ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଡ଼ ପରଦାରେ ‘ନାଗିନ୍’ ଭୂମିକା ନିଭାଇ ସଫଳତା ହାସଲ କରିଥିବା ନାୟିକାମାନଙ୍କର କାହାଣୀ ଆସନ୍ତୁ ଜାଣିବା…

ବଲିଉଡର ପପୁଲାର ନିର୍ମାତା-ନିର୍ଦ୍ଦେଶକମାନେ ଅନେକ ସମୟରେ ନାଗିନଙ୍କ ବିଷୟବସ୍ତୁକୁ ନେଇ ସିନେମା ଓ ସିରିଅଲ୍ ନିର୍ମାଣ କରିଆସିଛନ୍ତି। ଏଗୁଡ଼ିକ ଅନେକ ସମୟରେ ଦର୍ଶକଙ୍କ ଦ୍ୱାରା ଆଦୃତ ବି ହୋଇଛି। ବିଶେଷକରି ଏଭଳି ସିନେମା ଓ ଧାରାବାହିକରେ ନାଗିନ୍‌ ବନିଥିବା ନାୟିକାମାନେ ଚର୍ଚ୍ଚାକୁ ଆସିଥାନ୍ତି। ଆସନ୍ତୁ ସେଭଳି କେତେକ ସୁପରହିଟ୍ ନାୟିକାଙ୍କ କଥା ଜାଣିବା…

ଶ୍ରୀଦେବୀ

ଅଶି ଓ ନବେ ଦଶକର ନମ୍ବର ୱାନ୍ ହିରୋଇନ୍‌ ଶ୍ରୀଦେବୀ ଦୁଇଟି ହିନ୍ଦୀ ସିନେମାରେ ନାଗୁଣୀ ଭୂମିକାରେ ନଜର ଆସିଥିଲେ। ଏଥିମଧ୍ୟରୁ ପ୍ରଥମଟି ହେଲା ୧୯୮୬ରେ ରିଲିଜ୍‌ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘ନଗୀନା’। ହରମେଶ ମାଲହୋତ୍ରାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶ୍ରୀଦେବୀ ବେଶ୍ ପ୍ରଭାବଶାଳି ଅଭିନୟ ବି କରିଥିଲେ। ଏଥିରେ ଋଷି କପୁରଙ୍କ ବିପକ୍ଷରେ ଦେଖା ଦେଇଥିଲେ ଶ୍ରୀଦେବୀ। ଏହି ସିନେମାରେ ଅମ୍ରିଶ ପୁରୀ ଖଳନାୟକ ଭୂମିକା ନିଭାଇଥିଲେ।

ଏହି ଫିଲ୍ମର ଏକ ଗୀତ ଆଜି ବି ବେଶ୍ ଲୋକପ୍ରିୟ ତାହା ହେଲା ‘ମେଁ ତେରା ଦୁଷ୍ମନ, ଦୁଷ୍ମନ୍ ତୁ ମେରା, ମେଁ ନାଗିନ୍‌ ତୁ ସପେରା…।’ ଏହାର ଗୀତିକାର ଆନନ୍ଦ ବକ୍ସି ଓ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍। ଏହି ସୁପରହିଟ୍ ନାଗିନ୍‌ ଗୀତ ଶ୍ରୀଦେବୀ ଓ ଅମ୍ରିଶ ପୁରୀଙ୍କ ଉପରେ ପିକଚରାଇଜ୍ ହୋଇଥିଲା।

‘ନାଗିନା’ ଫିଲ୍ମର ସିକ୍ୱେଲ୍ ହେଲା ‘ନିଗାହେଁ’। ଏଥିରେ ପୁଣି ଥରେ ନାଗିନ୍‌ ବା ନାଗୁଣୀ ବନିଥିଲେ ଶ୍ରୀଦେବୀ। ଏଥିରେ କିନ୍ତୁ ନାୟକ ଓ ଖଳନାୟକ ବଦଳିଯାଇଥିଲେ। ‘ନିଗାହେଁ’ରେ ସନ୍ନି ଦେଓଲ ନାୟକ ଓ ଅନୁପମ୍‌ ଖେର୍‌ ଖଳନାୟକ ସାପୁଁଆ ଭୂମିକା ନିଭାଇଥିଲେ। ‘ନିଗାହେଁ’ରେ ଯଦିଓ ଶ୍ରୀଦେବୀ ପ୍ରଭାବଶାଳୀ ଅଭିନୟ କରିଥିଲେ, ମାତ୍ର ତାହା ସୁପରଫ୍ଲପ୍ ହୋଇଥିଲା।

ରୀନା ରୟ

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ଏକ ସୁପରହିଟ୍ ସିନେମା ଥିଲା ‘ନାଗିନ୍’। ଏହା ୧୯୭୬ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ସେ ସମୟର ଲୋକପ୍ରିୟ ନାୟିକା ରୀନା ରାୟ ଟାଇଟଲ୍ ରୋଲରେ ନଜର ଆସିଥିଲେ। ଏଥିରେ ରୀନା ନାଗୁଣୀ ଭୂମିକାରେ ଦର୍ଶକ ଦ୍ୱାରା ଆଦୃତ ହୋଇଥିଲେ। ଏହି ସିନେମାର ରୀନା ରାୟଙ୍କ ବିପକ୍ଷରେ ନଜର ଆସିଥିଲେ ଜିତେନ୍ଦ୍ର।

‘ନାଗିନ୍’ରେ ସୁନୀଲ ଦତ୍ତ, ଫିରୋଜ୍‌ ଖାନ୍‌, ଜିତେନ୍ଦ୍ର, ବିନୋଦ ମେହେରା, ରେଖା ମମତାଜ୍‌ ଓ କବୀର ବେଦୀ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକା ଅଭିନୟ କରିଥିଲେ।

ମୀନାକ୍ଷୀ ଶେଷାଦ୍ରୀ

ପ୍ରଖ୍ୟାତ ନିର୍ଦ୍ଦେଶକ ମୋହନଦୀ ପ୍ରସାଦଙ୍କ ଫିଲ୍ମ ‘ନାଚେ ନାଗିନ୍‌ ଗଲି ଗଲି’ରେ ଦର୍ଶକ ଲାସ୍ୟମୟୀ ନାୟିକା ମିନାକ୍ଷୀ ଶେଷାଦ୍ରୀଙ୍କୁ ଭେଟିଥିଲେ ନାଗୁଣୀ ଭୂମିକାରେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ ମେଗା ଧାରାବାହିକ ‘ମହାଭାରତ’ରେ ଶ୍ରୀକୃଷ୍ଣା ଚରିତ୍ର ନିଭାଇଥିବା ଅଭିନେତା ନୀତିଶ ଭରଦ୍ୱାଜ।

୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ‘ନାଚେ ନାଗିନ୍‌ ଗଲି ଗଲି’ରେ ମିନାକ୍ଷୀ ପ୍ରଭାବଶାଳୀ ଅଭିନୟ କରିଥିଲେ ହେଁ ଫିଲ୍ମଟି ଫ୍ଲପ୍ ହୋଇଥିଲା।

ରେଖା

ବଲିଉଡର ଖ୍ୟାତନାମା ନାୟିକା ରେଖା ବି ଏକ ହିନ୍ଦୀ ସିନେମାରେ ନାଗୁଣୀ ବନିଥିଲେ। ଏହି ଫିଲ୍ମ ହେଲା ‘ଶେଷ ନାଗ୍’। କେ. ଆର୍‌ ରେଡିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରେଖାଙ୍କ ସହିତ ଜିତେନ୍ଦ୍ର, ଋଷି କପୁର, ମନ୍ଦାକିନୀ ଓ ଅନୁପମ୍‌ ଖେର୍‌ ଥିଲେ ମୁଖ୍ୟ ଭୂମିକାରେ।

ଏହି ଫିଲ୍ମରେ କେବଳ ରେଖା ନୁହଁନ୍ତି, ବରଂ ମାଧବୀ ଓ ମନ୍ଦାକିନୀ ବନିଥିଲେ ନାଗୁଣୀ। ୧୯୯୦ରେ ରିଲିଜ୍‌ ହୋଇଥିବା ଏହି ସିନେମା ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା।

Comment