ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ଦୁଇ ବର୍ଷ ତଳେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ସୀମା ପାର ସର୍ଜିକାଲ ଷ୍ଟ୍ରାଇକ୍‍ର ଭିଡିଓକୁ ସରକାର ସାର୍ବଜନୀନ କରିଛନ୍ତି।

ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ଭିଡିଓ ସାମ୍ନାକୁ ଆସିଛି।

୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା।  ଏଲଓସି ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ।

ଏହି ସମୟରେ କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ଏବଂ ଡ୍ରୋନ୍ ଦ୍ୱାରା ସୁଟ୍ ହୋଇଥିଲା ଏହି ଭିଡିଓ। ସର୍ଜିକାଲ୍ ଷ୍ଟ୍ରାଇଲ୍ ବେଳେ ଯବାନ କିପରି ଆତଙ୍କବାଦୀ ଶିବିର ଠାବ କରିଥିଲେ, କେମିତି ତାକୁ ଧ୍ୱଂସ କରାଯାଇଥିଲା, ସେସବୁ ଦୃଶ୍ୟ ଏହି ଭିଡିଓରେ ଅଛି।

ତେବେ ଏହି ଭିଡିଓ ସଂପର୍କରେ ଭାରତୀୟ ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଜାତୀୟ ଗଣମାଧ୍ୟମରେ ଭିଡିଓ ପ୍ରସାରଣ ପରେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେନାର ବଳିଦାନକୁ ନେଇ ମୋଦି ସରକାର ରାଜନୀତି କରୁଥିବା ଅଭିଯୋଗ କରିଛି କଂଗ୍ରେସ।

ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୨୦୧୬ ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନା ସୀମା ପାର କରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‍ କରିଥିଲା।

ଭାରତୀୟ ସେନା ପିଓକେର ଥିବା ଅନେକ ପାକିସ୍ତାନୀ ଆତଙ୍କବାଦ ବଙ୍କରକୁ ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେହି ସମୟରେ ଯବାନଙ୍କ ହେଲମେଟ୍‍ ଉପରେ ଲାଗିଥିବା କ୍ୟାମେରା ଓ ଡ୍ରୋନ୍‍ ଯୋଗେ ସମ୍ପୂର୍ଣ୍ଣ ଅଭିଯାନର ଭିଡ଼ିଓ ଚିତ୍ର ଉତ୍ତୋଳନ କରାଯାଇଥିଲା। ଏହି ଭିଡ଼ିଓ ଚିତ୍ରକୁ ସେତେବେଳେ ପ୍ରଘଟ କରାଯାଇନଥିଲା।

ଏବେ ସରକାର ଏହି ଭିଡ଼ିଓ ଚିତ୍ରକୁ ଜାରି କରିଛନ୍ତି। ଏଥିରେ ଭାରତୀୟ ସେନା ଯବାନମାନେ କିପରି ଗୁଳି ମାଡ଼ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରୁଛନ୍ତି ତାହା ଦେଖିବାକୁ ମିଳିଛି।

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ତତ୍‌କାଳୀନ ସେନା ମୁଖ୍ୟ ଜେନେରାଲ୍‌ ଦଲବୀର ସିଂହ ନୂଆଦିଲ୍ଲୀରୁ ଉକ୍ତ ଅଭିଯାନକୁ ମନିଟର୍‌ କରୁଥିଲେ।

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଘୋଷିତ ହେବା ପରେ ନିରାପତ୍ତା ସମ୍ବନ୍ଧରେ କ୍ୟାବିନେଟ୍‌ କମିଟିର ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ। ଏହା ପରେ ସେ ସର୍ବଦଳୀୟ ବୈଠକ ଡାକି ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସବୁ କଥା ଅବଗତ କରାଇଥିଲେ।

Comment