ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ରେ ୧୯୯୫ ନିର୍ବାଚନର ପୁନରାବୃତ୍ତି ଘଟିପାରେ ବୋଲି କିଛି କଂଗ୍ରେସ ନେତା ଆଶାବାଦୀ ଅଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିରୋଧୀ ହାୱା ନଥିବାରୁ କଂଗ୍ରେସର ମିଶନ ସଫଳ ହୋଇ ନପାରେ ବୋଲି ଚର୍ଚ୍ଚା ହେଉଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ କଂଗ୍ରେସ ଦଳରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଏହାର ସିଧା ସଳଖ ପ୍ରଭାବ ପଡ଼ିଛି ଆସନ ଗଣିତ ଉପରେ। ପିସିସି ସଭାପତି ନିଜେ ୮୫ଟି ଆସନର ଟାର୍ଗେଟ ରଖିଥିବା ବେଳେ ଦଳର କିଛି ନେତାଙ୍କ ପକ୍ଷରୁ ଆକଳନ କରାଯାଉଛି ଯେ ଦଳ ୮୦ଟି ଆସନ ପାଇ ସରକାର ଗଠନ କରିବ। କଂଗ୍ରେସ ନେତାମାନେ ୧୯୯୫ ନିର୍ବାଚନର ପୁନରାବୃତ୍ତି ହେବ ବୋଲି ଆଶା ରଖିଛନ୍ତି।

୧୯୯୫ରେ କଂଗ୍ରେସ ୧୦ଟି ଆସନରୁ ଡିଆଁ ମାରି ୮୦ ଆସନ ପାଇ ସରକାର ଗଢ଼ିଥିଲା। ୧୯୯୦ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୦ଟି ଆସନରେ ବିଜୟୀ ହୋଇଥିଲା ଓ ୧୨୩ଟି ଆସନ ପାଇ ଜନତା ଦଳ ସରକାର ଗଠନ କରିଥିଲା। ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ବିଜୁ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୯୦ ତୁଳନାରେ ୧୯୯୫ରେ କଂଗ୍ରେସ ୮ ଗୁଣା ଅଧିକ ଆସନ ପାଇବା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଥିଲା। ୧୯୯୦ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିଥିଲା ସତ, ହେଲେ ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳର ସଂଗଠନ ସୁଦୃଢ଼ ଥିଲା। ଏହାର କାରଣ ୧୯୮୦ରୁ ୧୯୯୦ ଦଶ ବର୍ଷ ଧରି କଂଗ୍ରେସ ଶାସନ କ୍ଷମତାରେ ଥିଲା।

୧୯୯୫ରେ କଂଗ୍ରେସ କ୍ଷମତାକୁ ଫେରିବା ପଛରେ ଆଉ ଗୋଟିଏ ବଡ଼ କାରଣ ଥିଲା। ତାହା ହେଉଛି ବିଜୁବାବୁଙ୍କ ସରକାର ବିରୋଧରେ ଜନ ଅସନ୍ତୋଷ। ସେହି ବର୍ଷ ପାଖାପାଖି ୭୪ ପ୍ରତିଶତ ମତଦାନ ହୋଇଥିଲା। ଏହା ବିଜୁ ପଟ୍ଟନାୟକଙ୍କ ନେତୃତ୍ୱକୁ ଚାଲେଞ୍ଜ ଦେଇଥିଲା।

୧୯୯୫ରେ ଜନତା ଦଳ ପ୍ରାର୍ଥୀମାନେ ପ୍ରବଳ ଭୋଟ ବ୍ୟବଧାନରେ ହାରିଥିଲେ। କଂଗ୍ରେସ ଦଳ ୧୯୯୫ରେ ବାଜିମାତ ମାରିବାର ତୃତୀୟ କାରଣ ଥିଲା ବିଜେପି ଓ ଜେଏମଏମ ଭଳି ଦଳର ଅଭ୍ୟୁଦୟ। ଏହି ଦୁଇ ଦଳର ପ୍ରାର୍ଥୀମାନେ ଜନତା ଦଳର ଭୋଟକୁ ଖାଇଥିଲେ। ସେହି ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୪ ଓ ବିଜେପି ୯ ଆସନରେ ବିଜୟୀ ହୋଇଥିଲା।

ଜେଏମଏମ ଯୋଗୁଁ ମୟୂରଭଞ୍ଜରେ ଜନତା ଦଳ ମୂଳପୋଛ ହୋଇଯାଇଥିବା ବେଳେ ବିଜେପି ପ୍ରାର୍ଥୀମାନେ ଆଉ କିଛି ଆସନରେ ଶାସକ ଦଳର ପ୍ରାର୍ଥୀମାନଙ୍କୁ ହରାଇଥିଲେ। ଚତୁର୍ଥ କାରଣଟି ହେଉଛି ଅତି ଆଶାବାଦୀ ହୋଇ ଜନତା ଦଳ ପକ୍ଷରୁ ନିର୍ବାଚନ ପରିଚାଳନାରେ କରା ଯାଇଥିବା ଘୋର ଅବ୍ୟବସ୍ଥା। ବିଜୁ ପଟ୍ଟନାୟକ ବାମପନ୍ଥୀ ଦଳ ସହିତ ଆସନ ବୁଝାମଣା କରିବାକୁ ମନା କରିବା ଫଳରେ ବେଶ୍ କିଛି ଆସନ ହାତରୁ ଖସି ଯାଇଥିଲା।

୧୯୯୫ରେ ଜନତା ଦଳ କରିଥିଲା ଗୁରୁଚଣ୍ଡାଳ ଦୋଷ

ଜଟଣୀରେ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ନ ମିଳିବା ଫଳରେ ଶରତ ପାଇକରାୟ ସ୍ୱାଧୀନ ଭାବେ ଠିଆ ହୋଇ ବିଜୟୀ ହୋଇଥିଲେ। ସେହିଭଳି ଦାମୋଦର ରାଉତ ଟାଣ ଦେଖାଇ ଦୁଇଟି ଆସନରୁ ଲଢ଼ି କୌଣସି ଗୋଟିଏ ଆସନରେ ବି ଜିତି ପାରିନଥିଲେ। ୧୯୯୫ରେ କଂଗ୍ରେସକୁ ଫାଇଦା ମିଳିବା ପଛରେ ସବୁଠୁ ବଡ଼ କାରଣ ଥିଲା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦକ୍ଷ ନିର୍ବାଚନ ରଣନୀତି। ଯଦି ୧୯୯୫ର କଂଗ୍ରେସ ବିଜୟ ସହିତ ୨୦୧୯ର ସମ୍ଭାବ୍ୟ ବିଜୟକୁ ତୁଳନା କରାଯାଏ ଗୋଟିଏ ବଡ଼ ଅସୁବିଧା ହେଉଛି ଦଳୀୟ ସଂଗଠନ। ୧୯୯୫ରେ ଯେଉଁଭଳି କଂଗ୍ରେସର ସଂଗଠନ ଥିଲା ୨୦୧୯ରେ ତାହା ନାହିଁ। ଦୀର୍ଘ ଦିନ ଧରି କ୍ଷମତାଠାରୁ ଦୂରରେ ରହିବା ଫଳରେ ଦଳର ଅଣ୍ଟା ପୂରା ଭାଙ୍ଗିଯାଇଛି।

କିଛି ବରିଷ୍ଠ ନେତା ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ଅବଶ୍ୟ ୧୯୯୫ରେ ବିଜୁ ପଟ୍ଟନାୟକଙ୍କ ସରକାର ଭଳି ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଜନ ଅସନ୍ତୋଷ ନାହିଁ। କିଛି ପରିମାଣରେ ‘କ୍ଲାନ୍ତି’ ବା ଫାଟିଗ ଥାଇପାରେ। କିନ୍ତୁ ଶାସକ ବିଜେଡି ପାଇଁ ବଡ଼ ସମ୍ପତ୍ତି ହେଉଛି ଏହାର ବିଭିନ୍ନ ଲୋକହିତକର ଯୋଜନା। ଏହି ଯୋଜନା ହିଁ ଦଳକୁ ଭୋଟରମାନଙ୍କ ସହ ବାନ୍ଧି ରଖିବା ପାଇଁ ସାହାଯ୍ୟ କରିବ।

୧୯୯୫ରେ ବିଜୁ ପଟ୍ଟନାୟକଙ୍କ ସରକାର ବିରୋଧରେ ସରକାରୀ କର୍ମଚାରୀମାନେ ଯେଉଁଭଳି ତାତିଥିଲେ ୨୦୧୯ରେ ତାହା ନାହିଁ। ଏବେ ସରକାର ଓ କର୍ମଚାରୀଙ୍କ ଭିତରେ ଥିବା ସମ୍ପର୍କକୁ କୁହାଯାଏ ‘ଥଣ୍ଡା ଥଣ୍ଡା କୁଲ କୁଲ’। ତା’ ଛଡ଼ା ବିଜେଡି ପକ୍ଷରୁ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

ବିରୋଧୀଙ୍କୁ ଚେକ୍ ଦେବା ପାଇଁ ନୂଆ ନୂଆ ରଣକୌଶଳ ମଧ୍ୟ ଅବଲମ୍ବନ କରାଯାଉଛି। ୧୯୯୫ ବିଧାନସଭା ନିର୍ବାଚନରେ କେବଳ କଂଗ୍ରେସ ହିଁ ଏକମାତ୍ର ବିରୋଧୀ ଦଳ ଥିବା ବେଳେ ୨୦୧୯ରେ ବିଜେପି ଏକ ଶକ୍ତିଶାଳୀ ବରୋଧୀ ଦଳ ଭାବେ ଉଭା ହୋଇଛି। ଏଣୁ ଦେଖିବାକୁ ଗଲେ ୧୯୯୫ ଭଳି କଂଗ୍ରେସ ପାଇଁ କୌଣସି ପ୍ରକାର ଅନୁକୂଳ ସ୍ଥିତି ନାହିଁ। ଖାଲି କେବଳ ଶେଷ ବେଳକୁ ନେତୃତ୍ୱ ପରିବର୍ତ୍ତନ କରାଯାଇଛି।

ଏଭଳି ସ୍ଥିତିରେ ଆସନ୍ତା ବିଧାନସଭା ନିର୍ବାଚନରେ ୮୫ଟି ଆସନ ପାଇ ସରକାର ଗଠନର ଯେଉଁ ସ୍ୱପ୍ନ କଂଗ୍ରେସ ଦେଖୁଛି ତାହା ଅନେକଟା ଅବାସ୍ତବ ମନେହୁଏ। ଯଦିଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ତାର ସଂଗଠନ ସଜାଡ଼ି ନିଏ ୮୫ ନହେଲେ ବି ୭୫ଟି ଆସନ ପାଇବା ବି କଷ୍ଟ। କାରଣ ଉପକୂଳ ଓଡ଼ିଶାରେ କଂଗ୍ରେସର ସ୍ଥିତି ଶୂନ।

Comment