ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳିବେନି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ବିଜେପି ପ୍ରଭାରୀ ଅରୁଣ ସିଂ ଏହା ସ୍ପଷ୍ଟ କରିବା ସହ ବିଜେଡି ଏବଂ କଂଗ୍ରେସ କ୍ୟାମ୍ପକୁ ମାରିଛନ୍ତି ତୀର।

“ରାଜ୍ୟ ବିଜେପିରେ ଏବେ କୌଣସି ପରିବର୍ତ୍ତନ ହେବନାହିଁ। ବସନ୍ତ ପଣ୍ଡା ହିଁ ସଭାପତି ପଦରେ ରହିବେ। ସଭାପତି ବଦଳିବା ଚର୍ଚ୍ଚା ବିଜେଡି ଓ କଂଗ୍ରେସ କରୁଛନ୍ତି। ସେ ବର୍ତ୍ତମାନ ବିଧାୟକ ଅଛନ୍ତି”, ଏହା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ।

ଅରୁଣ ସିଂଙ୍କ ଏହି ବୟାନ ପରେ ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।

୨୦୧୯ ଜାନୁଆରୀ ମାସରେ ଶେଷ ହେଉଛି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ। ଏହା ପୂର୍ବରୁ ସଭାପତି ବଦଳିବା ନେଇ ଚର୍ଚ୍ଚା ହେଉଥିଲା। ବସନ୍ତଙ୍କ ନେତୃତ୍ୱରେ ସଙ୍ଗଠନ ଆଗକୁ ଯାଉ ନଥିବାରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରିବା ନେଇ ଚର୍ଚ୍ଚା ହେଉଥିଲା।

ନିକଟରେ ପ୍ରତାପ ନୂଆଦିଲ୍ଲୀ ଯାଇଥିଲେ। ବିଜେପିର କେନ୍ଦ୍ର ନେତାଙ୍କୁ ଭେଟିଥିଲେ। ଓଡ଼ିଶାର ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା ଯେ ଖୁବଶୀଘ୍ର ବସନ୍ତ ପଣ୍ଡା ବଦଳିବେ। ତାଛଡ଼ା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଭୁବବେଶ୍ୱର ଆସିଥିବା ବେଳେ ସଂଘ ପରିବାରର କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ସଂଘ ପରିବାର ବସନ୍ତଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୋଇଥିଲା। ଏଣୁ ସଂଘ ପରିବାରର ପରାମର୍ଶରେ ବିଜେପି ସଭାପତି ବଦଳିବେ ବୋଲି ଆଲୋଚନା ହେଉଥିଲା।

Comment