ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଯଦି ୨୦୧୯ରେ ନିର୍ବାଚିତ ହେବ ତେବେ ଭାରତ ‘ହିନ୍ଦୁ ପାକିସ୍ତାନ’ ହୋଇଯିବ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଶଶି ଥରୁର।

କଂଗ୍ରେସ ନେତା ଶଶି ଥରୁରଙ୍କ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ୨୦୧୯ରେ ବିଜେପି ଯଦି ସରକାରକୁ ଆସିଲେ ଭାରତ ହେବ ‘ହିନ୍ଦୁ ପାକିସ୍ତାନ’ ବୋଲି କହିଛନ୍ତି ଶଶି ଥରରୁ।

କେରଳର ତିରୁବନନ୍ତପୁରମଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଥରୁର କହିଛନ୍ତି, “ଯଦି ଭାରତୀୟ ଜନତା ପାର୍ଟି ୨୦୧୯ ଲୋକସଭା ନିର୍ବାଚନ ଜିତେ। ଏହା ‘ହିନ୍ଦୁ ପାକିସ୍ତାନ’ ଗଠନ ନିମନ୍ତେ ବାଟ କଢ଼େଇବା ପରିସ୍ଥିତି ସୃଷ୍ଟି କରିବ। ବିଜେପି ଗୋଟାଏ ନୂଆ ସମ୍ବିଧାନ ଗଢ଼ିବ ଯାହା ପାକିସ୍ତାନ ଭଳି ଦେଶ ଗଠନ ପାଇଁ ବାଟ ଫିଟାଇବ। ଯେଉଁଠି ସଂଖ୍ୟାଲଘୁମାନଙ୍କ ଅଧିକାରକୁ ସମ୍ମାନ ମିଳିବ ନାହିଁ।”

ଥରରୁ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ବିଜେପି ସରକାରକୁ ଆସିଲେ ଗଣତାନ୍ତ୍ରିକ ସମ୍ପିଧାନ ଆଉ ତିଷ୍ଠିବ ନାହିଁ। ସେମାନେ ଯାହା ଆବଶ୍ୟକ କରିବେ ତାହା ଭାରତୀୟ ସମ୍ବିଧାନରୁ ଫାଡ଼ି ନେବା ପରେ ଗୋଟାଏ ନୂଆ ସମ୍ବିଧାନ ଲେଖିବେ ବୋଲି କହି । ନୂଆ ସମ୍ବିଧାନଟି ହିନ୍ଦୁ ରାଷ୍ଟ୍ରର ନୀତି ବହନ କରିବ। ତାହା ସଂଖ୍ୟାଲଘୁମାନଙ୍କ ପାଇଁ ସମାନତା ଉଠାଇ ଦେବ। ତାହା ଗଠନ କରିବ ହିନ୍ଦୁ ପାକିସ୍ତାନ”।

ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, “ଶଶି ଥରୁର ଯାହା କହିଲେ ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କ୍ଷମା ମାଗିବା ଉଚିତ। ପାକିସ୍ତାନର ଗଠଡ଼ ପାଇଁ କଂଗ୍ରେସ ଦାୟୀ। ଏହା ପରେ ବି କଂଗ୍ରେସ ଭାରତକୁ ଅପମାନିତ କରି ହିନ୍ଦୁମାନଙ୍କୁ ବଦନାମ କରିବାରେ ପଛାଉ ନାହିଁ।”

Comment