ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଲୋକସଭାରେ ଆସ୍ଥା ଭୋଟ ବେଳେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

୧୫ ବର୍ଷ ପରେ ପୁଣିଥରେ ଏନଡିଏ ସରକାର ବିରୋଧରେ ସଂସଦରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୦୦୩ରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ୨୦୧୮ରେ ମୋଦି ସରକାରଙ୍କ ବିରୋଧରେ ଆସିଛି ସମାନ ନୋଟିସ୍।

ଏହି ଆସ୍ଥା ଭୋଟରେ ଯେଉଁ କିଛି ଆଞ୍ଚଳିକ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ବିଜେଡି ହେଉଛି ଅନ୍ୟତମ। ହେଲେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନଥିବାରୁ ଭୋଟିଂ ବେଳେ ଦଳ ସମଦୂରତ୍ୱ କାର୍ଡ ଖେଳିପାରେ ବୋଲି ରାଜନୀତି କରିଡ଼ରରେ ଆଲୋଚନା ହେଉଛି।

୧୭ ତାରିଖରେ ବାଚସ୍ପତି ସୁମିତ୍ରା ମହାଜନ ଟିଡିପି ଏବଂ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା ପରେ ବିଜେଡି ଉପରେ ସମସ୍ତଙ୍କ ନଜର ରହିଥିଲା। ଅନାସ୍ଥା ଭୋଟ ବେଳେ ଏହି ଦଳର ସାଂସଦମାନେ କାହାକୁ ସମର୍ଥନ କରିବେ ତାକୁନେଇ ଚର୍ଚ୍ଚା ଲାଗି ରହିଥିଲା। ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ବିଜେଡି ଆଜି ହୁଇପ୍ ଜାରି କରିଛି। ଦଳର ସମସ୍ତ ସାଂସଦ ଅନାସ୍ଥା ଭୋଟ ବେଳେ ଉପସ୍ଥିତ ରହିବେ ବୋଲି ଦଳ ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ବିଜେଡି ସାଂସଦମାନେ ଲୋକସଭାରେ ଉପସ୍ଥିତ ରହିବେ। ହେଲେ ସାଂସଦମାନେ କ’ଣ କରିବେ ତାହା ଅନାସ୍ଥା ଭୋଟ ବେଳେ ଗୃହ ଭିତରେ ସ୍ଥିର କରିବେ ବୋଲି ନୂଆଦିଲ୍ଲୀରେ ବିଜେଡି ସାଂସଦମାନଙ୍କ ବୈଠକରେ ଆଲୋଚନା ହେଉଛି।

ସଂପ୍ରାତିକ ରାଜନୀତିକ ପାଣିପାଗକୁ ଅନୁମାନ କରି କୁହାଯାଉଛି ଯେ ବିଜେଡି ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ କି ମୋଦି ସରକାରଙ୍କ ସପକ୍ଷରେ ଛିଡ଼ା ହେବନାହିଁ। ଭୋଟିଂ ବେଳେ ବିଜେଡି ସାଂସଦମାନେ ଗୃହରେ ଅନୁପସ୍ଥିତ ରହିପାରନ୍ତି ବୋଲି ରାଜନୀତି ପଣ୍ଡିତ ଆକଳନ କରୁଛନ୍ତି।

ରାଷ୍ଟ୍ରପ୍ରତି ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା ବିଜେଡି। ସେତେବେଳେ ଚର୍ଚ୍ଚା ହେଲା ଯେ ବିଜେଡି ବିଜେପି ଆଡ଼କୁ ଢଳୁଛି। କିନ୍ତୁ ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଗେମ୍‌ ପ୍ଲାନ ପରିବର୍ତ୍ତନ କରିଥିଲା। ବିଜେପି ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ ସମର୍ଥନ ନକରି ସ୍ୱାଧୀନ ପ୍ରାର୍ଥୀ ଗୋପାଳ ଗାନ୍ଧିଙ୍କୁ ସମର୍ଥନ କରିଥିଲା।

ସେହିପରି ବିଜେଡି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରାକରଣ ନୀତିକୁ ବିଜେଡି ସେତେବେଳେ ସମର୍ଥନ କରି ଚର୍ଚ୍ଚାରେ ରହିଥିଲା। କିନ୍ତୁ ପରବର୍ତ୍ତି ସମୟରେ ବିଜେପିର ଅନେକ ନିଷ୍ପତ୍ତିକୁ ବିଜେଡି ବିରୋଧ କରିଥିଲା।

ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଅଗ୍ନି ପରୀକ୍ଷା ଦେବାକୁ ଯାଉଛନ୍ତି। ଏହି ପରୀକ୍ଷା ହିଁ କହିବ ମିଳିତ ବିରୋଧୀ ମଞ୍ଚ ଏବଂ ମୋଦି ସରକାରଙ୍କର ସାମର୍ଥ୍ୟ କେତେ। ଏପଟେ ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଜେପି-ବିଜେଡି ଛକାଛକି ପରିସ୍ଥିତିରେ ରହିଛନ୍ତି। ଏଣୁ ଅନାସ୍ଥା ଭୋଟରେ ବିଜେଡି ବିଜେପିକୁ ସମର୍ଥନ କରିନପାରେ। ଯଦି ସମର୍ଥନ କରିଦିଏ ତହାଲେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡ଼ିବାର ଅନେକ ସମ୍ଭାବନା ରହିଛି।

ସେହିପରି ଯଦି ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିଜେଡି ରୁହେ ତାହାଲେ ଏକ ବଡ଼ ବାର୍ତ୍ତା ଯିବ ଯେ କଂଗେଅସ ଆଡ଼କୁ ବିଜେଡି ଢଳୁଛି। କାରଣ ୧୮ ବର୍ଷ ହେଲା ବିଜେଡି କଂଗ୍ରେସ ସହ ସିଧାସଳଖ ଲଢ଼େଇ କରି ଆସୁଛି। ଏଣୁ ବିଜେଡି ୨୦୧୪ ଆରମ୍ଭରୁ ଯେଉଁ ମନ୍ତ୍ର (ସମଦୂରତ୍ୱ) ଜପି ଆସୁଥିଲା ତାହାକୁ ଅନାସ୍ଥା ଭୋଟ ବେଳେ ଜପିବ ବୋଲି ଚର୍ଚ୍ଚା ହେଉଛି।

Comment