ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବା ପରେ ବିଭିନ୍ନ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା। ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ସ୍ୱାଗତ କରିଥିବା ବେଳେ ବିରୋଧୀ କରିଛନ୍ତି ସମାଲୋଚନା। ଏହାକୁ ଜନ ବିରୋଧୀ ଏବଂ ନିର୍ବାଚନ ଅଭିମୁଖି ବଜେଟ ବୋଲି ବିରୋଧୀ କହିଛନ୍ତି।

“୨୦୧୮-୧୯ ପାଇଁ ଆଗତ ହୋଇଥିବା ବଜେଟ ଏକ ଲୋକାଭିମୁଖି ବଜେଟ। ଗରିବ ଦୁରୀକରଣ ପାଇଁ ଏହି ବଜେଟ ସହାୟକ ହେବ। ଏହା ଏକ ସମତୁଲ ବଜେଟ ହୋଇଥିବାରୁ ଓଡ଼ିଶାବାସୀଙ୍କ ଆଶା, ଆଙ୍କାକ୍ଷା ପୂରଣ ହୋଇପାରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ କହିଛନ୍ତି, “ରାଜ୍ୟ ସରକାର ବଜେଟ ଆଗତ କରିଛନ୍ତି ତାହା ନୈରାଶ୍ୟଜନକ। ଏହି ବଜେଟ ଦ୍ୱାରା ଲୋକଙ୍କର କୌଣସି ଆଶା ପୂରଣ ହୋଇପାରିବ ନାହିଁ। ଯୁବ, ମହିଳା, ଚାଷୀ, ଜନଜାତି, ମହିଳା ଏବଂ ପଛୁଆ ବର୍ଗଙ୍କ ସ୍ବାର୍ଥକୁ ଏହି ବଜେଟରେ ଉପେକ୍ଷା କରାଯାଇଛି।”

“୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ୍ ଗରିବ ଏବଂ ଚାଷୀ ବିରୋଧୀ। ଉଭୟ କୃଷି ଏବଂ ସାଧାରଣ ବଜେଟ୍ ନୈରାଶ୍ୟଜନକ। ବେକାର ଯୁବକ ଯୁବତୀଙ୍କ ପାଇଁ କର୍ମ ନିଯୁକ୍ତିର କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହାସହ ରାଜ୍ୟ ସରକାର ବଜେଟରେ ପଶ୍ଚିମ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବଜେଟରେ ସେମିତି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନାହାନ୍ତି ରାଜ୍ୟ ସରକାର। ବଜେଟରେ ସବୁ ବର୍ଗକୁ ସମାନ ଭାବେ ଦେଖାଯାଇ ନାହିଁ। ଏହି ବଜେଟରୁ ଚାଷୀ ଉପକୃତ ହେବେ ବୋଲି ମୋତେ ଦେଖାଯାଉ ନାହିଁ।”

“ବଜେଟ ନୈରାଶ୍ୟଜନକ। ଯୁବ ବର୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯୁବକ, ମହିଳା, ଜନଜାତି ଏବଂ ପଛୁଆବର୍ଗଙ୍କ କିଛି ବ୍ୟବସ୍ଥା କରାଯାଇ ନାହିଁ। ଆମ ଗାଁ ଆମ ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିବାର ମାନେ ହେଉଛି ଅର୍ଥ ହରିଲୁଟ୍। ଏହି ବଜେଟରେ ଲୋକଙ୍କ ଆଶା ପୂରଣ ହୋଇପାରିବ ନାହିଁ”, କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

Comment