ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗଜଲ୍ ସମ୍ରାଟ୍ ପଙ୍କଜ ଉଧାସ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ‘ଚିଠି ଆୟି ହେ ଆୟି ହେ ଚିଠି ଆୟି ହେ’, ‘ବଡ଼େ ଦିନୋଁ କେ ବାଦ୍ ହମ୍ ବତନୋଁ କା ୟାଦ୍…’ ଭଳି ଲୋକପ୍ରିୟ ଗୀତ ଗାଇଛନ୍ତି ସେ

ଗଜଲ ସମ୍ରାଟ୍ ପଙ୍କଜ ଉଧାସ ସଙ୍ଗୀତ ପ୍ରେମୀମାନଙ୍କ ଅତ୍ୟନ୍ତ ପ୍ରିୟ। ତାଙ୍କର ଶହ ଶହ ଗଜଲ୍ ଶୁଣି ଆଜି ବି ଶ୍ରୋତା ଖୁସି ହୁଅନ୍ତି। ଗଜଲ୍ ସମ୍ରାଟ୍ ପଙ୍କଜ ଉଧାସଙ୍କର କେତୋଟି ଲୋକପ୍ରିୟ ଗଜଲ୍ ହେଲା- ‘ଘୁଂଘଟ୍ କୋ ମତ୍ ଖୋଲ କି ଗୋରୀ ଘୁଂଘଟ୍ ହେ ଅନ୍‌ମୋଲ୍…’, ‘ଚୁପ୍‌କେ ଚୁପ୍‌କେ ରାତ୍‌ ଦିନ୍‌’, ‘କୁଛ୍‌ ନା କହୋ କୁଛ୍‌ ଭି ନା କହୋ…’, ‘ଦୁଇ ମହଙ୍ଗା ବହୁତ୍‌ ହି ଶରାବ୍‌..ଥୋଡ଼ି ଥୋଡ଼ି ପିୟା କରୋ…’ ଆଦି।

ଗଜଲ୍ ସମ୍ରାଟ୍ ପଙ୍କଜ ଉଧାସ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରୁ ଗଜଲ ସମ୍ରାଟ୍ ପଙ୍କଜ ଉଧାସଙ୍କର ଗୋଟିଏ ଗୀତ ସବୁଠାରୁ ଅଧିକ ଲୋକପ୍ରିୟ। ତାହା ହେଲା ‘ଚିଠି ଆୟି ହେ ଆୟି ହେ ଚିଠି ଆୟି ହେ’, ‘ବଡ଼େ ଦିନୋଁ କେ ବାଦ୍ ହମ୍ ବତନୋଁ କା ୟାଦ୍…’।

ପଙ୍କଜ ଉଧାସଙ୍କର ଏହି ଲୋକପ୍ରିୟ ଗୀତର ଗୀତିକାର ହେଲେ ଆନନ୍ଦ ବକ୍ସି। ଏହାର ସ୍ଵର ସଂଯୋଜନା କରିଥିଲେ ପ୍ରଖ୍ୟାତ ସଙ୍ଗୀତକାର ଯୋଡ଼ି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍। ଏହି ଗୀତଟି ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ନାମ୍‌’ର। ଏହି ଗୀତ ଦୃଶ୍ୟରେ ଗଜଲ ସମ୍ରାଟ ପଙ୍କଜ ଉଧାସ ବି ନଜର ଆସିଥିଲେ।

ଏହି ଗୀତ କେବଳ ସାଧାରଣ ସଙ୍ଗୀତ ପ୍ରେମୀଙ୍କୁ ଯେ ଭଲ ଲାଗିଥିଲା, ତା ନୁହେଁ, ବଲିଉଡର ପ୍ରଥମ ସୋ’ ମ୍ୟାନ୍ ରାଜ କପୁରଙ୍କ ଆଖିରୁ ବି ଲୁହ ଝରାଇଥିଲା।

ଦିନେ ସୋ’ ମ୍ୟାନ୍‌ ରାଜ କପୁର ଜଣେ ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଏକ ରେସ୍ତୋରାଂରେ ଡିନର୍ କରିବାକୁ ଯାଇଥିଲେ। ସେତେବେଳକୁ ପଙ୍କଜ ଉଧାସଙ୍କ ଚିଠି ଆୟିହେ…ଗୀତ ରିଲିଜ୍‌ ହୋଇନଥିଲା। ଏପରିକି ‘ନାମ୍‌’ ଫିଲ୍ମ ବି ମୁକ୍ତିଲାଭ କରିନଥିଲା।

ସେହି ରେସ୍ତୋରାଂରେ ରାତ୍ରି ଭୋଜନ କରୁଥିବା ବେଳେ ବନ୍ଧୁ ଜଣକ ସୋ’ ମ୍ୟାନ୍‌ ରାଜ କପୁରଙ୍କୁ ଏକ ଗୀତ ଶୁଣାଇଥିଲେ। ଜାଣନ୍ତି! ସେ ଗୀତଟି କଣ ଥିଲା। ହଁ ସେହି ଗୀତଟି ଥିଲା ଚିଠି ଆୟି ହେ…। ଏହି ଗୀତଟି ଶୁଣିବା ପରେ ସୋ’ମ୍ୟାନ୍ ରାଜ୍ କପୁରଙ୍କ ଆଖିରେ ଲୁହ ଜକେଇ ଆସିଥିଲା।

ଏହା ପରେ ରାଜ କପୁର ଜାଣିବାକୁ ଚାହିଁଥିଲେ ଏହାର ଗାୟକ କିଏ? ବନ୍ଧୁ ଜଣକ ଉତ୍ତର ଦେଇଥିଲେ ପଙ୍କଜ ଉଧାସ। ଏହି ଗୀତ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସୋ’ ମ୍ୟାନ୍ ରାଜ୍‌ କପୁର ତାଙ୍କର ଏକ ସିନେମାରେ ଗଜଲ ସମ୍ରାଟ ପଙ୍କଜ ଉଧାସଙ୍କୁ ନେବା ପାଇଁ ଇଛା ପ୍ରକାଶ କରିଥିଲେ।

ସେହି ସମୟରେ ସୋ’ ମ୍ୟାନ୍‌ ରାଜ କପୁର ‘ହୀନା’ର ନିର୍ମାଣ କରୁଥିଲେ। ସେ ଭାବିଥିଲେ ଏହି ଫିଲ୍ମ ପଙ୍କଜଙ୍କର ଏକ ଗୀତ ରଖିବେ। କିନ୍ତୁ ସେଭଳି କିଛି ଘଟିବା ପୂର୍ବରୁ ରାଜ କପୁର ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ।

ଏପରି ଭାବେ ଗଜଲ ସମ୍ରାଟ ପଙ୍କଜ ଉଧାସ ସୋ’ ମ୍ୟାନ୍ ରାଜ କପୁରଙ୍କ ଫିଲ୍ମରେ ଗୀତ ଗାଇବାରୁ ବଞ୍ଚିତ ହୋଇଥିଲେ।

ଗଜଲ ସମ୍ରାଟ ପଙ୍କଜ ଉଧାସଙ୍କ ଜନ୍ମ ୧୯୫୧ମସିହା ମଇ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ସ୍ଥାନ ହେଲା ଗୁଜୁରାଟର ରାଜକୋଟ ନିକଟରେ ଥିବା ଜେଟପୁର।

ପଙ୍କଜ ଉଧାସ ହେଉଛନ୍ତି ବଲିଉଡର ପ୍ରଖ୍ୟାତ କଣ୍ଠଶିଳ୍ପୀ ମନୋହର ଉଧାସଙ୍କ ସାନଭାଇ। ଗଜଲ ସମ୍ରାଟ ପଙ୍କଜ ଉଧାସ ପିଲା ଦିନେ ନିଜ ବଡ଼ଭାଇଙ୍କ ସହିତ ଷ୍ଟେଜରେ ଗୀତ ଗାଉଥିଲେ।

ଭାରତ-ଚୀନ ଯୁଦ୍ଧ ସମୟରେ ଗଜଲ ସମ୍ରାଟ ପଙ୍କଜ ଉଧାସ ‘ଏ ମେରେ ବତନ୍‌ କେ ଲୋଗୋଁ…’ ଗୀତ ଗାଇ ଲୋକଙ୍କୁ ଖୁସି କରିଥିଲେ। ସେତେବେଳେ ତାଙ୍କୁ ମିଳିଥିଲା ୫୧ ଟଙ୍କାର ପୁରସ୍କାର।

Comment