ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୫ ସୁଦ୍ଧା ଆଦର୍ଶ ଥାନାର ଚୂଡ଼ାନ୍ତ ରୂପରେଖ ଶେଷ କରିବାକୁ ପୋଲିସ ଡିଜି ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଦର୍ଶ ଥାନା। ରାଜ୍ୟବାସୀଙ୍କ ଆବଶ୍ୟକତା ପୂରା କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଆଦର୍ଶ ଥାନା ପ୍ରତିଷ୍ଠା ସମ୍ପର୍କରେ ଡିଜି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏସ୍‌ପିମାନଙ୍କ ସହ ଆଲୋଚନା କରିଛନ୍ତି।

ଆଦର୍ଶ ଥାନା ପାଇଁ ସବୁ ଥାନାର ନବୀକରଣ, ଥାନା ପରିସରକୁ ସୌନ୍ଦର୍ଯ୍ୟକରଣ, ସିସିଟିଭି, ଅନୁସନ୍ଧାନ କେନ୍ଦ୍ର ସହ ମହିଳା ଏବଂ ଶିଶୁ ଡେସ୍କ ଭଳି ଭଲ କନଫରେନ୍ସ ରୁମ୍ ରହିବ ବୋଲି ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ଡିଜି।

ପ୍ରତି ଜିଲ୍ଲାରେ ଆଦର୍ଶ ଥାନା ପ୍ରତିଷ୍ଠା କରିବା ପାଇଁ ଏସ୍‌ପିମାନଙ୍କୁ ଆହ୍ବାନ ଦେଇଥିଲେ ପୋଲିସ ଡିଜି। ନିଜ ଜିଲ୍ଲାର ଗୋଟିଏ ଥାନାକୁ ଆଦର୍ଶ ଥାନା କରିବା ପାଇଁ ଏସ୍‌ପିମାନେ ପ୍ରସ୍ତାବ ଦେଇଥିଲେ। ଆଦର୍ଶ ଥାନାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଥାନାର ନବୀକରଣ ଏବଂ ଯାନବାହନ ଉପରେ ଦୃଷ୍ଟି ଦେବାକୁ ଏସ୍‌ପିମାନେ କହିଥିଲେ।

ପୋଲିସ ଡିଜି ଏସ୍‌ପିମାନଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଡିଜି କହିଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଆଦର୍ଶ ଥାନାର ଚୂଡ଼ାନ୍ତ ରୂପ ଶେଷ କରିବାକୁ ପୋଲିସ ଡିଜି ଲକ୍ଷ୍ୟ ରଖିଛନ୍ତି।

Comment