ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଡଙ୍ଗାବୁଡ଼ି ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟ

ହସଖୁସିର ପରିବାରକୁ ଛାରଖାର କରିଦେଇଛି ଚିଲିକା। ଡଙ୍ଗାବୁଡ଼ି ଘଟଣାରେ ସ୍ତ୍ରୀ ଏବଂ ଝିଅର ମୃତ୍ୟୁକୁ ଅତି ପାଖରୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ନୟାଗଡ଼ ରଣପୁରର ରବି ନାରାୟଣ ଦାସ।

“ମୋ ଝିଅ ଥିଲା ମୋ ପାଇଁ ସବୁକିଛି। ତା’ ଆଖିରେ ମୁଁ ଦୁନିଆ ଦେଖୁଥିଲି। ତାକୁ ସବୁବେଳେ ଖୁସି ଦେବା ପାଇଁ ସେ ଯେତେବେଳେ ଯାହା ମାଗିଛି ମୁଁ ଆଣି ଦେଇଛି। ହେଲେ ସେ ଆଜି ମୋତେ ଛାଡ଼ି ଚାଲିଯାଇଛି। ଚିଲିକା ମୋ ସ୍ତ୍ରୀ ଏବଂ ଝିଅକୁ ଛଡ଼ାଇ ନେଇଛି। ମୁଁ ହେଉଛି ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏ ନିଜ ସ୍ତ୍ରୀ ଏବଂ ଝିଅର ମୃତ୍ୟୁକୁ ନିଜ ଆଖିରେ ଦେଖିଛି”, କାନ୍ଦି କାନ୍ଦି ଚିଲିକା ଡଙ୍ଗାବୁଡ଼ି ଟ୍ରାଜେଡି ବିଷୟରେ ବର୍ଣ୍ଣନା କରିଛନ୍ତି ରବି ନାରାୟଣ ଦାସ।

ରବି ନାରାୟଣ ଦାସଙ୍କ ଘର ହେଉଛି ନୟାଗଡ଼ ରଣପୁର ଅଞ୍ଚଳରେ। ସେ ତାଙ୍କ ଝିଅ ଶ୍ରଦ୍ଧାଞ୍ଜଳି ଦାସ ଏବଂ ସ୍ତ୍ରୀ ପ୍ରମୋଦିନୀଙ୍କୁ ନେଇ ଭୁବନେଶ୍ୱରରେ ରହୁଥିଲେ। ଝିଅ ଶ୍ରଦ୍ଧାଞ୍ଜଳି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ।

ରଜ ଛୁଟି ଥିବାରୁ ରବିନାରାୟଣଙ୍କ ସାଙ୍ଗମାନେ ଉଗ୍ରତାରା ଯିବା ପାଇଁ ପ୍ଲାନିଂ କରିଥିଲେ। ସାଙ୍ଗମାନଙ୍କ ପରିବାର ସହ ରବି, ଝିଅ ଶ୍ରଦ୍ଧାଞ୍ଜଳି ଏବଂ ପ୍ରମୋଦିନୀ ମଧ୍ୟ ପିକ୍‌ନିକ୍ କରିବାକୁ ଉଗ୍ରତାରା ଯାଇଥିଲେ।

ଉଗ୍ରତାରାରେ ବୁଲାବୁଲି ସରିବା ବେଳକୁ ୪ଟା ବାଜି ସାରିଥିଲା। ହଠାତ୍ ସାଙ୍ଗମାନେ କାଳିଜାଈ ଯିବା ପାଇଁ ପ୍ଲାନିଂ କରିଥିଲେ। ହେଲେ କାଳିଜାଈ ଯିବା ପାଇଁ ରବି ରାଜି ହେଉ ନଥିଲେ। ସାଙ୍ଗମାନେ ବାଧ୍ୟ କରିବାରୁ ରବି ତାଙ୍କ ପରିବାକୁ ନେଇ ବାଲୁଗାଁରୁ ଡଙ୍ଗାରେ କାଳିଜାଈ ଯାଇଥିଲେ। କିନ୍ତୁ ଫେରିବା ବେଳକୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା।

ଚିଲିକା ମଝିରେ ଝଡ଼ତୋଫାନ ହେବାରୁ ନିଜ ଆଖି ସାମ୍ନାରେ ଝିଅ ଶ୍ରଦ୍ଧାଞ୍ଜଳି ଏବଂ ସ୍ତ୍ରୀ ପ୍ରମୋଦିନୀଙ୍କୁ ହରାଇଥିଲେ ରବି। ବଞ୍ଚାଇବାକୁ ଚାହିଁଥିଲେ ବି ରବି ଉପାୟଶୂନ୍ୟ ହୋଇଯାଇଥିଲେ।

“ପବନ ଆସି ଡଙ୍ଗାରେ ଜୋର୍‌ରେ ମାଡ଼ ହୋଇଥିଲା। ଫଳରେ ଡଙ୍ଗାର ସାମ୍ନା ଭାଗଟି ପ୍ରଥମେ ପାଣି ବୁଡ଼ିଯାଇଥିଲା। ଡଙ୍ଗାରେ ପାଣି ପଶିଯାଇଥିଲା। ଡଙ୍ଗାରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ମୁଁ ମୋ ସ୍ତ୍ରୀ ଏବଂ ଝିଅଙ୍କୁ ଖୋଜିଲି। ଡଙ୍ଗାର ଗୋଟିଏ କୋଣରେ ପଲିଥିନ ତଳେ ଝିଅ ପଡ଼ିଥିବା ଦେଖି ତାକୁ ମୁଁ ମୋ କାନ୍ଧକୁ ଆଣିଥିଲି। ହେଲେ ସେ ସେତେବେଳକୁ ଶୋଇ ଯାଇଥିଲା। ଝିଅକୁ କାନ୍ଧରେ ପକାଇ ଡଙ୍ଗାର ଗୋଟିଏ କୋଣକୁ ଧରି ମୁଁ ପାଣିରେ ପହଁରିବାକୁ ଲାଗିଲି”, କହିଛନ୍ତି ରବି।

ରବି ସେଦିନର ଦୁଃଖଦ ଘଟଣାକୁ ମନେପକାଇ ଆହୁରି କହିଛନ୍ତି ଯେ ଝିଅକୁ ସିନା ପାଇଗଲି। ହେଲେ ସ୍ତ୍ରୀ ପ୍ରମୋଦିନୀକୁ ମୁଁ ହଠାତ୍ ପାଇଲି ନାହିଁ। ଅନ୍ୟ ଯାତ୍ରୀଙ୍କ ମେଳରେ ସେ ପାଣିରେ ବୁଡ଼ି ଯାଉଥିବା ଦେଖିଲି। କିନ୍ତୁ ତାକୁ ବଞ୍ଚାଇ ପାରିଲି ନାହିଁ।

ଅଧଘଣ୍ଟା ପରେ ଆଉ ଏକ ଯାତ୍ରୀବାହୀ ବୋଟ୍ ସେହି ବାଟ ଦେଇ ଯାଉଥିଲା। କିଛି ମତ୍ସ୍ୟଜୀବୀ ଆସି ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଲାଗିଲେ। ଏହି ସମୟରେ ଜଣେ ଅନ୍ୟ ଡଙ୍ଗାରେ ଥିବା ଜଣେ ଯାତ୍ରୀ ମୋ କାନ୍ଧରୁ ଝିଅକୁ ତାଙ୍କ ପାଖକୁ ନେଇଗଲେ। ମୁଁ ମଧ୍ୟ ସେହି ଡଙ୍ଗାକୁ ଚଢ଼ିଗଲି। ଡଙ୍ଗାଟି ବରକୂଳ ଘାଟରେ ଲାଗିଲା। ଝିଅକୁ ନେଇ ମୁଁ ବାଲୁଗାଁ ମେଡିକାଲକୁ ଦୌଡ଼ିଲି। କିନ୍ତୁ ଡାକ୍ତର ସେଠାରେ ଝିଅକୁ ମୃତ ଘୋଷଣା କରିଥିଲେ।

କିଛି ସମୟ ପରେ ଆଉ ଗୋଟିଏ ଡଙ୍ଗାରେ ଅଚେତ ଅବସ୍ଥାରେ ଆଉ କିଛି ଯାତ୍ରୀ ବାଲୁଗାଁ ମେଡିକାଲରେ ପହଞ୍ଚିଥିଲେ। ସେମାନଙ୍କ ଗହଣରେ ମୋ ସ୍ତ୍ରୀଙ୍କୁ ଦେଖିବାକୁ ପାଇଲି। ହେଲେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

Comment