ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିଛି ବିଜେପି। ମହାନଦୀ ପାଇଁ ବ୍ୟାକଫୁଟ୍‌ରେ ଥିବା ବିଜେପି ଏବେ ଫ୍ରଣ୍ଟଲାଇନକୁ ଆସିବାକୁ ଚାହୁଁଛି। ଏହା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।

ମହାନଦୀ ପାଲଟିଲା ମହାପ୍ରସଙ୍ଗ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ମହାନଦୀକୁ ଅସ୍ତ୍ର କରିଥିବା ବେଳେ ବିଜେପିକୁ ଏବେ ମହାନଦୀ ଚିନ୍ତା ଘାରିଛି। ବିଳମ୍ବରେ ହେଲେ ବି ବିଜେପି ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲି ଛତିଶଗଡ଼ ଭୁଲ୍ କରିଛି ବୋଲି କହିଛି।

ମହାନଦୀ ପାଣିକୁ ଅସ୍ତ୍ର କରି ବିଜେଡି ଦୁଇ ପାଦ ଆଗରେ ରହିଛି। ମହାନଦୀର ସୁରକ୍ଷା ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇ ଲୋକଙ୍କ ସମର୍ଥନ ହାସଲ କରିଛି। ମହାନଦୀର ଦୁର୍ଦ୍ଦଶା ପାଇଁ ଛତିଶଗଡ଼ ଏବଂ କେନ୍ଦ୍ର ବିଜେପି ସରକାରକୁ ଦାୟୀ କରିଛି ବିଜେଡି। ଯେତେବେଳେ ବି ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଉଥିଲା ସେତେବେଳେ ରାଜ୍ୟ ବିଜେପି ନେତା କୌଣସି ଠୋସ୍ ମନ୍ତବ୍ୟ ଦେଇପାରୁ ନଥିଲେ। ଚୁପ୍ ରହୁଥିଲେ ନଚେତ୍ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିଲେ। ହେଲେ ଏବେ ମହାନଦୀ ପ୍ରସଙ୍ଗକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ବିଜେପି ନେତା ଅନୁଭବ କରୁଛନ୍ତି। ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ବିଜେପି ମହାନଦୀ ପ୍ରସଙ୍ଗ କୁହାଇଛି। ଧର୍ମେନ୍ଦ୍ର ଛତିଶଗଡ଼ ସରକାର ଭୁଲ୍ କରିଥିବା କହିଛନ୍ତି।

“ଓଡ଼ିଶାର ସ୍ୱାର୍ଥ ପାଇଁ କୌଣସି ସାଲିସ୍ କରାଯିବ ନାହିଁ। ମହାନଦୀକୁ ନେଇ ଛତିଶଗଡ଼ ଭୁଲ୍ କରିଛି। ରମଣ ସିଂଙ୍କ ମନ୍ତବ୍ୟ ମଧ୍ୟ ନିନ୍ଦନୀୟ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ମହାନଦୀ ପ୍ରସଙ୍ଗରେ ବିଜେପି ଆଉ ପଛରେ ପଡ଼ିବାକୁ ଚାହୁଁନି। ମହାନଦୀ ରାଜନୀତିକ ଅସ୍ତ୍ର ପାଲଟିଥିବାରୁ ବିଜେପି ମଧ୍ୟ ଏହାକୁ ଅକ୍ତିଆର କରି ଆଗକୁ ଆସିବାକୁ ଚାହୁଁଛି।

କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ। ଆଶା କରାଯାଉଥିଲା କି ମହାନଦୀ ପ୍ରସଙ୍ଗରେ ମୋଦି କିଛି ସମାଧାନର ରାସ୍ତା ବାହାର କରିବେ। କିନ୍ତୁ ସେମିତି କିଛି ଘଟିଲା ନାହିଁ। ମହାନଦୀ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ମୋଦି ଦିଲ୍ଲୀ ଫେରିଗଲେ। ଛତିଶଗଡ଼ର ପ୍ରକଳ୍ପ ସମ୍ପର୍କରେ ମୋଦି କିଛି କହିଲେ ନାହିଁ।

ମୋଦି ଓଡ଼ିଶା ଗସ୍ତରୁ ଫେରିବାର କିଛିଦିନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଓଡ଼ିଶାକୁ ପ୍ରକାରନ୍ତରେ ନାଲି ଆଖି ଦେଖାଇଥିଲେ। ମହାନଦୀ ପାଣି କେବଳ ଛତିଶଗଡ଼ର କହିବା ସହ ନିର୍ବାଚନ ଆସିଲେ ମହାନଦୀ କଥା ଓଡ଼ିଶାରେ ଉଠେ କହି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିଲେ।

ମୋଦି ଏବଂ ରମଣଙ୍କ ବୟାନ ରାଜ୍ୟ ବିଜେପିକୁ ଅଡ଼ୁଆରେ ପକାଇଥିଲା। ମହାନଦୀ ପ୍ରସଙ୍ଗରେ ବିଜେପି ଏକଘରିକିଆ ହୋଇଯାଇଥିଲା। ଓଡ଼ିଶାର ବିଜେପି ନେତା ଦଳ ସପକ୍ଷରେ କହିବେ ନା ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ। ମହାନଦୀ ପ୍ରସଙ୍ଗରେ କିପରି ବିଜେଡିକୁ କାଉଣ୍ଟର କରି ଲୋକମାନଙ୍କ ସହ ଯୋଡ଼ି ହୋଇ ରହିବେ ସେନେଇ ବିଚାର ବିମର୍ଷ କରିବା ପରେ ଧର୍ମେନ୍ଦ୍ର ଆଜି ମୁହଁ ଖୋଲିଛନ୍ତି। ଛତିଶଗଡ଼କୁ ଭୁଲ୍ ଦେବା ସହ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି।

“ରମଣ ସିଂ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ। ଓଡ଼ିଶା ସରକାର ବି କିଛି ଠିକ୍ କରି ନାହାନ୍ତି। ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ସହଯୋଗ କଲେ ନାହିଁ। ମହାନଦୀ ପାଣି ସଂରକ୍ଷିତ କରିବା ପାଇଁ ୧୮ ବର୍ଷ ଭିତରେ କିଛି ବି ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର। ଆମେ ଚାହୁଁଥିଲୁ ଟ୍ରିବ୍ୟୁନାଲ ଗଠନ ହେଉ। ଟ୍ରିବ୍ୟୁନାଲ ଗଠନ ହୋଇଛି। ମହାନଦୀ ବିବାଦ ସମ୍ପର୍କରେ ଟ୍ରିବ୍ୟୁନାଲ ରାୟକୁ ଅପେକ୍ଷା କରିଛୁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମହାନଦୀକୁ କେବଳ ବିଜେଡି ଅସ୍ତ୍ର କରିନାହିଁ। ରାଜ୍ୟ କଂଗ୍ରେସ ବି ମହାନଦୀକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରକୁ ବାଣ ମାରିଛି। ମହାନଦୀ ପାଣି ଅଟକାଇବା ପାଇଁ ବିଜେପି ସରକାର ଷଡ଼ଯନ୍ତ୍ର କରିଥିବା କଂଗ୍ରେସ କହିଛି। କଂଗ୍ରେସ-ବିଜେଡିର ମହାନଦୀ ହମ୍‌ଲା ଭିତରେ ବିଜେପି ଏକଘରିକିଆ ହୋଇଯାଇଥିଲା। ଏବେ ବିଜେପି ଓଡ଼ିଶାର ମହାନଦୀ ପାଇଁ ମୁହଁ ଖୋଲିଛି। ମହାନଦୀର ଦୁର୍ଦ୍ଦଶା ପାଇଁ ବିଜେଡି ୧୫ଟି ଜିଲ୍ଲାରେ ସଚେତନତା ସଭା କରି ବିଜେପିକୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେପିର ଆଗାମୀ ପଦକ୍ଷେପ କ’ଣ ରହୁଛି ତା’ଉପରେ ସମସ୍ତଙ୍କ ନଜର।

Comment