କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

କେନ୍ଦ୍ରାପଡ଼ା: ଇଲିଶି ମାଛ ନା ଶୁଣିଲେ ଲୋକଙ୍କ ପାଟିରୁ ଆପେ ଆପେ ଲାଳ ଗଡ଼ି ଆସେ। ହେଲେ ଇଲିଶି ଦର ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଲୋକେ କିଣି ପାରି ନଥାନ୍ତି। ଇଲିଶି ମାଛ କିଲୋ ୭୦୦ରୁ ଅଧିକ ଟଙ୍କାରେ ବଜାରରେ ବିକ୍ରି ହୋଇଥାଏ। ଦାମ୍ ଅଧିକ ହେଲେ ବି ଥିଲା ବାଲା ଲୋକେ ଇଲିଶି କିଣି ନେଇଥାନ୍ତି। ମାତ୍ର ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକେ ଇଲିଶି କିଣି ପାରନ୍ତି ନାହିଁ।

ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଇଲିଶି ହାଉଯାଉ। ବଡ଼ ଇଲିଶି ମାଛ କିଲୋ ୨୦୦ ଟଙ୍କା ରହିଥିବା ବେଳେ ଛୋଟ ଇଲିଶି ଯୋଡ଼ା ୧୫୦ ଟଙ୍କାରେ ବିକ୍ରି ହେଉଛି।ଫଳରେ ଇଲିଶି ମାଛ ପାଇଁ ସବୁ ବର୍ଗର ଲୋକଙ୍କ ଭିଡ଼ ଲାଗୁଛି।

କେନ୍ଦ୍ରାପଡ଼ା ଜିଲ୍ଲାର ମତ୍ସ୍ୟଜୀବୀମାନେ ଏବେ ପ୍ରବଳ ମାତ୍ରାରେ ଇଲିସି ମାଛ ଧରି ବିକ୍ରୟ କରି ବେଶ ଦି ପଇସା ପାଉଛନ୍ତି।

ରାଜନଗର ବ୍ଲକର ତାଳଚୁଆ, ବାଘମାରୀ, କେରୁଆପାଳ, ରଙ୍ଗଣୀ ଓ ମହାକାଳପଡ଼ା ବ୍ଲକର ରାମନଗର, ଖରିନାସୀ, ବତୀଘର, ଜମ୍ବୁ, ସୁନୀତି ଆଦି ଅଞ୍ଚଳରେ ବାସ କରୁଥିବା ଶହଶହ ମତ୍ସ୍ୟଜୀବୀମାନେ ସମୁଦ୍ରରେ ଟ୍ରଲର ଓ ବଡ଼ ବୋଟ ଯୋଗେ ମାଛ ଧରିବାକୁ ଯାଉଛନ୍ତି। ଆଉ ଜାଲରେ ପ୍ରବଳ ଇଲିଶି ଧରାପଡ଼ୁଛନ୍ତି।

ଅଲିଭରିଡଲେ କଇଁଛମାନଙ୍କ ପାଇଁ ବନ ବିଭାଗର କୋହଳ କଟକାଣା ଯୋଗୁଁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବାର ସୁଯୋଗ ପାଉଛନ୍ତି।

ସବୁଠାରୁ ପରିତାପର ବିଷୟ ହେଉଛି କେନ୍ଦ୍ରାପଡ଼ାର ମତ୍ସ୍ୟଜୀବୀମାନେ ସମୁଦ୍ରରୁ ପ୍ରଚୁର ପରିମାଣରେ ଇଲିଶି ଧରୁଛନ୍ତି ସତ, କିନ୍ତୁ ସେଗୁଡ଼ିକୁ ନିଜ ଅଞ୍ଚଳରେ ବିକ୍ରୟ କରିପାରୁ ନାହାନ୍ତି।

ରାଜନଗର ବ୍ଲକର ତାଳଚୁଆ, କେରୁଆପାଳ, ରଙ୍ଗଣୀ ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ଧରୁଥିବା ଇଲିଶି ମାଛକୁ ପାଖ ଜିଲା ଭଦ୍ରକର ଧାମରା ବନ୍ଦର ଅଞ୍ଚଳରେ ବିକ୍ରୟ କରୁଛନ୍ତି। ମହାକାଳପଡ଼ା ବ୍ଲକର ମତ୍ସ୍ୟଜୀବୀମାନେ ନିକଟସ୍ଥ ପାରାଦୀପ ଜେଟିରେ ଇଲିଶି ବିକ୍ରୟ କରୁଛନ୍ତି। କାରଣ କେନ୍ଦ୍ରାପଡ଼ାକୁ ଆସିବା ପାଇଁ ଯୋଗାଯୋଗର ସୁବିଧା ନଥିବାରୁ ଇଲିଶି ବ୍ୟବସାୟୀମାନେ ପାରାଦୀପ ଓ ଧାମରା ଅଞ୍ଚଳକୁ ସହଜରେ ପହଞ୍ଚି ପାରୁଛନ୍ତି।

ଏହାଛଡ଼ା ପାରାଦୀପ ଓ ଧାମରାରେ ବରଫ କଳମାନ ଥିବାରୁ ବରଫ ପାଇବା ସୁବିଧା ହେଉଛି। ଫଳରେ ଇଲିଶିକୁ ବରଫ ପେଟିରେ ପ୍ୟାକ କରି ବାହର ରାଜ୍ୟକୁ ଚାଲାଣ କରାଯାଉଛି।

ପାରାଦୀପ ଜେଟିରୁ ସ୍ଥାନୀୟ ମାଛ ବ୍ୟବସାୟୀମାନେ ଇଲିଶି ମାଛ ଆଣି ଜିଲ୍ଲାର ସମସ୍ତ ହାଟ ବଜାରରେ ବିକ୍ରୟ କରି ବେଶ ଦିପଇସା ଲାଭବାନ ହେଉଛନ୍ତି।

୧ କିଲୋ କିମ୍ବା ତାଠାରୁ ଅଧିକ ଓଜନର ଇଲିଶି କେନ୍ଦ୍ରାପଡ଼ା ବଜାରରେ ୨୫୦ ଟଙ୍କାରେ ମିଳୁଥିବା ବେଳେ ଛୋଟ ଇଲିଶି ମାଛ ଯୋଡ଼ା ୧୦୦ରୁ ୧୫୦ ଟଙ୍କାରେ ମିଳୁଛି। ଏହି ମାଛର ସ୍ୱାଦ ଚାଖିବା ସୁଯୋଗକୁ କେହି ହାତଛଡା କରୁ ନାହାନ୍ତି।

ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଅଞ୍ଚଳର ଉତ୍ତମ ଦେବନାଥ, ସେକ୍ ଅଇନୁଲ, ତପନ ପାତ୍ର ଏବଂ ହାତିଗଣ୍ଡ ଗାଁର ପୁର୍ଣ୍ଣ ଜେନା ଆଦି ଟ୍ରଲର ମାଲିକମାନେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଟଙ୍କାର ଇଲିଶି ବିକ୍ରୟ କରିସାରିଲେଣି। ଆଗକୁ ଆହୁରି ଅଧିକ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି।

ମତ୍ସ୍ୟଜୀବୀମାନଙ୍କ କହିବା କଥା କି ପ୍ରବଳ ବର୍ଷା ହେଲେ କିମ୍ବା ସମୁଦ୍ର ମଧ୍ୟକୁ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରିଲେ ଗଭୀର ସମୁଦ୍ର ମଧ୍ୟରୁ ଇଲିଶି ଉଠି ଆସନ୍ତି।

ଚଳିତ ବର୍ଷ ପ୍ରବଳ ବର୍ଷା ହେବାରୁ ଇଲିଶି ସମୁଦ୍ର କୂଳକୁ ଉଠି ଆସିଛନ୍ତି। ତେଣୁ ପ୍ରଚୁର ପରିମାଣରେ ଇଲିଶି ଜାଲରେ ଧରା ପଡୁଛନ୍ତି।

Comment