ଓଡ଼ିଶାଲାଇଭ୍ ବ୍ୟୁରୋ
୧୭ ତାରିଖଠାରୁ ରାଜ୍ୟ ମୁଖ୍ୟ ଦପ୍ତରର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଯାଇଛି। ଭୁବନେଶ୍ୱର ନତାଲା ସମେତ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ କର୍ମଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀମାନଙ୍କର କ୍ୟାଡର ପୁନର୍ଗଠନ ନିଷ୍ପତ୍ତିକୁ ସଚିବାଳୟର କିଛି ଅଧିକାରୀ ଗ୍ରହଣ କରୁ ନଥିବାରୁ ଏହି ଆନ୍ଦୋଳନ ଚାଲିଛି।
ଆନ୍ଦୋଳନକୁ ଆଜି ୧୩ ଦିନ ପୂରିଛି। କୌଣସି ସମାଧାନର ରାସ୍ତା ବାହାରି ନଥିବାରୁ ଆଜି କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଯିବା ପାଇଁ ଦେଇ ନଥିଲେ। ଏହି ସମସ୍ୟାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଆନ୍ଦୋଳନରତ କର୍ମଚାରୀମାନେ ଦାବି କରିଛନ୍ତି। ନଚେତ୍ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି କର୍ମଚାରୀ ନେତା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ପ୍ରଶାନ୍ତ ପଟ୍ଟନାୟକ, ସଂଘ ସଭାପତି ସୁବ୍ରତ ମହାନ୍ତି ଏବଂ ମିହିର ନାରାୟଣ ଜେନା ଚେତାବନୀ ଦେଇଛନ୍ତି।
ରାଜ୍ୟର ମୁଖ୍ୟ ଦପ୍ତରରେ ଥିବା କର୍ମଚାରୀମାନଙ୍କର କ୍ୟାଡର ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ସଚିବାଳୟର କିଛି ଅଧିକାରୀମାନଙ୍କ ଅସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରୁ ନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।


















