ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଡ଼ୁଆରେ ପଡ଼ିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର। ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି। ଏହାସହ ଚାରି ବର୍ଷ ପରେ ମୋଦି ସରକାରଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆସୁଥିବାରୁ ଏବଂ ଆନ୍ନା ହଜାରେ ଅନଶନକୁ ଓହ୍ଲାଉଥିବାରୁ ଆଗୁଆ ସଂସଦର ବଜେଟ୍ ଅଧିବେଶନ ଶେଷ କରିବାକୁ ଚାହୁଁଛନ୍ତି ସରକାର।

ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଚାପରେ ରହିଛନ୍ତି ମୋଦି ସରକାର। ୱାଇଏସ୍‌ଆର୍ କଂଗ୍ରେସ ଏବଂ ଟିଡିପି ଅନାସ୍ଥା ପ୍ରସ୍ତାବ ଆଗତ କରିଥିବାରୁ ଏନଡିଏ ସରକାର ପଡିଛନ୍ତି ଅକଳିଆରେ। ଏନଡିଏ ପାଖରେ ଆବଶ୍ୟକ ସଂଖ୍ୟକ ସାଂସଦ ରହିଥିଲେ ମଧ୍ୟ ସରକାର ଭୟରେ ରହିଥିବା ଚର୍ଚ୍ଚା ହେଉଛି। ଏଣୁ ସରକାର ସଂସଦର ବଜେଟ୍ ଅଧିବେଶନକୁ ଆଗୁଆ ଶେଷ କରିବାକୁ ଚାହୁଁଛନ୍ତି। ଏପ୍ରିଲ୍‌ ୬ ପୂର୍ବରୁ ସରକାର ବଜେଟ୍ ଅଧିବେଶନ ଶେଷ କରିବାକୁ ଯୋଜନା କରୁଥିବା ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ ନୂଆଦିଲ୍ଲୀରେ ମାର୍ଚ୍ଚ ୨୩ରୁ ଅନଶନ କରିବାକୁ ଘୋଷଣା କରିଛନ୍ତି। ଆନ୍ନାଙ୍କ ଅନଶନ କାଳେ ସରକାରଙ୍କ ଉପରେ ପ୍ରଭାବ ପକାଇବ ସେହି ଭୟରେ ସରକାର ଆଗୁଆ ଅଧିବେଶନ ଶେଷ କରିବା ମୁଡ୍‌ରେ ରହିଛନ୍ତି। ଏପଟେ ହୋ-ହଲ୍ଲା ଯୋଗୁଁ ଅନାସ୍ଥା ପ୍ରସ୍ତାବ ସଂସଦରେ ଆଗତ ହୋଇପାରୁ ନାହିଁ। ଏଣୁ ଯେନତେନ ପ୍ରକାରେ ଚଳିତ ଅଧିବେଶନ ଶେଷ କରିବାକୁ ମୋଦି ସରକାର ଚାହୁଁଛନ୍ତି।

ଅନାସ୍ଥା ଭୋଟକୁ ଭୟ

ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଟିଡିପି ଦାବି କରି ଆସୁଛି। ହେଲେ ସରକାର ଏଥିରେ ରାଜି ନହେବାରୁ ଟିଡିପି ଏନଡିଏ ମେଣ୍ଟରୁ ଓହରି ଯାଇଛି। ଏହି ମଉକାରେ ୱାଇଏସ୍‌ଆର୍ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛି। ଏଥିରେ ଟିଡିପିର ମଧ୍ୟ ସମର୍ଥନ ରହିଛି।

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ୱାଇଏସ୍‌ଆର୍ କଂଗ୍ରେସ ଏବଂ ଟିଡିପି ଲୋକସଭା ବାଚସ୍ପତିଙ୍କୁ ଗତ ୩ ଦିନ ହେଲା ନୋଟିସ ଦେଇଛନ୍ତି। ହେଲେ ବିଭିନ୍ନ ଆଳ ଦେଖାଇ ବାଚସ୍ପତି ଏହାକୁ ଗ୍ରହଣ କରୁ ନାହାନ୍ତି। ଫଳରେ ସଂସଦରେ ହଙ୍ଗାମା ହେଉଛି। ସବୁଠୁ ବଡ଼ କଥା ହେଉଛି ଏହି ଅନାସ୍ଥା ପ୍ରସ୍ତାବକୁ ଆଉ କିଛି ବିରୋଧୀ ଦଳ ସମର୍ଥନ କରୁଛନ୍ତି। ଫଳରେ ମୋଦି ସରକାର ଅଡ଼ୁଆରେ ପଡ଼ିଯାଇଥିବା ଆଲୋଚନା ହେଉଛି।

ଅନାସ୍ଥା ଭୋଟରେ ମୋଦି ସରକାର ଜିତିବାର ବହୁ ସମ୍ଭାବନା ରହିଥିଲେ ମଧ୍ୟ ଏହାକୁ ଏଡ଼ାଇ ଚାଲିଛନ୍ତି ସରକାର। କାରଣ ଆଉ ବର୍ଷକ ପରେ ସାଧାରଣ ନିର୍ବାଚନ ହେଉଥିବାରୁ ଭୋଟରଙ୍କ ପାଖକୁ ନକରାତ୍ମକ ବାର୍ତ୍ତା ଦେବାକୁ ଚାହୁଁ ନାହାନ୍ତି।

ଆନ୍ନାଙ୍କ ଆନ୍ଦୋଳନ ବି ସରକାରଙ୍କ ପାଇଁ ଅଡ଼ୁଆ

ମୋଦି ସରକାରଙ୍କ ବିରୋଧରେ ସମାଜସେବୀ ଆନ୍ନା ହଜାରେ ଆନ୍ଦୋଳନ ଡାକରା ଦେଇଛନ୍ତି। ୨୩ ମାର୍ଚ୍ଚରୁ ସେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ କରିବାକୁ ଘୋଷଣା କରିଛନ୍ତି। ଚାଷୀଙ୍କ ହକ୍ ପାଇଁ ଆନ୍ନା ଏଥର ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏହାସହ ଲୋକପାଳ ବିଲ୍ ମଧ୍ୟ ଆନ୍ନାଙ୍କ ଅନଶନ ଏଜେଣ୍ଡାରେ ରହିଛି। ଆନ୍ନା ଆନ୍ଦୋଳନ ଆରମ୍ଭ କଲେ ବିରୋଧୀ ସରକାରଙ୍କ ବିରୋଧରେ ଏକ ମାହୋଲ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ସରକାର ଆଗୁଆ ଚଳିତ ଅଧିବେଶନ ଶେଷ କରିବାକୁ ଚାହୁଁଛନ୍ତି।

କାହିଁକି ହେଉଛି ହଙ୍ଗାମା

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବା ଦିନରୁ ଲୋକସଭାରେ ହଙ୍ଗାମା ଲାଗି ରହିଛି। ପ୍ରଥମେ କଂଗ୍ରେସ ନୀରବ ମୋଦି, ରାଫେଲ୍ ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଥିବା ବେଳେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ସାଂସଦମାନେ ହଙ୍ଗାମା କରିଥିଲେ।

Comment