ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ ସୁବ୍ରମଣ୍ୟମ। ଯଦିଓ ପାରିବାରିକ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କିନ୍ତୁ ତାଙ୍କ ଇସ୍ତଫା ପଛରେ ପ୍ରକୃତ ରହସ୍ୟ କ’ଣ ରହିଛି ତାହା ପଦାକୁ ଆସିନି।

ମୋଦି ସରକାରଙ୍କ ୪ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅରବିନ୍ଦ ସୁବ୍ରମଣ୍ୟମଙ୍କ ପୂର୍ବରୁ ଆଉ ତିନି ବଡ଼ ଅଧିକାରୀ ମଧ୍ୟ ହଠାତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତୁ ଜାଣିବା ସେହି ଅଧିକାରୀଙ୍କ ସମ୍ପର୍କରେ…

ଅରବିନ୍ଦ ସୁବ୍ରମଣ୍ୟମ

ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଅରବିନ୍ଦ ସୁବ୍ରମଣ୍ୟମ ପାରିବାରିକ କାମରେ କିଛିଦିନ ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି ସେଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଜେଟଲୀ ପ୍ରକାଶ କରିଛନ୍ତି।

ଅରବିନ୍ଦ ସୁବ୍ରମଣ୍ୟମ ୧୬ ଅକ୍ଟୋବର ୨୦୧୪ରୁ ନରେନ୍ଦ୍ର ମୋଦି ସରକାରଙ୍କ ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଅର୍ଥମନ୍ତ୍ରୀ ତାଙ୍କୁ ଆଗକୁ ମଧ୍ୟ ଏହି ପଦରେ ରଖିବାକୁ ଚାହୁଁଥିଲେ। କିନ୍ତୁ ପାରିବାରିକ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଅରବିନ୍ଦ ପନଗରିଆ

ଗତବର୍ଷ ଅରବିନ୍ଦ ପନଗରିଆ ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫାର କାରଣ ଥିଲା ସେ କଲମ୍ବିଆ ଯୁନିଭରସିଟିକୁ ପୁଣି ଥରେ ଫେରି ଅଧ୍ୟାପନା କରିବାକୁ ଚାହୁଁଥିଲେ। ଅରବିନ୍ଦ ପନଗରିଆ ଅଢ଼େଇବର୍ଷ ଧରି ନୀତି ଆୟୋର ଉପାଧ୍ୟକ୍ଷ ପଦରେ ରହିଥିଲେ।

ରଘୁରାମ ରାଜନ

ଜୁନ ୨୦୧୬ରେ ରିଜର୍ଭ ବ୍ୟାଙ୍କର ତତ୍କାଳିନ ଗଭର୍ଣ୍ଣର ରଘୁରାମ ରାଜନ କେନ୍ଦ୍ର ବ୍ୟାଙ୍କ୍ କର୍ମଚାରୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ସେ ଲେଖିଥିଲେ ଡିସେମ୍ବରରେ କାର୍ଯ୍ୟକାଳରେ ସମାପ୍ତ ହେବା ପରେ ପୁଣି ଅଧ୍ୟାପନା କ୍ଷେତ୍ରକୁ ଫେରିବାକୁ ଚାହୁଁଛନ୍ତି। ଡିସେମ୍ବରରେ ରଘୁରାମ ରାଜନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସରକାରଙ୍କ ପକ୍ଷରୁ ପୁଣି ଥରେ ତାଙ୍କ କାର୍ଯ୍ୟକାଳ ବଢ଼ାନଯିବାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲା।

ବିଜୟଲକ୍ଷ୍ମୀ ଯୋଶୀ

ସ୍ଵଚ୍ଛ ଭାରତ ଅଭିଯାନ ଘୋଷଣା ହେବା ଗୋଟିଏ ବର୍ଷ ପୂରିନଥିଲା, ଏହି ଅଭିଯାନର ପ୍ରମୁଖ ବିଜୟଲକ୍ଷ୍ମୀ ଯୋଶୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ବିଜୟଲକ୍ଷ୍ମୀ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ। ୧୯୮୦ମସିହା ବ୍ୟାଚର ଆଇଏଏସ ବିଜୟଲକ୍ଷ୍ମୀ ନିଜର କାର୍ଯ୍ୟ ସ୍ଵେଚ୍ଛାକୃତ ଅବସର ମାଗିଥିଲେ। ତାଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ସହଜରେ ଗ୍ରହଣ ମଧ୍ୟ କରିନେଇଥିଲେ।

Comment