ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୪ବର୍ଷର କାର୍ଯ୍ୟକାଳ ମଧ୍ୟରେ ୫୨ଟି ଦେଶ ଗସ୍ତ କରିଛନ୍ତି। ଏହିସବୁ ଗସ୍ତରେ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଛି ୩୫୫କୋଟି ୩୦ଲକ୍ଷ ୪୮ହଜାର ୪୬୫ ଟଙ୍କା।

ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବାର ୪୮ ମାସର ଶାସନକାଳ ମଧ୍ୟରେ ଏପର୍ଯ୍ୟନ୍ତ ୫୦ ଦେଶରୁ ଅଧିକ ୪୧ଟି ବିଦେଶ ଗସ୍ତ କରିସାରିଛନ୍ତି। ମୋଦିଙ୍କର ଏହି ବିଦେଶ ଗସ୍ତରେ ଏପର୍ଯ୍ୟନ୍ତ ପ୍ରାୟ ୩୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଗସ୍ତ ସମୟରେ ମୋଦି ପ୍ରାୟ ୧୬୫ ଦିନ ବିଦେଶରେ ବିତାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତକୁ ଦୃଷ୍ଟିରେ ରଖି ବେଙ୍ଗଳୁରୁର ଜଣେ ଆରଟିଆଇ କର୍ମକର୍ତ୍ତା ଭୀମାପ୍ପା ମୋଦିଙ୍କ ବିଦେଶ ଗସ୍ତ ବାବଦରେ ପୂରା ତଥ୍ୟ ମାଗିଥିଲେ। ଆରଟିଆଇରୁ ମିଳିଥିବା ରିପୋର୍ଟ ଅନୁସାରେ ମୋଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୧୬୫ ଦିନ ଦେଶ ବାହାରେ ରହିଛନ୍ତି।

ପ୍ରଧାନମନ୍ତ୍ରୀ ୪୧ଥର ବିଦେଶ ଯାତ୍ରାରେ ୫୨ଟି ଦେଶ ଗସ୍ତ କରିଛନ୍ତି। ୨୦୧୫ ଏପ୍ରିଲ ୯ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ମୋଦୀ ଫ୍ରାନ୍ସ, ଜର୍ମାନୀ ଓ କାନାଡା ତ୍ରିରାଷ୍ଟ୍ରୀୟ ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ସର୍ବାଧିକ ଅର୍ଥ ୩୧କୋଟି ୨୫ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

୨୦୧୪ ଜୁନ୍‍ ୧୫ ଓ ୧୬ ଦୁଇଦିନିଆ ଭୁଟାନ ଗସ୍ତରେ ସବୁଠାରୁ କମ୍‍ ୨କୋଟି ୪୫ଲକ୍ଷ ୨୭ହଜାର ୪୬୫ଟଙ୍କା ଖର୍ଚ୍ଚ ହୋଇଥିଲା।

ବେଙ୍ଗଳୁରୁର ସୂଚନା ଅଧିକାର କର୍ମୀ ଭୀମାପ୍ପା ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଜାଣି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ବୋଲି କହିଛନ୍ତି ଭୀମାପ୍ପା। ତେବେ ପ୍ରଧାନମନ୍ତ୍ରୀଙ୍କ ଘରୋଇ ଗସ୍ତ ବାବଦରେ ତାଙ୍କ କାର୍ଯ୍ୟାଳୟ କୌଣସି ସୂଚନା ଦେଇ ନାହିଁ।

ଏସପିଜି ଆରଟିଆଇ ପରିସରଭୁକ୍ତ ନୁହେଁ। ତେଣୁ ଏ ବାବଦରେ ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ପିଏମଓ କାର୍ଯ୍ୟକାଳ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏପର୍ଯ୍ୟନ୍ତ କେତେଥର ବିଦେଶ ଯାତ୍ରା କରିଛନ୍ତି ଏବଂ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀ ଅଫିସ (ପିଏମଓ)ର ୱେବସାଇଟରେ ଉପଲବ୍ଧ ହୋଇ ରହିଛି। ପିଏମଓ ୱେବସାଇଟ ଅନୁଯାୟୀ, ମୋଦି ଚାର୍ଟାର୍ଡ ଫ୍ଲାଇଟରେ ୩୦ ଥର ବିଦେଶ ଯାତ୍ରା କରିଛନ୍ତି ଏବଂ ଏହାର ପେମେଣ୍ଟ ମଧ୍ୟ କରାଯାଇଛି।

ଏଥିସହିତ ଚଳିତ ବର୍ଷ ଫେବୃଆରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ମୋଦି ୭ ଥର ବିଦେଶ ଯାତ୍ରା କରିଛନ୍ତି। କିନ୍ତୁ ସେହି ଗସ୍ତର ଖର୍ଚ୍ଚ ହିସାବ ହୋଇ ପାରିନାହିଁ। ମୋଦି ନିଜର ଶେଷ ୫ଟି ବିଦେଶ ଯାତ୍ରା ଭାରତୀୟ ବାୟୁସେନା(ବିବିଜେ) ଏୟାରକ୍ରାପ୍ଟଟରେ କରିଛନ୍ତି।

Comment