ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣତନ୍ତ୍ର ଦିବସରେ ରିଲିଜ ହେବାକୁ ଥିବା ହ୍ରିତିକ ରୋଶନଙ୍କ ଫିଲ୍ମ ‘ସୁପର ୩୦’ ବିବାଦରେ ଫସିଛି। ଏହି ଚଳଚ୍ଚିତ୍ରରେ ସୁପର ୩୦ର ମୁଖ୍ୟ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି ରିତିକ ରୋଶନ। ନିଜ ପ୍ରତିଷ୍ଠିତ ସୁପର ୩୦ କୋଚିଂ ସେଣ୍ଟର ଜରିଆରେ ପ୍ରତିବର୍ଷ ଗରିବ ପିଲାଙ୍କୁ ଆଇଆଇଟିରେ ପହଞ୍ଚାଇବା ପାଇଁ ଆନନ୍ଦ କୁମାର ବିଶ୍ୱ ସାରା ପ୍ରସିଦ୍ଧି ଅର୍ଜନ କରିଛନ୍ତି।

ଆନନ୍ଦ କୁମାରଙ୍କ ଲୋକପ୍ରିୟତା ଏତେ ଯେ ତାଙ୍କୁ ଟାଇମ ମାଗାଜିନ୍ ମଧ୍ୟ ସ୍ଥାନ ଦେଇଛି। କିନ୍ତୁ ବିଗତ କିଛି ଦିନ ଧରି ନିଜେ ଆନନ୍ଦ କୁମାର ବିବାଦୀୟ ହୋଇପଡ଼ିଛନ୍ତି। ଆନନ୍ଦଙ୍କ କୋଚିଂ ସେଣ୍ଟରରୁ ବାହାରିଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି ଯେ ଆନନ୍ଦ ଅନ୍ୟ କୋଚିଂ ସେଣ୍ଟରରୁ ପାସ କରିଥିବା ପିଲାଙ୍କୁ ନିଜ ପିଲା କହି ସଫଳତାର ଡିଣ୍ଡିମ ପିଟୁଛନ୍ତି।

ତା’ଛଡ଼ା ତାଙ୍କ ନାମରେ ଆଉ ଏକ ଅଭିଯୋଗ ହେଉଛି ଯେ ସୁପର ୩୦ରେ ଯେଉଁମାନେ ନାମ ଲେଖାଉଛନ୍ତି ସେମାନଙ୍କୁ ପ୍ରଥମ ବର୍ଷରେ ମୋଟା ଟଙ୍କା ଦେଇ ଅନ୍ୟ କୋଚିଂ ସେଣ୍ଟରରେ ପଢ଼ିବାକୁ ବାଧ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆନନ୍ଦ କୁମାରଙ୍କ ଉପରେ ତିଆରି ହେଉଥିବା ବାୟୋପିକ ଫିଲ୍ମ ସୁପର ୩୦ରେ ହ୍ରିତିକ ନିଜେ ଅଭିନୟ କରିଛନ୍ତି ଓ ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସିଲାଣି।

ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବିକାଶ ବେହାଲ। ବର୍ତ୍ତମାନ ଯେହେତୁ ଆନନ୍ଦ କୁମାର ନିଜେ ବିବାଦ ଘେରକୁ ଆସିଯାଇଛନ୍ତି ତାଙ୍କ ଉପରେ ତିଆରି ହେଉଥିବା ଚିତ୍ର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ସୁନିଶ୍ଚିତ ବୋଲି କୁହାଯାଉଛି।

ଆନନ୍ଦ କୁମାରଙ୍କ ଅସଲ ଚେହେରା ପଦାକୁ ଆସିବା ପରେ ସୋସିଆଲ ମିଡିଆରେ ହ୍ରିତିକଙ୍କୁ ଟ୍ରୋଲ କରାଯାଉଛି। ଖବର ଅନୁସାରେ ରିତିକ ପ୍ରକୃତରେ ଏବର୍ଷ ଖ୍ରୀଷ୍ଟମାସରେ କ୍ରିଷ-୪ ଆସିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ନ ହୋଇପାରିବା କାରଣରୁ ସେ ଆନନ୍ଦ କୁମାରଙ୍କ ବୟୋପିକ ପାଇଁ ସାଇନ୍ କରିଥିଲେ।

ଆନନ୍ଦ କୁମାରଙ୍କୁ ନେଇ ଯଦି ବିବାଦ ଚାଲୁ ରହେ ‘ସୁପର ୩୦’ ଫିଲ୍ମଟି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି ଓ ହ୍ରିତିକ ବେଶ୍ କିଛି କ୍ଷତି ସହିବେ ବୋଲି ଆଲୋଚନା ହେଉଛି। କିନ୍ତୁ କିଛି ଲୋକ ସୋସିଆଲ ମିଡିଆରେ ସୁପର ୩୦ କୁ ନେଇ ଆଲୋଚନା ଚାଲିଛି ତାହାକୁ ଏକ ଷ୍ଟଣ୍ଟ ବୋଲି ଅଭିହିତ କରିଛନ୍ତି କିଛି ଅଭିଜ୍ଞ ଲୋକ। ରିଲିଜ ପୂର୍ବରୁ ଫିଲ୍ମଟି ବିବାଦରେ ଫସିଲେ ପ୍ରକୃତରେ ଏହାକୁ ଅଧିକ ଲୋକ ଦେଖିବେ ବୋଲି ମୁମ୍ବାଇର ଜଣେ ଟ୍ରେଡ୍ ଆନାଲିଷ୍ଟ କହିଛନ୍ତି।

Comment