ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁର୍‌ ମନ୍ଦିର’ ପକ୍ଷରୁ ଆୟୋଜିତ ହୋଇଥିବା ରଜ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। କଟକ ଶହିଦ ଭବନଠାରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିଥିଲା।

ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ଅଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ବିଜୟ କୁମାର ଜେନା, ପୂର୍ବତନ ରୋଟାରିଆନ ଗଭର୍ଣ୍ଣର ରବି ନାରାୟଣ ନନ୍ଦ, ସମାଜସେବା ଡକ୍ଟର ରିନା ରାଉତରାୟ, ସୁର ମନ୍ଦିର ସମ୍ପାଦିକା ଜ୍ୟୋସ୍ନା ସାହୁ, ମହୋତ୍ସବର ନିର୍ଦ୍ଦେଶକ ହିମାଂଶୁ ପରିଜା ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶାର ପ୍ରାଚୀନ ଓ ଲୋକପ୍ରିୟ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇବା ସହ ଆଜିର ଯୁବପିଢିଙ୍କ ମଧ୍ୟରେ ତା’ର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଏହି ମହୋତ୍ସବ ୧୮ ବର୍ଷ ଧରି ଆୟୋଜନ କରାଯାଇ ଆସୁଛି।

ଉଦଯାପନୀ ସନ୍ଧ୍ୟାରେ ପ୍ରଥମେ ରଜ ଗୀତ ‘ଦୋଳିରେ ଦୋଳି’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ସୁର ମନ୍ଦିରର କଳାକାର। ପରେ ଗୁରୁ ଜ୍ୟୋସ୍ନା ସାହୁ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସୁର୍ ମନ୍ଦିର କଳାକାରମାନେ ‘ଶିବାୟ’ ନୃତ୍ୟ ପରିବେଷଣ କରାଯାଇଥିଲା।

କୋଲକାତାରୁ ଆସିଥିବା ସିଞ୍ଜନ ନୃତ୍ୟାଳୟ ପକ୍ଷରୁ ପରିବେଷଣ କରାଯାଇଥିବା ଓଡ଼ିଶୀ, ଗୁରୁ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତି ଏବଂ ଆର୍ଟ ଭିଜନ କଳାକାରମାନଙ୍କ ପକ୍ଷରୁ ପରିବେଷଣ କରାଯାଇଥିବା ‘ଅକ୍ଷର’ ନୃତ୍ୟନାଟିକାରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ।

ଶେଷରେ ଗୁରୁ ରଶ୍ମିରେଖା ଦାସ ଏବଂ ସାଥି ପରିବେଷଣ କରିଥିଲେ ‘ସର୍ବ ମଙ୍ଗଳ ହୁଅନ୍ତୁ’।

“ଆଧୁନିକତାର ଛାପରେ ରଜ ପର୍ବ ଦିନକୁ ଦିନ ହଜି ଯାଉଛି। ଏଣୁ ଏହି ପର୍ବକୁ ବଞ୍ଚାଇ ରଖିବା ପାଇଁ ସୁର ମନ୍ଦିର ପ୍ରାୟସ ଜାରି ରଖିଛି”, କହିଛନ୍ତି ହିମାଂଶୁ ପରିଜା।

ଏହି ଅବସରରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଆଲୋକା କାନୁନଗୋ ଏବଂ ଇଲିଆନା ଚିତାରିସ୍ତଙ୍କୁ ନୃତ୍ୟରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

“୧୮ ବର୍ଷ ହେଲା ଆମେ ରଜ ପର୍ବ ପାଳନ କରିଆସୁଛୁ। ପୂରା କଟକୀ ଢାଞ୍ଚାରେ ଏହି ପର୍ବ ପାଳନ କରାଯାଉଛି। ଆଗକୁ ମଧ୍ୟ ଆମର ପ୍ରୟାସ ଜାରି ରହିବ। ରଜ ପର୍ବ ସମ୍ପର୍କରେ ଓଡ଼ିଶା ବାହାରେ ଲୋକଙ୍କୁ ଅବଗତ କରିବା ପାଇଁ ‘ସୁର୍ ମନ୍ଦିର’ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ସୁର୍ ମନ୍ଦିର ସମ୍ପାଦିକା ଜ୍ୟୋସ୍ନା ସାହୁ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୀତିକାର ବିଜୟ ମଲ୍ଲ। ସହଯୋଗ କରିଥିଲେ ହିମାଳୟ ପୃଷ୍ଟି, ସଞ୍ଜୀବ ଚକ୍ରବର୍ତ୍ତୀ, ଦିବ୍ୟଦର୍ଶନ ମହାନ୍ତି, ବିଶ୍ୱଭୂଷଣ ପରିଜା ଏବଂ ସୌମ୍ୟ ଭଗତ।

ଚଳିତବର୍ଷ ଓଡ଼ିଶାଲାଇଭ୍‌ ସୁର ମନ୍ଦିରର ରଜ ମହୋତ୍ସବରେ ଡିଜିଟାଲ ମିଡିଆ ପାର୍ଟନର୍ ଭାବେ ଯୋଡି ହୋଇଛି। ‘ସୁର ମନ୍ଦିର’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଭିଡିଓ ଆଗାମୀ ଦିନରେ ଓଡ଼ିଶାଲାଇଭର ୟୁଟ୍ୟୁବ ଏବଂ ଅନ୍ୟ ଚ୍ୟାନେଲରେ ସ୍ଥାନ ପାଇବ।

Comment