ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଢ଼ିଲା ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି। ସବର୍ଣ୍ଣ ହିନ୍ଦୁ ଏବଂ ଅନୁସୂଚିତ ଜାତି ହିନ୍ଦୁଙ୍କ ମଧ୍ୟରେ ବିବାହ ହେଲେ ଏଣିକି ଅଢ଼େଇ ଲକ୍ଷ ଟଙ୍କା ମିଳିବ। ଏହି ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ଥିଲା ୧ ଲକ୍ଷ ଟଙ୍କା। ଏହି ରାଶି ଗ୍ରହଣ ନିମନ୍ତେ ଆୟର ସୀମା ରଖାଯାଇ ନାହିଁ। ପୂର୍ବରୁ ଦରଖାସ୍ତ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ବଳବତ୍ତର ରହିଛି।

ଏହି ବର୍ଦ୍ଧିତ ଅର୍ଥରାଶି ୨୦୧୭ ସେପ୍ଟେମ୍ବର ୧୪ରୁ ପିଛିଲା ଭାବେ ଲାଗୁ ହେବ। ଏନେଇ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି।

ଏହି ପ୍ରୋତ୍ସାହନ ରାଶି ପାଇବା ପାଇଁ ଜାତୀୟ ବ୍ୟାଙ୍କରେ ଦମ୍ପତ୍ତିଙ୍କର ଯୁଗ୍ମ ଆକାଉଣ୍ଟ ଖୋଲାଯିବ। ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା ହେବ। ଅର୍ଥରାଶିକୁ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରୁ ଉଠାଣ କରିହେବ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାର ୫୪୩ ହିତାଧିକାରୀ ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି। ମୋଟ ୨ କୋଟି ୬୫ ଲକ୍ଷ ୩୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଗତ ୫ ବର୍ଷରେ ମୋଟ ୩ ହଜାର ୮୦୦ ଦମ୍ପତ୍ତି ଉପକୃତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାର ଦମ୍ପତ୍ତି ସବୁଠୁ ଅଧିକ ଉପକୃତ ହୋଇଥିବା ବେଳେ ଦ୍ୱିତୀୟରେ କଟକ ଏବଂ ତୃତୀୟରେ ଜଗତସିଂହପୁର ଜିଲ୍ଲାର ହିତାଧିକାରୀ ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଉପକୃତ ହୋଇଛନ୍ତି।

Comment