ନୀଳାମ୍ବର ରଥ

ସର୍ବସାଧାରଣ ସ୍ଥାନରେ ସିସିଟିଭି ବନ୍ଦ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଦୃଢ଼ ଦଣ୍ଡବିଧାନ କରାଯିବା ଆବଶ୍ୟକ। ବ୍ୟକ୍ତି ଓ ଗୋଷ୍ଠୀ ନିରାପତ୍ତା ପାଇଁ ବ୍ୟବହାର ହେଉଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହାଲୁକା ଭାବେ ଗ୍ରହଣ କରାନଯାଉ।

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଏବେବି ବିବାଦ ଥମୁନାହିଁ। ବାସ୍ତବରେ କେଉଁ ଅବସ୍ଥାରେ ଜୟାଙ୍କର ମୃତ୍ୟୁ ଘଟିଲା? ତାଙ୍କ ମୃତ୍ୟୁ ଖବରକୁ ଦୀର୍ଘ ସମୟ ଧରି ଚପାଇ ରଖାଯାଇଥିଲା କି? ଜୟାଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା କି? ଜୟଲଳିତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ନାହିଁ ତ? – ଏହିଭଳି ଅନେକ ପ୍ରଶ୍ନ ଆଉ ତାମିଲନାଡ଼ୁର ଭୌଗୋଳିକ ସୀମା ଭିତରେ ଆବଦ୍ଧ ହୋ‍ଇ ରହିନାହିଁ।

ଜୟାଙ୍କ ଚିକିତ୍ସା ଏବଂ ତାଙ୍କ ମୃତ୍ୟୁ ସମ୍ପର୍କରେ ତଦନ୍ତ କଲା ବେଳେ ଏବେ ନୂଆ କଥା ଜଣାପଡ଼ିଛି। ଚେନ୍ନାଇର ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ଜୟା ଭର୍ତ୍ତି ହୋ‍ଇଥିବା ଆଇସିୟୁର ସିସିଟିଭି ବନ୍ଦ କରିଥିବା କଥା ସ୍ୱୀକାର କରିଛନ୍ତି। ଏକଥା ଜଣାଇଛନ୍ତି ଆପୋଲୋର ପ୍ରତିଷ୍ଠାତା ଡାକ୍ତର ପ୍ରତାପ ରେଡ୍ଡି। ସେ ସଫେଇ ଦେଇଛନ୍ତି ଯେ ଜୟାଙ୍କୁ ଚିକିତ୍ସା ପାଇଁ ଆଣିଥିବା ଲୋକଙ୍କ ପରାମର୍ଶକ୍ରମେ ସେତେବେଳେ ଆପୋଲୋ ହସ୍ପିଟାଲ ଏହି ପଦକ୍ଷେପ ନେଇଥିଲା। ଅର୍ଥାତ୍‍ ଜୟଲଳିତା ଯେତେଦିନ ପର୍ଯ୍ୟନ୍ତ ସେଠାରେ ଚିକିତ୍ସାଧୀନ ଥିଲେ, ସେତେଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ସିସିଟିଭି।

ଏବେ ପ୍ରଶ୍ନ ଉଠୁଛି ଯେ ବ୍ୟକ୍ତି ବଦଳିଗଲେ ଡାକ୍ତରଖାନା ଭଳି ସାର୍ବଜନୀନ କ୍ଷେତ୍ରରେ ମଧ୍ୟ ନିୟମ ବଦଳିଯାଏ। ବିଶେଷକରି ସମ୍ପୃକ୍ତ ବ୍ୟକ୍ତି ଯଦି କ୍ଷମତାଶାଳୀ ହୋ‍ଇଥା’ନ୍ତି। ଅର୍ଥାତ୍‍ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଏପରିକି ଶାସନକ୍ଷମତାରେ ଥିବା ବଡ଼ ବଡ଼ ଅଧିକାରୀଙ୍କ ସୁବିଧା ପାଇଁ ବା ସେମାନଙ୍କ ସହଯୋଗୀ ବା ପରିବାରଙ୍କ ଇଛାକୁ ସମ୍ମାନ ଜଣାଇ ଯେ କୌଣସି ନିୟମକୁ ଜଳାଞ୍ଜଳି ଦିଆଯାଇପାରେ। ଏ ଲେଖକ ମତରେ ଏ ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି।

ଜୟାଙ୍କ ମୃତ୍ୟୁ ସମ୍ପର୍କରେ ତଦନ୍ତ କରୁଥିବା କମିଟିକୁ ଆପୋଲୋ ହସ୍ପିଟାଲ ପ୍ରତିଷ୍ଠାତା ଡାକ୍ତର ରେଡ୍ଡି ସୂଚନା ଦେଇଛନ୍ତି ଯେ ସେତେବେଳେ ସେହି ଆଇସିୟୁରୁ ଅନ୍ୟ ରୋଗୀମାନଙ୍କୁ ଭିନ୍ନ ସ୍ଥାନକୁ ନିଆଯାଇଥିଲା। ଅର୍ଥାତ୍‍ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଇସିୟୁକୁ ସଂରକ୍ଷିତ ରଖିଥିଲେ ଏବଂ ସେଠାରେ ଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ବନ୍ଦ କରିଦେଇଥିଲେ।

୨୦୧୬ ସେପ୍ଟେମ୍ବର ୨୨ ତାରିଖରେ ଜୟାଙ୍କୁ ଚିକିତ୍ସା ପାଇଁ ଅପୋଲୋରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆରମ୍ଭରୁ ଗୁରୁତର ରହିଥିଲା। ସେଠାରେ ଚିକିତ୍ସା ହେଉଥିବା ଅବସ୍ଥାରେ ଡିସେମ୍ବର ୫ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏ ବାବଦରେ ଉଭୟ ରାଜନୈତିକ ମହଲ ଓ ଗଣମାଧ୍ୟମରେ ଯେଉଁ କେତେକ ପ୍ରଶ୍ନ ଉଠିଥିଲା, ତା’ ମଧ୍ୟରେ ଥିଲା ଜୟଲଳିତାଙ୍କ ମୃତ୍ୟୁ ଖବର ତୁରନ୍ତ ଦିଆନଯାଇ ବିଳମ୍ବରେ ଘୋଷଣା କରାଯାଇଥିଲା। ଯଦି ଏହା ସତ୍ୟ ହୋ‍ଇଥାଏ, ତେବେ ଏହା ପଛରେ କେଉଁ ରାଜନୈତିକ, ପ୍ରଶାସନିକ ବା ପାରିବାରିକ ନିଷ୍ପତି ବା ନିର୍ଦ୍ଦେଶ ରହିଥିଲା, ସେ ବିଷୟରେ ତଦନ୍ତ ହେବା ଆବଶ୍ୟକ।

ଆଜିର ଦିନରେ ସିସିଟିଭି ବିଭିନ୍ନ ସାର୍ବଜନୀନ କ୍ଷେତ୍ର ପାଇଁ ଏକ ଜରୁରୀ ଏବଂ ସର୍ବନିମ୍ନ ଆବଶ୍ୟକତା। ତେବେ ଅନେକ ସମୟରେ ଆବଶ୍ୟକତା ବେଳେ ଏହା କାମରେ ଆସେ ନାହିଁ। ତା’ ପଛରେ ଥିବା କାରଣ ନିଶ୍ଚିତ ଭାବେ ମଣିଷକୃତ। ଅର୍ଥାତ୍‍ ଦିନ ଦିନ ଧରି ସିସିଟିଭି ଚାଲିଛି କି ନାହିଁ, ହୁଏତ କାହାକୁ ଜଣା ନଥାଏ କିମ୍ବା ଚେନ୍ନାଇ ଆପୋଲୋ ହସ୍ପିଟାଲରେ ଜୟଲଳିତାଙ୍କ ଚିକିତ୍ସାର କାହାଣୀ ଭଳି ଚାଲୁଥିବା ସିସିଟିଭିକୁ କାହାର ନିର୍ଦ୍ଦେଶ ବା ସୁବିଧା ପାଇଁ ବନ୍ଦ କରିଦିଆଯାଇଥାଏ। ଉଭୟ ଅବସ୍ଥା ସାଂଘାତିକ। ନିରାପତ୍ତା ପାଇଁ ବିଶେଷକରି କୌଣସି ଘଟଣା, ଦୁର୍ଘଟଣା ପରବର୍ତ୍ତୀ ସମୟରେ ତଦନ୍ତରେ ସହାୟତା କରିବା ପାଇଁ ସିସିଟିଭି ବଡ଼ ମାଧ୍ୟମ ହୋ‍ଇଥାଏ। କିନ୍ତୁ ଆପୋଲୋ ଭଳି କର୍ପୋରେଟ୍‍ ଡାକ୍ତରଖାନାରେ ଯଦି ଏଭଳି କରାଯାଏ, ତେବେ ସର୍ବସାଧାରଣଙ୍କ ନିରାପତ୍ତା ପ୍ରତି ଯେ ବିପଦ ରହିଛି, ଏହା ସ୍ପଷ୍ଟ।

ଡାକ୍ତରଖାନା ଭଳି କୌଣସି ସର୍ବସାଧାରଣ କ୍ଷେତ୍ରରେ ସିସିଟିଭି ବନ୍ଦ କରିବାକୁ ପରାମର୍ଶ ଦେବା ବା ନିର୍ଦ୍ଦେଶ ଦେବା ବା ଏହାକୁ ବନ୍ଦ କରିବା ବା ଅଚଳ କରିବା ଭଳି କାର୍ଯ୍ୟକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିଚାର କରାଯିବା ଦରକାର।

ଆମ ଦେଶରେ କେତେକ ସ୍ଥାନରେ ରାଜନୈତିକ ନେତାମାନଙ୍କୁ ପ୍ରଭୁ ଭାବେ ବିଚାର କରାଯାଏ। ଏହି ସମସ୍ୟା ଏକଦା ଦକ୍ଷିଣ-ଭାରତରେ ଏକ ଉତ୍କଟ ରୋଗର ରୂପ ନେଇଥିଲା। ତେଣୁ ଉଚ୍ଚ କ୍ଷମତାରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏହି ଖବରକୁ ଜଣାଇବାକୁ ନେଇ ଭାଳେଣି ପଡ଼ିଯାଉଥିଲା। ଅନେକ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରାଜନୈତିକ ଦଳର ଛାମୁଆ ନେତାମାନେ ନିଜ ନିଜ ଭିତରେ ଚୌକି ବଣ୍ଟାକୁଣ୍ଟା ନକଲା ପର୍ଯ୍ୟନ୍ତ ଏଭଳି ଖବର ସର୍ବସାଧାରଣଙ୍କୁ ଛାଡ଼ୁନଥିଲେ।

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‍ ରାମଚନ୍ଦ୍ରନ୍‌ଙ୍କ (ଏମ୍‌ଜିଆର) ବେଳେ ମଧ୍ୟ ଏଭଳି ଏକ ଜଟିଳ ପରିସ୍ଥିତି ସୃଷ୍ଟି ହୋ‍ଇଥିଲା। ଗୁରୁତର ମଧୁମେହ ଏବଂ ହୃଦ୍‌ରୋଗର ଶିକାର ହୋ‍ଇ ମୃତ୍ୟୁ ନିକଟରେ ପହଞ୍ଚିଥିଲେ ମଧ୍ୟ ଏ ଖବର ସରକାରରେ ବା ଦଳରେ କାହାକୁ ଦେବାକୁ ମନା କରିଥିଲେ ଏମ୍‌ଜିଆର। ସେତେବେଳକୁ ସେ ମୁଖ୍ୟମନ୍ତ୍ରୀ କ୍ଷମତାରେ ଥିଲେ। ଏପରିକି ସେ ସରକାର ଡାକ୍ତରଖାନାକି ଚିକିତ୍ସା ପାଇଁ ରୋକଠୋକ କହିଦେଇଥିଲେ। ଫଳରେ ଏକ ଘରୋ‍ଇ ଡାକ୍ତର ଦଳ ତାଙ୍କ ବାସଭବନକୁ ଆସି ଚିକିତ୍ସା ଦାୟିତ୍ୱ ନେଇଥିଲେ। ସେହିପରି ବିଭିନ୍ନ ସ୍ଥାନରୁ ଡାକ୍ତରୀ ଯନ୍ତ୍ରପାତି ଅଣାଯିବା ଫଳରେ  ତାଙ୍କ ଶୋ‍ଇବା ଘର ଏକପ୍ରକାର ଡାକ୍ତରଖାନାରେ ପରିଣତ ହୋ‍ଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ସେହି ରାତିରେ ଆଖି ବୁଜିଥିଲେ ଏମ୍‌ଜିଆର। ପରବର୍ତ୍ତୀ କିଛି ଦିନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଖବରକୁ ନେଇ ଯେଉଁ ପ୍ରଶଂସକ-ପାଗଳାମି ରାଜ୍ୟରେ ଚାଲିଥିଲା, ତାହା ଆଜି ଇତିହାସ। ଏହି କଥାକୁ ଲୋକପ୍ରିୟ ଓଡ଼ିଆ ଡାକ୍ତର କବି ପ୍ରସାଦ ମିଶ୍ର ତାଙ୍କ ଆତ୍ମଜୀବନୀ ପୁସ୍ତକରେ ଲେଖିଛନ୍ତି। ଜୟଲଳିତାଙ୍କ ମୃତ୍ୟୁ ନେଇ ସୃଷ୍ଟି ହୋ‍ଇଥିବା ପ୍ରଶ୍ନବାଚୀ ସହ ଏମ୍‌ଜିଆରଙ୍କ ମୃତ୍ୟୁର ଯେ କୌଣସି ସମ୍ପର୍କ ନାହିଁ, ଏକଥା ସତ। କିନ୍ତୁ ଏ ଦୁଇଟି ଘଟଣା ମଧ୍ୟରେ ଯେଉଁ ଗୋ‍ଟିଏ ଡୋର ଏ ଲେଖକ ଦେଖିପାରୁଛି, ତାହା ହେଉଛି କ୍ଷମତାରେ ଥିବା ବ୍ୟକ୍ତି ଓ ତାଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଆଚରଣ।

କୌଣସି ଗଣତନ୍ତ୍ରରେ ଉପର ବର୍ଣ୍ଣିତ କୌଣସି ଗୋଟିଏ ବି ବିଷୟ ଗ୍ରହଣୀୟ ମନେହେଉନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ଲେଖାରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ।)

Comment