ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦ ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସୌମ୍ୟ ରଞ୍ଜନ ଏବଂ ଅଚ୍ୟୁତ ବୁଧବାର ନବୀନ ନିବାସରେ ବିଜେଡିରେ ମିଶିଥିବା ବେଳେ ପ୍ରଶାନ୍ତ ନନ୍ଦ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ପ୍ରଶାନ୍ତ ଏବେ ବିଜେଡି ମୁଖପାତ୍ର ଅଛନ୍ତି।

ସାମ୍ବାଦିକତା କ୍ଷେତ୍ରକୁ ନୂଆ ମୋଡ଼ ଦେଇଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକ ଜଣେ ରାଜନେତା ଭାବେ ଜଣାଶୁଣା। ଏହାସହ ସେ ଓଡ଼ିଶାର ଆଗଧାଡ଼ିର ସମ୍ବାଦପତ୍ର ସମ୍ବାଦର ସମ୍ପାଦକ ମଧ୍ୟ ଅଛନ୍ତି। ସେ ବିଜେପି ଏବଂ କଂଗ୍ରେସରେ ଦୀର୍ଘଦିନ ରହିବା ପରେ ୨୦୧୪ ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା ପାର୍ଟି ଗଠନ ଗଠନ କରିଥିଲେ।

ହେଲେ ୨୦୧୭ ମେ’ ମାସରେ ସୌମ୍ୟ ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ ଭିନ୍ନ ଚର୍ଚ୍ଚା ହୋଇଥିଲା। ସୌମ୍ୟ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ଆଜି ବାସ୍ତବ ରୂପ ନେଇଛି। ସୌମ୍ୟ ବିଜେଡିରେ ମିଶିବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଡକ୍ଟର ସାମନ୍ତ ପ୍ରତ୍ୟକ୍ଷ ରାଜନୀତି ସହ ଜଡ଼ିତ ନଥିଲେ। ହେଲେ ଅଚାନକ ସେ ଆଜି ନବୀନ ନିବାସ ଆସି ବିଜେଡିରେ ମିଶିଲେ ଏବଂ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।

ପ୍ରଶାନ୍ତ ନନ୍ଦ ଓଡ଼ିଶା ସିନେ ଜଗତରେ ଜଣେ ପ୍ରଖ୍ୟାତ ଅଭିନେତା, ଫିଲ୍ମ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ସେ ୨୦୦୦ ମସିହାରେ ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାସହ ବିଜେପ-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ପରେ ଶ୍ରୀ ନନ୍ଦ ବିଜେପି ଛାଡ଼ି ଏନସିପିରେ ଯୋଗ ଦେଇଥିଲେ। ୨୦୧୪ରେ ବିଜେଡିକୁ ଆସିବା ପରେ ତାଙ୍କୁ ମୁଖପାତ୍ର କରାଯାଇଛି।

“ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ମୁଁ କେବେ ଆବେଦନ କରି ନଥିଲି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନିଅନ୍ତି ବହୁତ ଭାବି ଚିନ୍ତି ନିଅନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ ଦାୟିତ୍ୱର ସହ ତୁଲାଇବି। ମୋ ଉପରେ ଦାୟିତ୍ୱ ବଢ଼ିଗଲ” କହିଛନ୍ତି ପ୍ରଶାନ୍ତ ନନ୍ଦ।

Keywords: #BJD #NaveenPatnaik #Politics #OdishaPolitics #RajyaSabhaPolitics

Comment