୋଗୀଙ୍କ କଥା ମନେପଡ଼ୁଥିଲେ ମଧ୍ୟ ଏହି ଦୁଇ ରୋଗୀଙ୍କ କଥା ଭୁଲିପାରିବି ନାହିଁ।

ପ୍ରଥମ ରୋଗୀଙ୍କ ନାଁ ଥିଲା ଶ୍ରୀ ଗଜାନନ ଗୁପ୍ତା ଓ ସେ ୩୯ ବର୍ଷ ବୟସର ଥିଲେ। ତାଙ୍କର ସ୍ତ୍ରୀ ଜଣେ ଅତି ସୁନ୍ଦରୀ, ବହୁ କଳାରେ ଦକ୍ଷତା ହାସଲ କରିଥିବା ନାରୀ ଭାବରେ ଗୃହିଣୀ ଜୀବନଯାପନ କରୁଥିଲେ। ତାଙ୍କର ସ୍ତ୍ରୀ ରାଧା ଏବଂ ଶ୍ରୀ ଗଜାନନ ଗୁପ୍ତା ମୋର ରୋଗୀ ହୋଇ ମୋତେ ଦେଖା କଲାବେଳେ ତାଙ୍କ ରୋଗର ଜଟିଳତା ମୁଁ ବୁଝିନେଲି। ତାଙ୍କର ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଯୋଗୁଁ ହୃତପିଣ୍ଡର ମାଂସପେଶୀ ସବୁ ଶୀଥିଳ ହୋଇଯାଇଥିଲା ଏବଂ ପ୍ରାୟ ନିଷ୍କ୍ରିୟ ହୋଇ ଆସୁଥିଲା। ଯେତେ ଯାହା ଚିକିତ୍ସା କଲେ ବି ତାଙ୍କର ସମ୍ପୂର୍ଣ୍ଣ ସୁସ୍ଥ ହେବାର  ଆଶା ଆଦୌ ନଥିଲା। କେବଳ ହୃତ୍‌ପିଣ୍ଡ ରୋପଣ ହିଁ ଏକମାତ୍ର ଉପାୟ ଥିଲା। କିନ୍ତୁ ସେତେବେଳେ ଆମ ଦେଶରେ ମାତ୍ର କେତୋଟି ହାତଗଣତି ଲୋକଙ୍କର ସଫଳ ହୃତ୍‌ପିଣ୍ଡ ରୋପଣ ହୋଇଥିଲା। ସେଥିରେ ମୁଖ୍ୟ ଥିଲା All India Institute (AIIMS)ର ଡାକ୍ତର ବେଣୁଗୋପାଳ। କିନ୍ତୁ ସାରା ଭାରତବର୍ଷରେ ସବୁ ଆପୋଲୋ ହସ୍ପିଟାଲରେ କୌଣସିଠାରେ ବି ହୃତ୍‌ପିଣ୍ଡ ରୋପଣ ହୋଇନଥିଲା।

ଦିନେ ଗଜାନନ ଗୁପ୍ତା ଅତି ସାଂଘାତିକ ଅବସ୍ଥାରେ ପ୍ରାୟ ମରଣାନ୍ତକ ପରିସ୍ଥିତିରେ ମୋ’ ପାଖକୁ ଆପୋଲୋ ହସ୍ପିଟାଲକୁ ଆସିଲେ। ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଦେଇ ଗୋଟିଏ ବହୁ ଉପକାରୀ ଇଞ୍ଜେକସନ (dobutamine) ଦେବାକୁ ଚାହୁଁଥିଲି। ସେହି ରାତିରେ ଜଣେ ଯୁବକ ରାସ୍ତା ଦୁର୍ଘଟଣାରେ ଅତି ସାଂଘାତିକ ଅବସ୍ଥାରେ ଆପୋଲୋରେ ଭର୍ତ୍ତିହୋଇ ମୃତ୍ୟୁ ପ୍ରାପ୍ତ ହେଲେ। ତାଙ୍କର ପରିବାରର ଲୋକମାନେ ଦୟାପୂର୍ବକ ରୋଗୀର ସବୁ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ଦାନ କରିଦେବାକୁ ରାଜି ହୋଇଗଲେ ଏବଂ ସୌଭାଗ୍ୟବଶତଃ ରକ୍ତ ପରୀକ୍ଷାର ହୃଦ୍‌ରୋପଣ ଅସ୍ତ୍ରୋପଚାର ସଫଳ ହୋଇପାରିବ। ଆମର ସର୍ଜ୍ଜନ ଯେତେବେଳେ ହୃତ୍‌ପିଣ୍ଡ ରୋପଣ କଥା କହିଲେ ଗଜାନନ ଓ ତାଙ୍କ ସ୍ତ୍ରୀ କହିଲେ, “ଡାକ୍ତର ମିଶ୍ର ନ କହିବା ଯାଏଁ ଏବଂ ତାଙ୍କର ଅନୁମତି ନନେଇ ମୁଁ କୌଣସି ଅପରେସନ୍ କରାଇଦେବି ନାହିଁ’’।

ତାଙ୍କ ପରିବାର ମଧ୍ୟ ସେହିକଥା କହିଲେ। ତେଣୁ ସବୁ ସର୍ଜ୍ଜନ ଏବଂ ଆପୋଲୋ ଡାକ୍ତରମାନେ ମୋ’ ସାଙ୍ଗେ କଥାହେବାକୁ ଚେଷ୍ଟା କଲେ। କିନ୍ତୁ ମୋର ଟେଲିଫୋନ ଖରାପ ଥିବାରୁନ ପାଇ ବଡ଼ ବ୍ୟସ୍ତ ହେଉଥିଲେ। ସେତେବେଳେ ସେଲ୍‌ଫୋନ ଆଦି ନଥିଲା। ସେଦିନ ୧୯୯୪ ମସିହା ଡିସେମ୍ବର ୨୪ ତାରିଖ ହୋଇଥିଲା ଏବଂ ସକାଳୁ କେଜାଣି କାହିଁକି ମୁଁ ଉଠି ଟେଲିଫୋନ୍‌ କରିବାରୁ ଦେଖିଲି ଯେ ଟେଲିଫୋନ୍ କାମ କରୁନାହିଁ।
ମୋର ଡ୍ରାଇଭରକୁ ଟେଲିଫୋନ୍ କାହିଁକି କାମ କରୁନାହିଁ ଦେଖିବାକୁ କହିଲି ଏବଂ ସେ ଗଛରେ ଚଢ଼ି ଦେଖିଲା ଟେଲିଫୋନ୍ ତାରଟି ଗୋଟିଏ ଜାଗାରେ ଛିଣ୍ଡିଯାଇଛି। ସେ ସାଙ୍ଗେ ସାଙ୍ଗେ ଯୋଡ଼ିଦେଲା ଏବଂ ମୋର ଏବେବି ସ୍ପଷ୍ଟ ମନେଅଛି ଯେ ପ୍ରଥମ କଲ୍‌ ଆପୋଲୋ ହସ୍ପିଟାଲରୁ ହିଁ ଆସିଥିଲା।

ଗଜାନନ ଗୁପ୍ତାଙ୍କ ବିଷୟରେ ସମସ୍ତେ ବିକଳହୋଇ ଚାହୁଁଥିଲେ ମୁଁ  କିପରି ଆପୋଲୋ ହସ୍ପିଟାଲ ଯାଇ ଅପରେସନ୍ ପାଇଁ ଗଜାନନ ଗୁପ୍ତାଙ୍କର ଅନୁମତି ନେଇଆସେ। ମୁଁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି ଏବଂ ସିରିଡ଼ି ସାଇବାବାଙ୍କ ଆଶୀର୍ବାଦ ଭିକ୍ଷା କଲି,  ହସ୍ପିଟାଲ ଯାଇ ଗୁପ୍ତା ଦମ୍ପତ୍ତିଙ୍କୁ ଭେଟିଲି। ସେ ଦୁହେଁ ମୋତେ ଦେଖି ଭାବବିହ୍ୱଳ ହୋଇ କାନ୍ଦି କାନ୍ଦି ମୋତେ କୁଣ୍ଢେଇ ପକାଇଲେ ଏବଂ ମୋର ମତାମତ ପଚାରିଲେ। ମୁଁ ତାଙ୍କୁ ବୁଝାଇଦେଲି ଯେ ହୃତ୍‌ପିଣ୍ଡ ରୋପଣ ଛଡ଼ା ତାଙ୍କର ଆଉ କିଛି ଚାରା ନାହିଁ ବା ଚିକିତ୍ସା ବ୍ୟବସ୍ଥା ନାହିଁ। ମୁଁ କହିଲା ପରେ ସେମାନେ ରାଜି ହୋଇ ଅନୁମତି ଦେଇଥିଲେ।

ସେତେବେଳେ ସାରା ଭାରତବର୍ଷରେ ସବୁ ଆପୋଲୋ ହସ୍ପିଟାଲରେ ଚହଳ ପଡ଼ିଗଲା କାରଣ ଏହା ପୂର୍ବରୁ କୌଣସି ଆପୋଲୋ ଡାକ୍ତରଖାନାରେ ହୃତ୍‌ପିଣ୍ଡ ରୋପଣ ହୋଇନଥିଲା। ଆମ ମୁଖ୍ୟ ସର୍ଜନ ମଧ୍ୟ ପୂର୍ବରୁ ହୃତ୍‌ପିଣ୍ଡ ରୋପଣ କରିନଥିଲେ। ଯଦିଓ ସେ ବିଷୟରେ ସବୁ କୌଶଳ ସେ ଜାଣିଥିଲେ। ତାଙ୍କର କେତେକ ସହକର୍ମୀ ସର୍ଜନ ବିଦେଶରେ ହୃତ୍‌ପିଣ୍ଡ ରୋପଣ କରିସାରିଥିଲେ। ସେ ଯା’ ହେଉ ସେ ଦିନଟି ଆମ ସମସ୍ତଙ୍କ ପାଇଁ ବିଶେଷତଃ ମୋ’ ପାଇଁ  ଅବିସ୍ମରଣୀୟ ହୋଇରହିଗଲା। ସେଦିନର ଦ୍ୱନ୍ଦ୍ୱ, ଉତ୍ସାହ, ଆଶଙ୍କା ଉନ୍ମାଦନା ଆଦି ଏପରି ସ୍ତରକୁ ଚାଲିଯାଇଥିଲା ଯେ ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ।

ସେଦିନ ମୋ’ ରୋଗୀଙ୍କର ସଫଳ ହୃତ୍‌ପିଣ୍ଡ ରୋପଣ ଆପୋଲୋ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ଏକ ଚାଞ୍ଚଲ୍ୟକର ସମ୍ବାଦ ଥିଲା। ପ୍ରାୟ ସବୁ ଖବରକାଗଜରେ ତା’ ପରଦିନ ଏହି ଚାଞ୍ଚଲ୍ୟକର ସମ୍ବାଦ ପ୍ରକାଶ ପାଇଥିଲା। କାରଣ କେବଳ ହୃତ୍‌ପିଣ୍ଡ ରୋପଣ ନୁହେଁ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ (ବୃକକ୍‌, ଯକୃତ୍‌ ଇତ୍ୟାଦି) ସେ ମୃତ ରୋଗୀଙ୍କଠାରୁ ଅଣାଯାଇ ଅନ୍ୟ ରୋଗୀମାନଙ୍କ ଦେହରେ ରୋପଣ କରାଯାଇଥିଲା।

ସଂକ୍ଷେପରେ କହିଲେ ସେଦିନ ମୋ’ ରୋଗୀଙ୍କର ସଫଳ ହୃତ୍‌ପିଣ୍ଡ ରୋପଣ ଆପୋଲୋ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ଏକ ଚାଞ୍ଚଲ୍ୟକର ସମ୍ବାଦ ଥିଲା। ପ୍ରାୟ ସବୁ ଖବରକାଗଜରେ ତା’ ପରଦିନ ଏହି ଚାଞ୍ଚଲ୍ୟକର ସମ୍ବାଦ ପ୍ରକାଶ ପାଇଥିଲା। କାରଣ କେବଳ ହୃତ୍‌ପିଣ୍ଡ ରୋପଣ ନୁହେଁ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ (ବୃକକ୍‌, ଯକୃତ୍‌ ଇତ୍ୟାଦି) ସେ ମୃତ ରୋଗୀଙ୍କଠାରୁ ଅଣାଯାଇ ଅନ୍ୟ ରୋଗୀମାନଙ୍କ ଦେହରେ ରୋପଣ କରାଯାଇଥିଲା। ଗଜାନନ ଗୁପ୍ତା ଅପରେସନ୍‌ ପରେ ସମ୍ପୂର୍ଣ୍ଣ ଭଲହୋଇ ଫଳପ୍ରଦ ଜୀବନଯାପନ କଲେ ଏବଂ ପ୍ରାୟ ୧୪ ବର୍ଷ ବଞ୍ଚି ରହିଲେ। ଏହି ଘଟଣାଟି ସେତେବେଳେ ଆପୋଲୋରେ ଭାରତବର୍ଷରେ ଗୋଟିଏ ରେକର୍ଡ ଭଳି ଥିଲା। ଏହି ହୃତ୍‌ପିଣ୍ଡ ରୋପଣ ଅପରେସନ୍‌ ଏବଂ ଗଜାନନ ଗୁପ୍ତାଙ୍କର ଅପରେସନ୍‌ ପରେ ଦୀର୍ଘ ଜୀବନଯାପନ ମୋ’ ପାଇଁ ଏବଂ ଡାକ୍ତର ପ୍ରତାପ ରେଡ୍ଡିଙ୍କ ସମେତ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଯାଇଛି।

ଦ୍ୱିତୀୟ ରୋଗୀ ଯାହାଙ୍କ ବିଷୟରେ ଲେଖିବାକୁ ଚାହୁଁଛି ସେ ଅତ୍ୟନ୍ତ ଜଟିଳ ଓ ବିଷମ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ମୋ ପାଖକୁ ଚିକିତ୍ସା ପାଇଁ ଆସିଥିଲେ। କାରଣ ତାଙ୍କର ଅପରେସନ୍ ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା ଏବଂ ମଦର ଟେରେସା ତାଙ୍କ ପାଇଁ ଆପୋଲୋରେ ମାଗଣା ଅପରେସନ୍‌ କରାଇଦେବା ପାଇଁ ମୋତେ ଚିଠିଦେଇ ସେ ରୋଗୀଙ୍କୁ ପଠାଇଥିଲେ। ମୁଁ ମଦର ଟେରେସାଙ୍କୁ ୧୯୭୫ ମସିହାରେ ରାଉରକେଲାରୁ ଚିହ୍ନିଥିଲି ଏବଂ ସେ ମୋତେ ବହୁତ ଭଲ ପାଉଥିଲେ। କାରଣ ରାଉରକେଲାରେ ତାଙ୍କ ଅନୁଷ୍ଠାନ ତରଫରୁ ଗୋଟିଏ କୁଷ୍ଠାଶ୍ରମ ପ୍ରତିଷ୍ଠା କରିବାକୁ ମୁଁ କିଛି ସାହାଯ୍ୟ କରିଥିଲି। ସେ ତାଙ୍କ ରୋଗୀଙ୍କ ଅପରେସନ୍‌ ସମ୍ପୂର୍ଣ୍ଣ ମାଗଣାରେ କରିବାକୁ ଚାହୁଁଥିବାରୁ ମୁଁ ଆପୋଲୋର ଚେୟାରମ୍ୟାନ୍‌ ଡାକ୍ତର ପ୍ରତାପ ରେଡ୍ଡିଙ୍କୁ ଏଥିପାଇଁ ଭେଟିଲି।

ସମ୍ପୂର୍ଣ୍ଣ ମାଗଣାରେ ଅପରେସନ୍‌ କରିବାକୁ ସେ କୁଣ୍ଠାବୋଧ କଲେ କାରଣ ଆଗରୁ ଏ ପ୍ରକାର ସାହାଯ୍ୟ କାହାକୁ ଦିଆଯାଉନଥିଲା। ଏ ପରିସ୍ଥିତିରେ ମୁଁ ଗୋଟିଏ ଅମୋଘ ଅସ୍ତ୍ର ପ୍ରୟୋଗ କଲି। ମୁଁ ଡାକ୍ତର ରେଡ୍ଡିଙ୍କୁ କହିଲି ଯେ ସେ ଯଦି ରାଜି ନ ହେବେ ତା’ ହେଲେ ମୁଁ ମଦର ଟେରେସାଙ୍କ ଚିଠିଟି ନେଇ ଆମର ପ୍ରତିଦ୍ୱନ୍ଦ୍ୱୀ ହସ୍ପିଟାଲରେ ଅପରେସନ୍‌ କରାଇଦେବି। ଏକଥା ଶୁଣି ସେ ସଙ୍ଗେ ସଙ୍ଗେ ମାଗଣା କରିବାକୁ ରାଜି ହୋଇଗଲେ। ମୁଁ ରୋଗୀଙ୍କୁ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କଲି କିନ୍ତୁ ଦେଖିଲା ବେଳକୁ ଆମର ମୁଖ୍ୟ ସର୍ଜନ ଡାକ୍ତର ଗିରିନାଥ ଅପରେସନ୍ କରିବାକୁ ମନା କରିଦେଲେ। କାରଣ ତାଙ୍କ ମତରେ ରୋଗୀ ସାଂଘାତିକ ଅବସ୍ଥାରେ ଥିବାରୁ ଅପରେସନ୍‌ ଟେବୁଲରେ ହିଁ ମରିଯିବ। ଏ କଥା ଶୁଣି ମୁଁ ନିରାଶ ହୋଇ ମଦର ଟେରେସାଙ୍କୁ ଜଣାଇଦେଲି ଯେ ଅପରେସନ କରିବାକୁ ଆମର ସର୍ଜନ ରାଜି ହେଉନାହାନ୍ତି।

ମଦର ଟେରେସା ସଙ୍ଗେ ସଙ୍ଗେ ଅନୁରୋଧକରି ଜଣାଇଲେ ଯେ ରୋଗୀ ପାଇଁ ଯେତେ ବିପଦ ଥିଲେ ବି ଆମେ ଅପରେସନ୍‌ କଲେ ଭଲ ହେବ। କାରଣ ବିନା ଅପରେସନ୍‌ରେ ରୋଗୀ ବଞ୍ଚିବାର ଆଦୌ ଆଶା ନାହିଁ। ଏ କଥା ମୁଁ ଡାକ୍ତର ଗିରିନାଥଙ୍କୁ ଜଣାଇଦେଲି। ମଦର ଟେରେସାଙ୍କର ଏକାନ୍ତ ଅନୁରୋଧକୁ ଏଡ଼ାଇ ନପାରି ଡାକ୍ତର ଗିରିନାଥ ଅପରେସନ୍‌ କଲେ ଯେଉଁଥିରେ ହୃତ୍‌ପିଣ୍ଡର ଦୁଇଟି ଭାଲ୍‌ଭକୁ କାଟି କୃତ୍ରିମ ଭାଲଭ୍‌ ଲଗାଯାଇ ଅପରେସନ୍‌ ହେଲା।

ମଦର ଟେରେସା ସଙ୍ଗେ ସଙ୍ଗେ ଅନୁରୋଧକରି ଜଣାଇଲେ ଯେ ରୋଗୀ ପାଇଁ ଯେତେ ବିପଦ ଥିଲେ ବି ଆମେ ଅପରେସନ୍‌ କଲେ ଭଲ ହେବ। କାରଣ ବିନା ଅପରେସନ୍‌ରେ ରୋଗୀ ବଞ୍ଚିବାର ଆଦୌ ଆଶା ନାହିଁ। ଏ କଥା ମୁଁ ଡାକ୍ତର ଗିରିନାଥଙ୍କୁ ଜଣାଇଦେଲି। ମଦର ଟେରେସାଙ୍କର ଏକାନ୍ତ ଅନୁରୋଧକୁ ଏଡ଼ାଇ ନପାରି ଡାକ୍ତର ଗିରିନାଥ ଅପରେସନ୍‌ କଲେ ଯେଉଁଥିରେ ହୃତ୍‌ପିଣ୍ଡର ଦୁଇଟି ଭାଲ୍‌ଭକୁ କାଟି କୃତ୍ରିମ ଭାଲଭ୍‌ ଲଗାଯାଇ ଅପରେସନ୍‌ ହେଲା। ସୌଭାଗ୍ୟବଶତଃ ଏବଂ ଆଶ୍ଚର୍ଯ୍ୟ ଭାବରେ ରୋଗୀଜଣକ ବଞ୍ଚିଗଲେ ଏବଂ ଏତେ ସୁସ୍ଥ ହୋଇଗଲେ ଯେ ତିନିମାସ ପରେ ତାଙ୍କର ଚେକ୍‌ଅପ୍‌ ପାଇଁ ଆମ ପାଖକୁ ଆସିଲାବେଳେ ଆମେ ତାଙ୍କୁ ଚିହ୍ନି ବି ପାରିଲୁ ନାହିଁ। ମଦର ଟେରେସା ମୋତେ ବିଭିନ୍ନ ସମୟରେ ଯେଉଁ ଚିଠିଗୁଡ଼ିକ ଦେଇଥିଲେ ମୁଁ ତାକୁ ସାଇତି ରଖିଛି ଏବଂ ଏହି ରୋଗୀର ସଫଳ ଅପରେସନ୍‌ ପରେ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ, ଆମକୁ କୃତଜ୍ଞତା ଜଣାଇ ଯେଉଁ ଚିଠି ଦେଇଥିଲେ ତାହା ଏ ପୁସ୍ତକରେ ପ୍ରକାଶ କରୁଛି।

ଆପୋଲୋ ହସ୍ପିଟାଲରେ ଆମେ ବରିଷ୍ଠ ବିଶେଷଜ୍ଞମାନେ ତାଙ୍କର କର୍ମଚାରୀ ଭାବରେ କାମ କରୁନଥିଲୁ। ଆମେ ନିଜେ ନିଜର ରୋଗୀଙ୍କଠାରୁ ଯାହା ଫିସ୍ ସଂଗ୍ରହ କରୁଥିଲୁ ତାହାହିଁ ଆମର ଆୟ ଥିଲା। ଏ ପ୍ରକାର ବ୍ୟବସ୍ଥା ମୋ’ ପାଇଁ ସୁବିଧାଜନକ ଥିଲା କାରଣ ଦୁଃସ୍ଥ, ଗରିବ ଲୋକଙ୍କଠାରୁ ପଇସା ନ ନେବାର ସ୍ୱାଧୀନତା ମୋ’ ପାଖରେ ଥିଲା। ଅବଶ୍ୟ ଆପୋଲୋ ହସ୍ପିଟାଲ ବହୁତ ଉଚ୍ଚକୋଟୀର ଅତ୍ୟାଧୁନିକ ହସ୍ପିଟାଲ ହୋଇଥିବାରୁ ସେଠାରେ ପରୀକ୍ଷା ନିରୀକ୍ଷା ଏବଂ ଅପରେସନ୍‌ ପାଇଁ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା।

ଆପୋଲୋ ହସ୍ପିଟାଲରେ ଚିକିତ୍ସାର ମାନ ଓ ସେବା କରିବାର ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚସ୍ତରର ଥିଲା। ସେଥିପାଇଁ ସାରା ଭାରତ ବର୍ଷରୁ ରୋଗୀମାନେ ଚିକିତ୍ସା ପାଇଁ ଆମ ପାଖକୁ ଆସୁଥିଲେ ଏବଂ ସବୁ ସୁବିଧା ଥିବାରୁ ଆମ୍ଭେମାନେ ବିଭିନ୍ନ ଜଟିଳ ରୋଗର ମଧ୍ୟ ଚିକିତ୍ସା ବ୍ୟବସ୍ଥା କରିପାରୁଥିଲୁ। ଏକଥା ନିଶ୍ଚିତ ଯେ ସେତେବେଳେ ଭାରତବର୍ଷରେ ପାଶ୍ଚାତ୍ୟ ଜଗତର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାରେ ଆପୋଲୋ ସର୍ବ ପ୍ରଥମ ଏବଂ ସର୍ବପ୍ରଧାନ ଥିଲା। ଓଡ଼ିଶାର ଅନେକ ରୋଗୀ ଆପୋଲୋ ଆସୁଥିବାରୁ ଏବଂ ଆମ ଚିକିତ୍ସା ଦ୍ୱାରା ଉପକୃତ ହେବାରୁ ମୋର ସୁନାମ ମାଡ୍ରାସରେ ଯେତିକି ଥିଲା, ଓଡ଼ିଶାରେ ମଧ୍ୟ ସେତିକି ଥିଲା।

(ସୌଜନ୍ୟ – ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ଆତ୍ମକଥା ‘ତିନୋଟି ପୃଥିବୀ’)

Comment