ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକିର ହକ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିଲେ ଚିଠି। ହେଲେ ହକ୍ ଦେବା ବଦଳରେ କେନ୍ଦ୍ର ନବୀନଙ୍କ ଦାବିକୁ ବାଏଁ ବାଏଁ ଉଡ଼ାଇ ଦେଇଛି।

ପୁଣିଥରେ କେନ୍ଦ୍ର ଏବଂ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ବିଗତ ଦିନରେ ମହାନଦୀ, ପୋଲାଭରମ୍ ଏବଂ ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତୁ ତୁ ମେମେ ଚାଲିଥିବା ବେଳେ ଏବେ ହକି ଖେଳକୁ ନେଇ ବିବାଦ ତେଜିଛି।

ହକିର ହକ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବିକୁ କେନ୍ଦ୍ର ବାଏଁ ବାଏଁ ଉଡ଼ାଇ ଦେଇଛି।

ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଥିଲେ। ହକିକୁ ଏଯାଏଁ କାହିଁକି ଜାତୀୟ କ୍ରୀଡ଼ା ଭାବେ ବିଧିବଦ୍ଧ ମାନ୍ୟତା ଦିଆଯାଇ ନାହିଁ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ।

ନବୀନ ଚିଠିରେ ଲେଖିଥିଲେ ଯେ ୧୯୮୦ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତୀୟ ହକି ଉତ୍ତମ ପ୍ରଦର୍ଶନ ଦ୍ୱାରା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଥିଲା। କୋଟି କୋଟି ଭାରତୀୟଙ୍କ ଆତ୍ମାରେ ହକି ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜିବି ଦେଶର ବିଭିନ୍ନ ରାଜ୍ୟରେ ହକି ଖେଳ ବେଶ୍ ଲୋକପ୍ରିୟ। ବିଶେଷକରି ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡର ଗ୍ରାମାଞ୍ଚଳରେ ହକି ଖେଳର ପ୍ରାଧାନ୍ୟ ରହିଛି। ଏଣୁ ହକିକୁ ଜାତୀୟ ଖେଳ ଭାବେ ବିଧିବଦ୍ଧ ମାନ୍ୟତା ଦେବାକୁ ଚିଠିରେ ଦର୍ଶାଇଥିଲେ ନବୀନ।

ନବୀନ ଚିଠି ଲେଖିବାର ଦିନକ ପରେ ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର। ନବୀନଙ୍କ ଦାବିକୁ ସେ ସିଧାସଳଖ ଅଗ୍ରାହ୍ୟ କରିଦେଇଛନ୍ତି।

“ହକି ହେଉଛି ଆମର ଜାତୀୟ ଖେଳ। ଏହା ସମସ୍ତେ ଜାଣିଛନ୍ତି। ହକିକୁ ଭଲ ପାଉଛନ୍ତି। ହକିକୁ ଦେଶରେ ପ୍ରାଥମିକତା ଦିଆଯାଉଛି। ଜାତୀୟ ଖେଳର ମାନ୍ୟତା ମିଳୁ କି ନମିଳୁ ହକିକୁ ଭଲପାଇବା ଲୋକଙ୍କ ଉପରେ ଛାଡ଼ି ଦେଉଛି। ହକିକୁ ସମସ୍ତଙ୍କର ଭଲ ପାଇବା ଜାରି ରହୁ”, କହିଛନ୍ତି ରାଜ୍ୟ ବର୍ଦ୍ଧନ ସିଂହ ରାଠୋର।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି। ପୁଣି ଥରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟି ହକିକୁ ଜାତୀୟ ମାନ୍ୟତା ଦେବା ପାଇଁ ଦାବି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ହକି ଖେଳ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି। ଖେଳ ଓ ଖେଳାଳୀଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିବା ଦରକାର। ଏହାକୁ ଜାତୀୟ ଖେଳର ମାନ୍ୟତା ଦେବା ପାଇଁ ମୁଁ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବି।”

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ହକିକୁ ଜାତୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କର ମାନସିକତା ନାହିଁ। ବିଜେପି ନେତାମାନେ ଦେଶଭକ୍ତିର କଥା କହୁଛନ୍ତି। ହେଲେ ଜାତୀୟ ଖେଳକୁ ପ୍ରୋତ୍ସାହିତ କରୁ ନାହାନ୍ତି। ଖେଳ ପ୍ରତି କେନ୍ଦ୍ରର ଆନ୍ତରିକତା କେତେ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ନଭେମ୍ବର ଶେଷ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍। ଏହାକୁ ସଫଳତା କରିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ହକିର ପ୍ରାୟୋଜକ ମଧ୍ୟ ରହିଛି ଓଡ଼ିଶା। ଭାରତୀୟ ହକି ଟିମ୍‌ର ଜର୍ସି ଉନ୍ମୋଚନ ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ନଦେବାକୁ ନେଇ ରାଜନୀତି ତେଜିଛି।

Comment