ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାରେ ନିୟମ ଉଲ୍ଲଂଘନ କରିଥିବା ୨୪ ଜଣ ସେବାୟତଙ୍କୁ ଜାରି ହେବ କାରଣ ଦର୍ଶାଅ ନୋଟିସ।
କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ବେଳେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ୨୪ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଦେବ କାରଣ ଦର୍ଶାଅ ନୋଟିସ୍। ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ଚଳିତ ବର୍ଷ ରଥଯାତ୍ରାର ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା। ୨୪ ଜଣ ସେବାୟତ ଶ୍ରୀମନ୍ଦିର ପ୍ରଶାସନ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତତ୍ପର ହୋଇଛି ପ୍ରଶାସନ।
କାହିଁକି ନିୟମବଳୀକୁ ମାନିଲେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ କାରଣ ଦର୍ଶାଅ ନୋଟିସ୍ ଜାରି କରିବ।
ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ୧୨ ନିର୍ଦ୍ଦେଶାବଳୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସେବାୟତମାନେ ବଂଶାନୁକ୍ରମିକ ସେବାୟତ ପ୍ରଥା ଉଚ୍ଛେଦ, ଅନ୍ନଦାନ ଆଟିକା ବା ଦାନ ଥାଳ ବ୍ୟବସ୍ଥା ବନ୍ଦ, ଶ୍ରୀଜଗନ୍ନାଥ ଟେମ୍ପଲ ଆକ୍ଟ-୧୯୫୪ର ସଂଶୋଧନକୁ ସେବାୟତ ବିରୋଧ କରୁଥିବାରୁ ବୈଠକରେ ଆଲୋଚନା ହୋଇଥିଲା।
ଏହି ପ୍ରସ୍ତାବ ଉପରେ କୌଣସି ନିର୍ଯ୍ୟାସ ବାହାରି ନପାରିବାରୁ ସବ୍ କମିଟି ଗଢ଼ାଯାଇଛି। ଏହି ତିନିଟି ପ୍ରସ୍ତାବ ଉପରେ ସବ୍କମିଟି ଅଧିକ ଆଲୋଚନା କରି ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ। ସେହିପରି ସେପ୍ଟେମ୍ବର ମାସ ସୁଦ୍ଧା ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।








ରଥଯାତ୍ରାରେ ନିୟମ ଉଲ୍ଲଂଘନ କରିଥିବା ୨୪ ଜଣ ସେବାୟତଙ୍କୁ ଜାରି ହେବ କାରଣ ଦର୍ଶାଅ ନୋଟିସ।









