ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଓଡ଼ିଶାରେ ଚାକ୍‍ ହାଓ ବା କଳା ଚାଉଳ। ଉତ୍ତର ପୂର୍ବ ଭାରତର କେତେକ ରାଜ୍ୟରେ ହେଉଥିବା କଳା ଧାନ ପ୍ରଥମଥର ପାଇଁ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଚାଷ କରାଯାଉଛି।

କୋରାପୁଟ ଜିଲ୍ଲା ପାତ୍ରପୁଟ ଗ୍ରାମର ଜଣେ ସଫଳ ଚାଷୀ ହେଉଛନ୍ତି ନେତ୍ରାନନ୍ଦ ଲେଙ୍କା। ୬୮ବର୍ଷୀୟ ନେତ୍ରାନନ୍ଦ ବିରଳ କିସମର କଳା ଧାନ ଚାଷ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରାପ୍ତ ବୟସରେ ଲୋକମାନେ ଆରାମ କରିବାକୁ ପସନ୍ଦ କରୁଥିବାବେଳେ ନେତ୍ରାନନ୍ଦ କିନ୍ତୁ ଆଗାମୀ ପିଢ଼ି କିପରି ସୁସ୍ଥ ରହିବ ସେ ନେଇ ପ୍ରଚେଷ୍ଟା ଚଳାଇଛନ୍ତି। ବିନା ରାସାୟନିକ ସାର ବ୍ୟବହାର କରି ପ୍ରାୟ ୧୫୦ପ୍ରକାର ଦେଶୀ ଧାନର ବିହନ ରଖିଛନ୍ତି ନେତ୍ରାନନ୍ଦ।

କଳା ଧାନ ଚାଷ ପାଇଁ ଜୈବସାର ତଥା ଜିଆଖତ ଓ ଗୋବରଖତ ପ୍ରୟୋଗ କରି ଚାଷ କରନ୍ତି ନେତ୍ରାନନ୍ଦ। କୀଟନାଶକ ପାଇଁ ପ୍ରାକୃତିକ ନିମ ତେଲ ସହ ଗୋବର ପାଣିକୁ ବ୍ୟବହାର ସେ କରିଥାନ୍ତି। କଳା ଚାଉଳ ଓଡ଼ିଶା ବଜାରରେ କିଲୋ ପିଛା ୪୦୦ ଟଙ୍କା ଥିବାବେଳେ ବାହାର ରାଜ୍ୟରେ ୧୮୦୦ଟଙ୍କା ଯାଏଁ ବିକ୍ରି ହେଉଛି।

ଏଥିସହ ଗୋଟିଏ ଧାନରେ ଦୁଇଟି ଚାଉଳ ଯଥା ଲବକୁଶ ଭଳି ଦୁର୍ଲଭ ଜାତିର ଧାନକୁ ନେତ୍ରାନନ୍ଦ ସାଇତି ରଖିପାରିଛନ୍ତି। ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁଁ ଅନେକ ଦେଶୀ ଧାନ ଲୋପ ପାଉଥିବାବେଳେ ନେତ୍ରାନନ୍ଦ କିନ୍ତୁ ୧୫୦ରୁ ଉର୍ଦ୍ଧ୍ଵ ଦେଶୀ ଧାନକୁ ବିହନ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଏହି ଚାଷ କାମରେ ତାଙ୍କ ସ୍ତ୍ରୀ ସବିତା ରାଣୀ ଲେଙ୍କା ତାଙ୍କୁ ସାହାଯ୍ୟ କରୁଛନ୍ତି।

ନେତ୍ରାନନ୍ଦ କହିଛନ୍ତି, “କୋରାପୁଟ ଜିଲ୍ଲାରେ ହେଉଥିବା କଳାବତୀ ଓ ହାଣ୍ଡିସ୍ଥଳ ଚାଉଳ ଦେଖିବାକୁ କଳା। ଏହି ଚାଉଳ ସୁଗାର ଫ୍ରି ଓ ଲୋକମାନେ ଏହି ଚାଉଳ ଖାଇଲେ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ରାସାୟନିକ ସାର ପ୍ରୟୋଗ ନ କରି ଯେଭଳି ଜୈବିକ ସାର ଦ୍ୱାରା ଅଧିକରୁ ଅଧିକ ଶସ୍ୟ ଉତ୍ପାଦନ ହୋଇପାରିବ ସେଥିପ୍ରତି ସମସ୍ତ ଚାଷୀ ଗୁରୁତ୍ୱ ଦେବା ଦରକାର” କହିଛନ୍ତି ନିତ୍ୟାନନ୍ଦ।

ନେତ୍ରାନନ୍ଦ ୧୯୫୦ରେ କଟକରେ ଜନ୍ମଗ୍ରହଣ କରିଥିଲେ। ଏହାପରେ କୋରାପୁଟ ଜିଲ୍ଲାରେ ବନ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ। ୨୦୦୮ରେ କାର୍ଯ୍ୟରୁ ଅବସର ନେଇଥିଲେ। କିନ୍ତୁ କୋରାପୁଟ ଜିଲ୍ଲାକୁ ଛାଡି ଆଉ ନିଜ ଗ୍ରାମକୁ ଫେରିନଥିଲେ। ଏଠାରେ ୯ଏକର ଜମି କିଣି ନିଜ ଅଭିଜ୍ଞତାରେ ଆରମ୍ଭ କରିଥିଲେ ଚାଷକାମ। ଜୈବିକ ପଦ୍ଧତିରେ ମାଟିଧାନ, ପଣ୍ଡାକାଧାନ, ପାରାଧାନ, ଉଷାଗଠିଆଳି, ଇଲିପିସୁନା, ମେହର, ଭଟାଚୁଡ଼ି, ମାଗୁର, ହଳଦିଆଚୁଡ଼ି, କଳାବତି ଭଳି ଅନେକ ଦେଶୀ ବିହନକୁ ସାଇତି ପୁରସ୍କୃତ ହୋଇଛନ୍ତି ନିତ୍ୟାନନ୍ଦ।

ଜୈବିକ ପଦ୍ଧତିରେ ୪ ଏକର ଜମିରେ ବିଭିନ୍ନ ଜାତିର ଆମ୍ବ, ଲେମ୍ବୁ, ସପୁରି ଓ ବାଉଁଶ ଚାଷ କରିଛନ୍ତି ନେତ୍ରାନନ୍ଦ ଲେଙ୍କା। ନେତ୍ରାନନ୍ଦଙ୍କ କ୍ଷେତରେ ବିଭିନ୍ନ ପ୍ରକାରର ଆମ୍ବ ଫଳିଥିବାବେଳେ ସେ ଏବେ ସୁଗାର ଫ୍ରି ଆମ୍ବ ଚାଷ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ସେହିଭଳି ବାଉଁଶର ଏକ ପ୍ରଜାତିକୁ ନିଜେ କଲମି କରି ସୃଷ୍ଟି କରିଛନ୍ତି ଉନ୍ନତ ଜାତିର ବିହନ। ଯାହାକି ଆଗାମୀ ଦିନରେ ଅର୍ଥ ଉପାର୍ଜନର ଏକ ମାଧ୍ୟମ ହେବ ବୋଲି ଆଶା ରଖିଛନ୍ତି ନିତ୍ୟାନନ୍ଦ।

ଜଣେ ସଫଳ ଚାଷୀ ଭାବେ ଅନେକ ପୁରସ୍କାର ପାଇଛନ୍ତି ନେତ୍ରାନନ୍ଦ। ୨୦୦୭ମସିହାରେ ଝାଡଖଣ୍ଡର ଧାନବାଦରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀ ପୁରସ୍କୃତ ହୋଇଥିଲେ।

ଭାରତରେ କଳା ଚାଉଳ ଉତ୍ପତ୍ତି

ଭାରତରେ ସର୍ବପ୍ରଥମେ କଳା ଧାନ ଚାଷ ଆସାମରେ ଦେଖିବାକୁ ମିଳିଥିଲା। ୨୦୧୧ମସିହାରେ ଆସାମର ଗୋଲପୁରା ଜିଲ୍ଲାର ଆମଗୁରିପାରା ଗାଁର ଜଣେ ଯୁବ କୁଷକ ଉତ୍ପେନ୍ଦର ରାବା କଳା ଧାନ ଚାଷ ଆରମ୍ଭ କରିଥିଲେ। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରୁ କଳା ଧାନ ଚାଷ ବିଷୟରେ ପ୍ରେରଣା ପାଇ ଉତ୍ପେନ୍ଦର ନିଜ କ୍ଷେତରେ ଏହି ଚାଷ ଆରମ୍ଭ କରିଥିଲେ।

କଳାଧାନରୁ ଲାଭ

ଆମେ ସାଧାରଣ ଚାଉଳ କିଲୋ ପିଛା ୧୫ରୁ ୮୦ଟଙ୍କା ମିଳିଥାଏ। କିନ୍ତୁ ମାର୍କେଟରେ କଳାଧାନର କିଲୋ ପିଛା ମୂଲ୍ୟ ୨୦୦ରୁ ଆରମ୍ଭ ହୋଇ ୧୮୦୦ଟଙ୍କା ପର୍ଯ୍ୟନ୍ତ ରହିଥାଏ।

ଶରୀର ପାଇଁ ବେଶ୍‌ ଉପକାରୀ କଳା ଚାଉଳ

କଳା ଚାଉଳରୁ ପ୍ରସ୍ତୁତ ଭାତ ଶରୀର ପାଇଁ କୌଣସି ଔଷଧଠାରୁ କମ୍ ନୁହେଁ। କଳା ଚାଉଳରେ ଆଇରନ, ଭିଟାମିନ ଇ ଓ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥିବାରୁ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ। କ୍ୟାନସର ପ୍ରତିରୋଧ ଶକ୍ତି ଥିବା ଏହି ଚାଉଳ ଆପଣଙ୍କୁ ମଧୁମେହ ରୋଗଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

Comment