ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ କ୍ଲିନିକରେ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ପରେ ଡାକ୍ତର ନିଜ ତଣ୍ଟିକାଣ୍ଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ବରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି।
ବରଗଡ଼ ସହର ନିକଟସ୍ଥ ବନବସପଲ୍ଲୀ ଗ୍ରାମର ଲବଙ୍ଗ ସାହୁଙ୍କ ଦାନ୍ତ ବିନ୍ଧା ହେବାରୁ ସେ ବନ୍ଧୁଟିକରାସ୍ଥିତ ଡାକ୍ତର ସୁବୋଧ ସାହୁଙ୍କ କ୍ଲିନିକକୁ ଯାଇଥିଲେ। ଦାନ୍ତ ବିନ୍ଧାରୁ ଉପଶମ ପାଇଁ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ। ହେଲେ ଲବଙ୍ଗଙ୍କର ସ୍ୱାସ୍ଥ୍ୟ ଗୁରୁତର ହୋଇଯାଇଥିଲା। ତାଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲବଙ୍ଗଙ୍କର ମୃତ୍ୟୁ ଘଟିଥିଲା।
ଲବଙ୍ଗଙ୍କର ମୃତ୍ୟୁ ପରେ ଡାକ୍ତର ସୁବୋଧ ଭୟଭୀତ ହୋଇଯାଇଥିଲେ। ଫଳରେ ସେ ନିଜ ତଣ୍ଟି ନିଜେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କ୍ଲିନକର କର୍ମଚାରୀମାନେ ଡାକ୍ତରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


















