ଡାକ୍ତର କବି ପ୍ରସାଦ ମିଶ୍ର

ଡାକ୍ତର ମିଶ୍ରଙ୍କ ଆତ୍ମଜୀବନୀତିନୋଟି ପୃଥିବୀ ଏଥିରେ ସେ ତାଙ୍କ ଛାତ୍ର ଅବସ୍ଥାରୁ ଆରମ୍ଭକରି ଦୀର୍ଘ ପେସାଦାର ଜୀବନ ଏବଂ ସାମାଜିକ ଆଧ୍ୟାତ୍ମିକ ଅନୁଭୂତି ସମ୍ପର୍କରେ ବିସ୍ତୃତଭାବେ ଲେଖିଛନ୍ତି ଏହି ଲେଖାରେ ସେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏମ୍. ଜି. ରାମଚନ୍ଦ୍ରନଙ୍କ ମୃତ୍ୟୁ ସମୟରେ ଘଟିଥିବା କେତେକ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି

ମୁଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପାଞ୍ଚ ଛ’ ଜଣ ମୁଖ୍ୟମନ୍ତ୍ରୀ ବା ରାଜ୍ୟପାଳଙ୍କୁ ହୃଦ୍‌ରୋଗ ବିଶେଷଜ୍ଞ ଭାବରେ ଚିକିତ୍ସା କରିବାର ସୁଯୋଗ ପାଇଛି। ସେସବୁ ଏଠାରେ ଲେଖିବାର ଆଦୌ ଆବଶ୍ୟକତା ନାହିଁ। କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀଙ୍କର ଚିକିତ୍ସା କରିବା ଏବଂ ତାଙ୍କର ଅପ୍ରତ୍ୟାଶିତ ଭାବରେ ହଠାତ୍ ମୃତ୍ୟୁ ହୋଇଯିବା ମୋ ଜୀବନରେ ଗୋଟିଏ ଅବିସ୍ମରଣୀୟ ଘଟଣା ହୋଇ ରହିଯାଇଛି। ସେଥିପାଇଁ ଏଠାରେ ସେ ବିଷୟଟି ବିଶଦ୍ ଭାବରେ ବର୍ଣ୍ଣନା କରିବାକୁ ଚାହୁଁଛି।

ଘଟଣାଟି ହେଲା- ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏମ୍. ଜି. ରାମଚନ୍ଦ୍ରନ୍ (ଯାହାଙ୍କୁ ଏମ୍.ଜି.ଆର୍. ବୋଲି ଲୋକମାନେ ଶ୍ରଦ୍ଧାରେ ଡାକନ୍ତି) ବିଷୟରେ ସେ ଅତ୍ୟନ୍ତ ଲୋକପ୍ରିୟ ଅଭିନେତା ଏବଂ ସମଭାବରେ ଜନସେବୀ ନେତା ଭାବରେ ତାମିଲନାଡ଼ୁରେ ବିଖ୍ୟାତ ହୋଇଯାଇଥିଲେ।

ସେଦିନ ଥାଏ ଡିସେମ୍ବର ୨୪ ତାରିଖ ୧୯୮୭ ମସିହା (ବଡ଼ଦିନର ପୂର୍ବଦିନ)। ମୋତେ ହଠାତ୍ ସନ୍ଧ୍ୟା ୫ଟା ବେଳେ ତାଙ୍କର ନିଜର ବାସଗୃହକୁ (ଯାହାକୁ ପୋରୁର୍ ଅଞ୍ଚଳରେ ଗାର୍ଡନ୍ ହାଉସ୍ ବୋଲି କୁହାଯାଉଥିଲା) ଯିବା ପାଇଁ ଡକା ହେଲା। ତାଙ୍କର ବହୁ ବର୍ଷର ବନ୍ଧୁ ଏବଂ ବ୍ୟକ୍ତିଗତ ଡାକ୍ତର ଡକ୍ଟର ବି. ଆର୍. ସୁବ୍ରମଣ୍ୟମ୍ ମୋତେ ଭଲ ଭାବରେ ଜାଣିଥିଲେ ଏବଂ ମୋଠାରୁ ବଡ଼ ହେଲେ ମଧ୍ୟ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରୁଥିଲେ।

ମୁଁ ଏମ୍.ଜି.ଆର୍‌ଙ୍କ ଘରେ ପହଞ୍ଚି ତାଙ୍କର ବ୍ୟକ୍ତିଗତ ଘରର ଗୋଟିଏ ଲିଫ୍ଟ ସାହାଯ୍ୟରେ ଦ୍ୱିତୀୟ ମହଲାରେ ଥିବା ତାଙ୍କର ଶୋଇବା ଘରକୁ ସିଧା ଚାଲିଗଲି। ସେଠାରେ ତାଙ୍କର ସାଧାରଣ ପରିଚିତ ଥିବା ଟୋପି ଏବଂ କଳା ଚଷମା ନ ଦେଖି ଓ ପୂରା ଚନ୍ଦା ମୁଣ୍ଡରେ ତାଙ୍କୁ ଦେଖିବାରୁ ମୁଁ ହଠାତ୍‌ ଚିହ୍ନିପାରିଲି ନାହିଁ। କିନ୍ତୁ ତାଙ୍କର ପତ୍ନୀ ଜାନକୀ ଅମ୍ମାଙ୍କୁ ଦେଖି କିଛି କଥାବାର୍ତ୍ତା କରି ସାଙ୍ଗେ ସାଙ୍ଗେ ଜାଣିନେଲି ଯେ ସେହି ଚନ୍ଦାମୁଣ୍ଡିଆ ବ୍ୟକ୍ତି ହିଁ ଏମ୍.ଜି.ଆର। ଅତ୍ୟନ୍ତ ଭଦ୍ର ବ୍ୟବହାର କରି ସେ ମୋତେ ଏବଂ ତାଙ୍କର ବ୍ୟକ୍ତିଗତ ଡାକ୍ତରଙ୍କୁ ବସିବାକୁ କହିଲେ।

ମୁଁ ତାଙ୍କ ସଙ୍ଗେ କଥାବାର୍ତ୍ତା କରି ଏବଂ ତାଙ୍କର ଇ.ସି.ଜି ଦେଖି ମତ ଦେଲି ଯେ ତାଙ୍କର ହୃଦ୍‌ଘାତ ରୋଗ ହୋଇଛି। ଯଦିଓ ତାଙ୍କର ମଧୁମେହ ରୋଗ ଥିବାରୁ ବିଶେଷ କିଛି ଛାତି ଯନ୍ତ୍ରଣା ଅନୁଭବ ହେଉନଥିଲା। ତାଙ୍କର ମର୍ଯ୍ୟାଦା, ଲୋକପ୍ରିୟତା, ଏବଂ ପଦବୀ ଦୃଷ୍ଟିରୁ ମୁଁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଉପଦେଶ ଦେଲି।

ସେ କିନ୍ତୁ ନଛୋଡ଼ ବନ୍ଧା। ଏକା ଜିଦ୍‌ ଧରି କହିଲେ, ସେ ଡାକ୍ତରଖାନାରେ ଭର୍ତ୍ତି ହେବେ ନାହିଁ କିମ୍ବା କୌଣସି ସରକାରୀ ଡାକ୍ତରଙ୍କୁ ତାଙ୍କ ବିଷୟରେ କିଛି କୁହାଯିବ ନାହିଁ। ଏହାର ମୁଖ୍ୟ କାରଣ ଥିଲା ଯେ ତା’ ପରଦିନ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମାନ୍ଦ୍ରାଜ ଆସି ଗୋଟିଏ ମୁଖ୍ୟ ସ୍ଥାନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତିଟିଏ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ଏମ୍. ଜି.ଆରଙ୍କର ପୂର୍ବରୁ ପକ୍ଷଘାତ ବିମାରି ଏବଂ ବୃକକ୍‌ ବିମାରି ହୋଇ ଆମେରିକାରେ ବୃକ୍‌କ ରୋପଣ କରାଯାଇଥିଲା। ପକ୍ଷାଘାତ ଯୋଗୁଁ ସେ ସମ୍ପୂର୍ଣ୍ଣ ରୂପେ ଭଲରେ କଥା କହିପାରୁନଥିଲେ।

ମୁଖ୍ୟମନ୍ତ୍ରୀ ପଦରୁ ନ ହଟିବା ପାଇଁ ସେ କାହାରିକୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ଜଣାଇବାକୁ ଚାହୁଁନଥିଲେ। (ବିଶେଷତଃ ସରକାରୀ ଡାକ୍ତରମାନଙ୍କୁ ଏବଂ ତତ୍କାଳୀନ ରାଜ୍ୟପାଳ ଖୋରାନ୍ନା ସାହେବଙ୍କୁ କହିବାକୁ ଚାହୁଁନଥିଲେ)। ମୁଁ ଜଣାଇଲି ଯେ, ତାଙ୍କର ବିଷମ ପରିସ୍ଥିତି ଘଟିଲେ ବିନା ଯନ୍ତ୍ରପାତିରେ ଘରେ କିଛି ଆଶୁ ଚିକିତ୍ସା କରିବା ସମ୍ଭବ ନ ହୋଇପାରେ। ସେ ଡାକ୍ତର ବି.ଆର.ଏସଙ୍କୁ ଜଣାଇଲେ ଯେ ସରକାରୀ ଡାକ୍ତରଖାନାରୁ କିମ୍ବା ବାହାରୁ ତାଙ୍କର ଶୋଇବା ଘରକୁ ସବୁ ପ୍ରକାର ଯନ୍ତ୍ରପାତି ଅଣାଯାଉ ଏବଂ ରାଜୀବ ଗାନ୍ଧିଙ୍କୁ କିଛି ମିଛ କଥା କହି (ସାମାନ୍ୟ ବେମାରୀ ହୋଇଛି ବୋଲି ଜଣାଇ) ତା’ ପରଦିନ ଆସିବାକୁ ମନା କରାଯାଉ।

ସେ ନିଜ ଜିଦ୍‌ରେ ଏହିଭଳି ଅଟଳ ରହିଲେ; ତେଣୁ ଆମ୍ଭେମାନେ ମନିଟର, ଇସିଜି ଯନ୍ତ୍ର, ପେସମେକର ଇତ୍ୟାଦି ସବୁପ୍ରକାର ଯନ୍ତ୍ରପାତି ତାଙ୍କ ଶୋଇବା ଘରକୁ ନେଇଆସିଲୁ ଏବଂ ସେ ଆମକୁ ଯାହା ଚିକିତ୍ସା ଦରକାର ଆରମ୍ଭ କରିବାକୁ କହିଲେ। ତାଙ୍କର କିଛି ଯନ୍ତ୍ରଣା ହେଉନଥିବାରୁ ସେ ହୃଦ୍‌ଘାତର ବିଷମ ପରିସ୍ଥିତି କଥା ବୋଧହୁଏ ବୁଝୁନଥିଲେ। ଆମେ ଚିକିତ୍ସା ଆରମ୍ଭ କରିଦେଲୁ ଏବଂ ମୁଁ ଘରକୁ ଫେରି ରାତ୍ରିଭୋଜନ ପରେ ଆସି ଦେଖିବି ବୋଲି କହି ଚାଲିଗଲି। କାରଣ ମୋ ସ୍ତ୍ରୀ ଓଡ଼ିଶା ଚାଲିଯାଇଥିବାରୁ ଆମର ଦୁଇଟି ପିଲା (ଚଉଦ ଏବଂ ଷୋଳ ବର୍ଷର) ଘରେ ଏକୁଟିଆ ଆମର ଚାକରାଣୀ ସଙ୍ଗେ ଥାଆନ୍ତି। ଅବଶ୍ୟ, ଏମ୍.ଜି.ଆରଙ୍କୁ ଜଗିବାରେ ତାଙ୍କ ଘର ୪/୫ ଜଣ ଡାକ୍ତର ରହିଥାନ୍ତି।

ମୁଁ ଘରକୁ ଯାଇ ଖାଇକରି ଫେରିଲି କିନ୍ତୁ ପିଲାଙ୍କୁ ଏବଂ ଚାକରାଣୀଙ୍କୁ କହିଥାଏ ଯେ ମୋତେ ରାତିରେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ପୁଣି ଯିବାକୁ ପଡ଼ିପାରେ। ରାତ୍ରି ପ୍ରାୟ ୧୦ଟା ବେଳେ ମୁଁ ଏମ୍.ଜି.ଆରଙ୍କୁ ଦେଖିଲି। ସବୁ ଠିକ୍‌ଠାକ୍‌ ଚାଲିଥାଏ ଏବଂ ତାଙ୍କର ବ୍ୟକ୍ତିଗତ ଡାକ୍ତରଙ୍କ ସମେତ ପ୍ରାୟ ୫ ଜଣ ଡାକ୍ତର ସେଠାରେ ଥାଆନ୍ତି- ସବୁ ବେସରକାରୀ ଡାକ୍ତର। ମୁଁ ଏମ୍.ଜି.ଆରଙ୍କୁ ଦହି ସରବତ ଦେଇ ଏବଂ ନିଦ ଔଷଧ ଦେବା ପରେ ଚାଲିଆସିଲି। ଅନ୍ୟ ଡାକ୍ତରମାନେ ସେଠାରେ ଜଗି ରହିଲେ। କିଛି ବିଷମ ପରିସ୍ଥିତିର ଲକ୍ଷଣ ଆଦୌ ନଥିଲା। ତେଣୁ ଆମେ ପ୍ରାୟ ନିଶ୍ଚିନ୍ତ ରହିଥାଉ। ଏମ୍.ଜି.ଆର୍ ନିଦ ବଟିକା ଖାଇ ଶୋଇଗଲେ।

ମୁଁ ଘରକୁ ଆସି ଶୋଇଗଲି। କିନ୍ତୁ ଚାକରାଣୀକୁ ସତର୍କ କରିଦେଇଥାଏ ଯେ ହଠାତ୍ ଦରକାର ପଡ଼ିଲେ ମୁଁ ରାତିରେ କବାଟ ବନ୍ଦ କରିଦେଇ ଯାଇପାରେ। ଠିକ୍ ସେଇଆ ହେଲା। ରାତି ପ୍ରାୟ ୧୨ଟା  ବେଳେ ଡକ୍ଟର ବି.ଆର୍.ଏସଙ୍କଠାରୁ ତତ୍‌କ୍ଷଣାତ୍‌ ଯିବା ପାଇଁ ଡାକରା ପାଇ ମୁଁ ସଙ୍ଗେ ସଙ୍ଗେ ବାହାରିଗଲି ଏବଂ ଭାବିଲି ଯେ ଏମ୍.ଜି.ଆର ବୋଧହୁଏ ଚାଲିଗଲେ। (ମଧୁମେହ ଓ ବୃକକ୍‌ ରୋପଣ ହୋଇଥିବା ଲୋକଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିବା ଜଣାଶୁଣା କଥା।) ତାଙ୍କ ଘରେ ପହଞ୍ଚି ଦେଖିଲା ବେଳକୁ ସେଇଆ ହୋଇଥିଲା। ସମସ୍ତେ ନିରୀକ୍ଷଣ କରି ଦେଖୁଥିଲା ବେଳେ ମନିଟରରେ ହଠାତ୍ ତାଙ୍କର ଇ.ସି.ଜି. ରେକର୍ଡ ଦେଖାଇଲା ଯେ ହୃତ୍‌ପିଣ୍ଡ ନିଷ୍କ୍ରିୟ ହୋଇ ହଠାତ୍‌ ବନ୍ଦ ହୋଇଯାଇଛି।

ତତ୍‌କ୍ଷଣାତ୍‌ ଡାକ୍ତରମାନଙ୍କ ଆଶୁ ଚିକିତ୍ସା ଓ ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କର ହୃତ୍‌ପିଣ୍ଡର କାର୍ଯ୍ୟ ଆଉ ଫେରୁନଥିଲା। ସେତେବେଳକୁ ମୋ ଛଡ଼ା ପ୍ରାୟ ନଅ ଜଣ ବେସରକାରୀ ଡାକ୍ତର ବିଶେଷଜ୍ଞ ପହଞ୍ଚି ଯାଇ ସବୁପ୍ରକାର ପ୍ରଚେଷ୍ଟାରେ ଲାଗିଥାଆନ୍ତି। ହୃତ୍‌ପିଣ୍ଡର ମାଲିସ୍‌ କରି କରି ଆମେ ସମସ୍ତେ ହାଲିଆ ହୋଇଗଲୁ। କିନ୍ତୁ କିଛି ଫଳ ହେଲାନାହିଁ। ପ୍ରାୟ ରାତି ୩ଟା ବେଳକୁ ମୁଁ କହିଲି ଆଉ ଚେଷ୍ଟା କରି କିଛି ଲାଭ ନାହିଁ। ସେଠାରେ ଥିବା ପୋଲିସ୍ ଡାଇରେକ୍ଟର ଜେନେରାଲ୍‌ ରବୀନ୍ଦ୍ରନ୍‌ଙ୍କ ଅନୁରୋଧରେ ଆମେ ସମସ୍ତେ ଦସ୍ତଖତ କରି ମୃତ୍ୟୁ ଘୋଷଣା କଲୁ ଏବଂ ନିୟମ ଅନୁସାରେ ରବୀନ୍ଦ୍ରନ୍‌ ମହାମାନ୍ୟ ରାଜ୍ୟପାଳ ଏବଂ ରାଜୀବ ଗାନ୍ଧୀ ସାହେବ ତଥା ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନଙ୍କୁ ଖବର ଦେଇଦେଲେ। (ସେତେବେଳ ଯାଏ କୌଣସି ମନ୍ତ୍ରୀଙ୍କୁ କିଛି ଖବର ଦିଆଯାଇ ନଥିଲା)। ପରେ ପରେ ସବୁ ମନ୍ତ୍ରୀମାନେ ଆସି ପହଞ୍ଚିଗଲେ ଏବଂ ରାଜ୍ୟପାଳ ମଧ୍ୟ ସଙ୍ଗେ ସଙ୍ଗେ ଆସିଥିଲେ।

କିନ୍ତୁ ଏଥିରେ ଆମର ଦୁଃଖ ସରିଲା ନାହିଁ। ମୁଁ ପୂର୍ବରୁ ଜାଣିଥିଲି ଯେ ଏମ୍.ଜି.ଆରଙ୍କ ମୃତ୍ୟୁରେ ସାରା ତାମିଲନାଡ଼ୁ ବିଶେଷକରି ମାନ୍ଦ୍ରାଜ ସହର ପୂରା ପାଗଳ ହୋଇଯିବ। ଏବଂ ଆଗରୁ ମଧ୍ୟ ମୁଁ ଡକ୍ଟର ବି.ଆର.ଏସଙ୍କଠାରୁ ଶୁଣିଥିଲି ଯେ ଏମ୍.ଜି.ଆରଙ୍କ ଗୁରୁ ଏବଂ ଅନ୍ୟ ସମସ୍ତଙ୍କ ନେତା ତାମିଲନାଡ଼ୁର ଲୋକପ୍ରିୟ ନେତା ଶ୍ରୀ ଆନ୍ନା ଦୁରାଇ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମରିଥିଲେ ମଧ୍ୟ ଲୋକମାନେ ପାଗଳାମିରେ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ବହୁତ ମାର୍‌ପିଟ୍‌ କରିଥିଲେ।

ଏମ୍.ଜି.ଆର ଜଣେ ରସିକ, ଅତି ପ୍ରଖ୍ୟାତ, ଲୋକପ୍ରିୟ ଅଭିନେତା ହୋଇଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ଥିବାରୁ ତାଙ୍କର ମୃତ୍ୟୁରେ ଅଧିକ ପାଗଳାମି ହେବ ବୋଲି ମୁଁ ଜାଣିଥିଲି। ସେଥିପାଇଁ ଡାକ୍ତର ବି.ଆର.ଏସଙ୍କୁ କହିଦେଇ ମୁଁ ଶୀଘ୍ର ଶୀଘ୍ର ଘରକୁ ଆସି ଭୋରୁ ଭୋରୁ ପଣ୍ଡିଚେରୀରେ ଥିବା ମୋର ବନ୍ଧୁ ଡକ୍ଟର ସୁବ୍ରମଣ୍ୟଙ୍କୁ ଗୋଟିଏ ହୋଟେଲ ରୁମ୍ ରଖିବାକୁ କହି, ପିଲାମାନଙ୍କୁ ଜଲ୍‌ଦି ଜଲ୍‌ଦି ଉଠାଇ ଦେଇ ମୋର କାର୍‌ରେ ପଣ୍ଡିଚେରୀ ଆଡକୁ ଚାଲିଲି। କିନ୍ତୁ ଦୁର୍ଭାଗ୍ୟକୁ ସେତେବେଳକୁ ସକାଳ ରେଡିଓ ଖବରରୁ ଏମ୍.ଜି.ଆରଙ୍କ ମୃତ୍ୟୁ ସମ୍ଭାଦ ପାଇ ଲୋକମାନେ ଦଙ୍ଗା ହଙ୍ଗାମା ଆରମ୍ଭ କରିଦେଲେ। ମୁଁ ଏଣେ ଦୁଇ ପିଲାଙ୍କୁ ଧରି କାର୍‌ରେ ପଳାଉଥିବା କଥା ଭାବି ଡରରେ ଛାନିଆ ହୋଇଗଲି।

ଆଉ ପଣ୍ଡିଚେରୀ ପର୍ଯ୍ୟନ୍ତ ଯିବା ସମ୍ଭବ ହେବ ନାହିଁ ବୋଲି ଗୋଟିଏ ନିଛାଟିଆ ଗାଁ ରାସ୍ତା ଦେଇ ମହାବଳୀପୁରମ୍‌ରେ ପହଞ୍ଚିଲି। ସେଠାରେ ଆଇ.ଟି.ଡି.ସି ହୋଟେଲ୍‌କୁ ଗଲାବେଳକୁ ତା’ର ମ୍ୟାନେଜର ମୋତେ କହିଲେ, “ହୋଟେଲ୍‌ରେ ଗୋଟିଏ ରୁମ୍‌ ବି ଖାଲି ନାହିଁ।” କାରଣ ଏମ୍.ଜି.ଆର ମରିଯାଇଥିବାରୁ ହୋଟେଲ୍‌ରୁ ଚାଲିଯିବାକୁ ଥିବା ଲୋକମାନେ ଭୟରେ ହୋଟେଲ୍‌ ଛାଡ଼ି ଯାଉନାହାନ୍ତି। ରାସ୍ତାଘାଟ, ଷ୍ଟେସନ, ଏୟାରପୋର୍ଟ ସବୁ ବନ୍ଦ ହୋଇଯାଇଛି। ପ୍ରାୟ ୨୪/୨୫ ଲକ୍ଷ ଲୋକ ମାନ୍ଦ୍ରାଜକୁ ସେତେବେଳକୁ ଆସିଗଲେଣି- ଏମ୍.ଜିଆରଙ୍କ ଶେଷଦର୍ଶନ ଓ ସମାଧି ପାଇଁ। ମୁଁ ଏଭଳି ବଡ଼ ବିପଦରେ ପଡ଼ି ସେଇଠି ଥିଲି।

ସେ ମ୍ୟାନେଜରଙ୍କୁ ଡାକି ଗୋଟିଏ କଣକୁ ନେଇ ଗୁପ୍ତରେ କହିଲି ଯେ ମୁଁ ହିଁ ଏମ୍.ଜି.ଆରଙ୍କ ଡାକ୍ତର ଏବଂ ମୃତ୍ୟୁ ସାର୍ଟିଫିକେଟ୍‌ ଦେଇ ଭୟରେ ଲୁଚି କରି ରହିବାକୁ ଆସିଛି। ସେ ଆଇ.ଟି.ଡି.ସିରେ କାମ କରୁଥିବା ଜଣେ ବଙ୍ଗାଳୀ ଅଫିସର ଥିଲେ। ସେ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ କିନ୍ତୁ ପରେ ମୋର ଭିଜିଟିଙ୍ଗ୍ କାର୍ଡ ପ୍ରଭୃତି ଦେଖି ଗୋଟିଏ ରୁମ୍‌ର ବନ୍ଦୋବସ୍ତ କରିଦେଲେ ଏବଂ ଆମ୍ଭେମାନେ ଗାଧୋଇ ପାଧୋଇ ଜଳଖିଆ ଖାଇ ହାଲିଆହୋଇ ଶୋଇପଡ଼ିଲୁ।

ପରେ ମୁଁ ଉଠି ଦେଖିଲି ଯେ ମ୍ୟାନେଜର ସାହେବଙ୍କ ଆଦେଶ କ୍ରମେ ତାଙ୍କର ହୋଟେଲ୍‌ର ମାଳୀ ମୋ ଗାଡ଼ିରେ ପାଣି ପକାଇ ସଫା କରୁଥାଏ। ଏଥିରୁ ମୁଁ ଜାଣିଗଲି ଯେ ସେ ବୋଧହୁଏ ମୋ କଥା ଅନ୍ୟମାନଙ୍କୁ କହିଦେଇଛନ୍ତି। ମୁଁ ବହୁତ ଯୋଗାଯୋଗ କରି ଖବର ନେଇ ସହରଟିକେ ଥଣ୍ଡା ପଡ଼ିଯିବା ପରେ ତା’ ପରଦିନ ମୋର କାର୍‌ ସାମ୍ନାରେ ଗୋଟିଏ ଏ.ଆଇ.ଡି.ଏମ୍.କେ.ର ପତାକା ଏବଂ ଏମ୍.ଜି.ଆର୍‌ଙ୍କ ଫଟୋ ଲଗାଇ (ଲୁଚିକରି ଠକି ଦେବା ପାଇଁ) ଘରକୁ ଫେରିଲି। ପିଲାମାନଙ୍କ ପାଇଁ ଏଇଟା ଗୋଟାଏ ଆଡ୍‌ଭେନ୍‌ଚର ଭଳି ହୋଇଥିଲା। ଘରେ ଆସି ଖବର କାଗଜରୁ ପଢ଼ି ଆଶ୍ୱସ୍ତ ହେଲି ଯେ ମୋର ନାମକୁ ଭୁଲ୍‌ରେ ସାମ୍ବାଦିକମାନେ ‘ଡାକ୍ତର ମିତ୍ର’ ବୋଲି କହି ଏମ୍.ଜି.ଆର୍‌ଙ୍କ ମୃତ୍ୟୁ ପୂର୍ବକ ଚିକିତ୍ସା କଥା ଲେଖିଥିଲେ।

ସେଦିନ ମାନ୍ଦ୍ରାଜ ସହରକୁ ପ୍ରାୟ ୨୪/୨୫ ଲକ୍ଷ ଲୋକ ଆସି ଅନେକ ଦୋକାନ, ବଜାର, ବସ୍ ବିଶେଷତଃ ମାନ୍ଦ୍ରାଜର ପ୍ରସିଦ୍ଧ ମାଉଣ୍ଟ ରୋଡରେ ଥିବା ଦୋକାନକୁ ସବୁ  ଭଙ୍ଗାରୁଜା କରି ପୂରା ଲୁଟି ନେଇଥିଲେ। ମୁଁ ବେଳେବେଳେ ଭାବେ ଜଣକର କୌଣସି କାରଣରୁ ବିଶେଷତଃ ବ୍ୟାଧିଜନିତ ସ୍ୱାଭାବିକ ମୃତ୍ୟୁ ଘଟିଲେ ଏପରି ଭଙ୍ଗାରୁଜା ପୋଡ଼ାପୋଡ଼ି ଆଦି ଧ୍ୱଂସାତ୍ମକ କାର୍ଯ୍ୟ କରିବା ଆମ ଦେଶର (ବିଶେଷତଃ ଦକ୍ଷିଣ ଭାରତରେ ଅଭିନେତାମାନଙ୍କ ପାଇଁ) ଯେଉଁସବୁ ଘଟଣା ଘଟେ ସେଗୁଡ଼ିକ ଗୋଟିଏ ମାରାତ୍ମକ ବ୍ୟାଧି ସଙ୍ଗେ ସମାନ।

ଏମ୍.ଜି.ଆରଙ୍କ ମୃତ୍ୟୁ ଏବଂ ମୋ ପାଇଁ ତାଙ୍କ ସକାଶେ କରିଥିବା ଚିକିତ୍ସା ମୋ ଜୀବନରେ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିଗଲା। ଏଠାରେ କହିରଖେ ଯେ, ତାଙ୍କର ହଠାତ୍‌ ମୃତ୍ୟୁର ପ୍ରମାଣ ଦେଇଥିବା ଇ.ସି.ଜିଟି କେବଳ ମୋ ପାଖରେ ଅଛି ଏବଂ ସେ ଇ.ସି.ଜିଟିକୁ ମୋର ଲୋକପ୍ରିୟ ଇ.ସି.ଜି. ବହିଗୁଡ଼ିକରେ ମୁଁ ଛପାଇ ଦେଇଛି (ନାମ ଇତ୍ୟାଦି ନ ଦେଇ)।

(ସୌଜନ୍ୟ – ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ଆତ୍ମକଥା ‘ତିନୋଟି ପୃଥିବୀ’)

Comment