ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ରାଜଧାନୀ ଝିଅ ରାଜନନ୍ଦିନୀ। ଏହା ହେଉଛି ଶିବାନୀ ଗଣନାଟ୍ୟ ଦ୍ୱାରା ପ୍ରଯୋଜିତ ଏକ ଲୋକପ୍ରି  ୟ ନାଟକ। ଏହାର ନିର୍ଦ୍ଦେଶକ ହେଲେ କିଶୋର ଖଣ୍ଡୁଆଳ ଓ ନାଟ୍ୟକାର ହେଲେ ଲିଲି ଦାଶ।

ଯଲିଉଡର ଜଣାଶୁଣା ଯାତ୍ରାପାର୍ଟି ଶିବାନୀ ଗଣନାଟ୍ୟର ଏକ ବହୁଚର୍ଚ୍ଚିତ ନାଟକ ହେଲା ରାଜଧାନୀ ଝିଅ ରାଜନନ୍ଦିନୀ। ଏହି ଯାତ୍ରାନାଟକର ସଂକ୍ଷିପ୍ତ କଥାବସ୍ତୁ ଏପରି- ରାଜଧାନୀର ଜଣେ ବିଶିଷ୍ଟ ଶିଳ୍ପପତି ହେଲେ ଓଁକାର ନାଥ ଚୌଧୁରୀ। ତାଙ୍କର ଦୁଇ ଝିଅ। ବଡ଼ ଝିଅ ନନ୍ଦିନୀ ଓ ସାନ ଝିଅ ହେଲେ ରାଗିଣୀ।

ଯଥାସମୟରେ ଓଁକାର ନାଥ ଦୁଇ ଝିଅଙ୍କର ବାହାଘର କରାନ୍ତି। ବଡ଼ ଝିଅ ନନ୍ଦିନୀ ଜଣେ ଅନାଥ ଯୁବକ ପ୍ରୀତମ୍‌ଙ୍କ ସହିତ ବାହା ହୁଏ। ପ୍ରୀତମ୍ ଶ୍ୱଶୂରଙ୍କ କମ୍ପାନିର ଦାୟିତ୍ୱ ନିଅନ୍ତି। ତେଣେ ଡାକ୍ତର ନିର୍ମଳ ସାନ ଝିଅ ରାଗିଣୀଙ୍କୁ ବିବାହ କରିବା ପରେ ଓଁକାରନାଥଙ୍କ ନନ୍ଦିନୀ ନର୍ସିଂହୋମ୍‌ର ଦାୟିତ୍ୱ ନିଅନ୍ତି।

ଏହାପରେ ନିଜକୁ ଦାୟିତ୍ୱମୁକ୍ତ ମନେ କରନ୍ତି ଓଁକାର ନାଥ ଚୌଧୁରୀ। କିନ୍ତୁ ଦିନେ ପ୍ରୀତମଙ୍କୁ କେହି ହତ୍ୟା କରନ୍ତି। ନନ୍ଦିନୀ କିନ୍ତୁ ଏହାକୁ ବିଶ୍ୱାସ କରନ୍ତି ନାହିଁ। ସେ ବିଧବା ନ ହୋଇ -ପ୍ରୀତମଙ୍କ ଫେରିବାକୁ ଅପେକ୍ଷା କରନ୍ତି। ଖାଲି ସେତିକି ନୁହେଁ, ନନ୍ଦିନୀ ପାଗଳି ଭଳି ହୁଅନ୍ତି। ଡାକ୍ତରମାନେ ଚିକିତ୍ସା କରିବା ପରେ କୁହନ୍ତି ଯେ ପ୍ରୀତମ୍ ନ ଫେରିଲେ ନନ୍ଦିନୀଙ୍କ ଅବସ୍ଥା ସୁଧୁରିବ ନାହିଁ।

ଏଭଳି ସମୟରେ ସୁଧୀର ନାମକ ଜଣେ ବିବାହିତ ଯୁବକ ନିଜ ବାପାଙ୍କ ଚିକିତ୍ସା ପାଇଁ ନନ୍ଦିନୀ ନର୍ସିଂହୋମ୍‌ରେ ପହଞ୍ଚନ୍ତି। ସୁଧୀର ସନ୍ଧ୍ୟା ବିବାହ କରିଥାନ୍ତି। ହେଲେ ସନ୍ଧ୍ୟାଙ୍କୁ ସୁଧୀରଙ୍କର ସାବତ ମା’ କାଞ୍ଚନ ସନ୍ଧ୍ୟାଙ୍କୁ ଘରେ ପୁରାଇ ଦିଅନ୍ତି ନାହିଁ। ସେ ଯୌତୁକ ଆଣିନଥିବା ଯୋଗୁଁ ଏଭଳି କରନ୍ତି।

ସୁଧୀର ଦେଖିବାକୁ ଅବିକଳ ପ୍ରୀତମଙ୍କ ଭଳି। ସୁଧୀରଙ୍କୁ ଦେଖି ନନ୍ଦିନୀ ପ୍ରୀତମ୍ ବୋଲି ମନେ କରିଲେ। ନନ୍ଦନୀଙ୍କ ପାଗଳାମି ଭଲ ହୋଇଗଲା। ଏହାର ପ୍ରତିବଦଳରେ ଓଁକାର ନାଥ ସୁଧୀରଙ୍କ ବାପାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କରିଲେ। ଏକଥାକୁ ଗୋପନୀୟ ରଖିଥିଲେ ଓଁକାର ନାଥ ଓ ସୁଧୀର।

କିନ୍ତୁ ଘଟଣାର ସତ୍ୟାସତ୍ୟ ଜାଣି ନେଲା କାଞ୍ଚନଙ୍କ ପୁଅ ଶିଶିର। ସେ କାଞ୍ଚନଙ୍କୁ ଯାଇ ସବୁକଥା କହେ। ଏହା ପରେ ସନ୍ଧ୍ୟା ସୁଧୀରଙ୍କ ପାଖକୁ ଆସେ। ସ୍ୱାମୀଙ୍କଠାରୁ ସବୁ ସତକଥା ଜାଣି ସେ ଫେରିଯାଏ।

ଏଭଳି ସମୟରେ ଦିନେ ନନ୍ଦିନୀ ସୁଧୀରଙ୍କୁ ମଦ୍ୟପାନ କରାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖେ। ଏହି ଘଟଣାରେ କ୍ଷୁବ୍ଧ ହୁଅନ୍ତି ଶିଳ୍ପପତି ଓଁକାର ନାଥ। ସେ ସୁଧୀରଙ୍କ ନାଆଁରେ ବଳାତ୍କାର ମାମଲା ରୁଜୁ କରନ୍ତି। ତା’ପରେ ସୁଧୀର ଜେଲ୍ ଯାଆନ୍ତି।

ଏହାପରେ ନନ୍ଦିନୀ ସବୁ ସତ କଥା ଜାଣନ୍ତି ଯେ ସୁଧୀର ପ୍ରୀତମ୍ ନୁହଁନ୍ତି। ଏଣୁ ନନ୍ଦିନୀ ସୁଧୀରଙ୍କୁ ଜେଲରୁ ମୁକୁଳାଇବା ଲାଗି ପ୍ରୟାସ ଆରମ୍ଭ କରନ୍ତି। ନନ୍ଦିନୀ ବିଧବା ହୋଇ ରହନ୍ତି।

ଏଣେ ସୁଧୀର ଉପରେ ରାଗ ଶୁଝାଇବା ପାଇଁ ଶିଶିର ସନ୍ଧ୍ୟାଙ୍କୁ ବଳାତ୍କାର କରେ। ଏହା ପରେ କାଞ୍ଚନ ନିଜର ଭୁଲ୍ ବୁଝିପାରନ୍ତି ଓ ସେ ସନ୍ଧ୍ୟା ସହିତ ଶିଶିରକୁ ବାହା କରାଇବା ଠିକ୍ କରନ୍ତି।

ତେବେ ସନ୍ଧ୍ୟା କ’ଣ ଏଥିରେ ରାଜି ହୁଅନ୍ତି। ସେ କ’ଣ ସୁଧୀରଙ୍କୁ ଛାଡ଼ି ପାରିବେ। ତେଣେ ଓଁକାରନାଥ କ’ଣ ସୁଧୀରଙ୍କୁ କ୍ଷମା ଦିଅନ୍ତି? ଶିଶିର କ’ଣ ସନ୍ଧ୍ୟାକୁ ପତ୍ନୀ ରୂପେ ଗ୍ରହଣ କରିବାକୁ ରାଜି ହୁଏ।

ଅବଶେଷରେ ସୁଧୀର କାହାର ହୁଅନ୍ତି? ସନ୍ଧ୍ୟାର ନା ନନ୍ଦିନୀର? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ମିଳିଥାଏ ବହୁଚର୍ଚ୍ଚିତ ନାଟକ ‘ରାଜଧାନୀ ଝିଅ ରାଜନନ୍ଦିନୀ’ର ଶେଷ ଦୃଶ୍ୟରେ।

Comment