ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୁକୁଣା ରଥଯାତ୍ରାରେ ଦେଖିବାକୁ ମିଳିଛି ବିଭ୍ରାଟ। ମହାପ୍ରଭୁ ଲିଙ୍ଗରାଜଙ୍କ ରଥ ମାତ୍ର ୩ ହାତ ଗଡ଼ିବା ପରେ ଛଡ଼ିଯାଇଥିଲା ଦଉଡ଼ି। ଫଳରେ ରଥ ଟଣାକୁ ବନ୍ଦ କରିଛି ପ୍ରଶାସନ।

ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ନିର୍ଦ୍ଧାରିତ ସମୟରେ ରଥ ଟଣା ହୋଇଥିଲା। ହେଲେ ବିଡ଼ମ୍ବନାର ବିଷୟ ବାରମ୍ବାର ଦଉଡ଼ି ଛିଡ଼ିଯିବାରୁ ରଥଟଣା ଅଧାରୁ ବନ୍ଦ କରିଛି ପ୍ରଶାସନ। ରବିବାର ସାଢ଼େ ୨ଟାରେ ପୁଣି ରଥ ଟଣା ହେବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ଅଶୋକଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ହୋଇଥାଏ। ଶ୍ରୀ ଲିଙ୍ଗରାଜ ଏକାମ୍ରକ୍ଷେତ୍ରସ୍ଥିତ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହ ଶ୍ରୀ ଚନ୍ଦ୍ରଶେଖର, ଅନନ୍ତ ବାସୁଦେବ, ଦେବୀ ରୂକ୍ମଣା ଏବଂ କପିଳନାଥ ରଥାରୂଢ଼ ହୋଇ ଯାତ୍ରା କରିଥାନ୍ତି। ଏହି ରଥଯାତ୍ରା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ଚଳିତବର୍ଷ ମଧ୍ୟ ଏକାମ୍ର କ୍ଷେତ୍ର ଶ୍ରଦ୍ଧାଳୁଙ୍କ ଗହଳ ଚହଳରେ ଉତ୍ସବମୁଖର ହୋଇ ଉଠିଥିଲା।  ହେଲେ ରଥଟଣା ବେଳେ ବିଭ୍ରାଟ ଦେଖାଦେଇଥିଲା।

ମହାପ୍ରଭୁଙ୍କ ରଥ ମାତ୍ର ୩ ହାତ ଗଡ଼ିବା ପରେ ରଥ ଦଉଡ଼ି ଛିଡ଼ିଯାଇଥିଲା। ପ୍ରଥମ ଦିନ ରୁକୁଣା ରଥ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ଟଣା ହୋଇଥାଏ। ତା ପରଦିନ ରଥ ମାଉସୀମା ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥାଏ। ହେଲେ ଚଳିତବର୍ଷ ରଥ ପ୍ରଥମ ଦିନ ବଢ଼େଇବାଙ୍କ ଛକରେ ପହଞ୍ଚି ପାରିନାହିଁ।

Comment