ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମାରିଅମ ଶୁକ୍ରବାର ସ୍ୱଦେଶ ଫେରୁଛନ୍ତି। ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯିବ।

ବହୁ ଚର୍ଚ୍ଚିତ ଆଭେନ୍‍ଫିଲ୍ଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏନ୍‍ଏବି ଅଦାଲତ ଦ୍ୱାରା ଜେଲ ଦଣ୍ଡ ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମାରିଅମ ଶୁକ୍ରବାର ସ୍ୱଦେଶ ଫେରୁଛନ୍ତି।

ଲାହୋର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯିବ। ତାଙ୍କ ଗିରଫଦାରୀ ପାଇଁ ପାକିସ୍ତାନରେ ପ୍ରସ୍ତୁତି ଶେଷ ହୋଇଛି।

ଆଭେନ୍‍ଫିଲ୍ଡ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ୧୦ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଥିବାବେଳେ ତାଙ୍କ ଝିଅ ମାରିଅମ ୭ବର୍ଷ ଓ ଜ୍ୱାଇଁ କ୍ୟାପ୍‍ଟେନ୍‍ ସଫଦରଙ୍କୁ ବର୍ଷେ ଜେଲ୍‍ ଦଣ୍ଡାଦେଶ ହୋଇଛି। ଶୁଣାଣି ବେଳେ ସେ ପତ୍ନୀର ଚିକିତ୍ସା ନିମନ୍ତେ ଲଣ୍ଡନରେ ଥିଲେ।

ଶୁକ୍ରବାର ସ୍ୱଦେଶ ଫେରିବାବେଳେ ବିମାନରେ ପାକିସ୍ତାନର ଇଣ୍ଟରନ୍ୟାସନାଲ ଦ ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ ନୱାଜ ସରିଫ।

ସେ କହିଛନ୍ତି, “ପାକିସ୍ତାନ ଫେରୁଥିବା ଶୁଣି ମୋ ଶତ୍ରୁମାନେ ଭୟଭୀତ ହୋଇ ପଡିଛନ୍ତି। ମୋ ସମର୍ଥକମାନେ ମୋତେ ବିଶ୍ୱାସ କରନ୍ତି। ମୁଁ ସମସ୍ତ ଦୁର୍ନୀତି ଅଭିଯୋଗରୁ ନିର୍ଦୋଷରେ ଖଲାସ ହେବି। ଲାହୋର ବିମାନ ବନ୍ଦରରେ ମୋର ୧୦,୦୦୦ ସମର୍ଥକ ପହଞ୍ଚିଛନ୍ତି। ସେମାନଙ୍କୁ ଅଟକାଇବାକୁ ପଞ୍ଜାବ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଲାହୋର ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି।”

ପାକିସ୍ତାନ ସରକାର ଲାହୋର ଏବଂ ଇସଲାମାବାଦଠାରେ ଦୁଇଟି ହେଲିକପ୍ଟର ପ୍ରସ୍ତୁତ କରି ରଖିଛନ୍ତି। ପହଞ୍ଚିବା ପରେ ଝିଅଙ୍କ ସହ ନୱାଜଙ୍କୁ ଗିରଫ କରି ଆକାଶ ମାର୍ଗରେ ରାୱଲପିଣ୍ଡିସ୍ଥିତ ଅଦିୟାଲା ଜେଲକୁ ନିଆଯିବ। ପରେ ଦୁହିଁଙ୍କ ମେଡିକାଲ ଟେଷ୍ଟ କରାଯିବ।

ଜୁଲାଇ ୬ରେ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଅଦାଲତ ଏହି ମାମଲାରେ ସରିଫଙ୍କ ସହ ଝିଅ, ଜ୍ୱାଇଁଙ୍କୁ ଜେଲଦଣ୍ଡ ଶୁଣାଇଥିଲେ।

Comment