କପିଳାସ ଭୂୟାଁ

ସ୍ମାର୍ଟ ସିଟି ଭୁବନେଶ୍ଵରରେ ୨୦୦ ନୂଆ ସ୍ମାର୍ଟ ବସ୍ ଷ୍ଟପ୍ ତିଆରି ହେବ। ସେଥିପାଇଁ ଖର୍ଚ୍ଚ ହେବ ୨୧ କୋଟି ୨୦ ଲକ୍ଷ ଟଙ୍କା। ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ବା ବିଏସ୍‌ସିଏଲର ୩୩ତମ ବୋର୍ଡ ବୈଠକରେ ଏହି ଖର୍ଚ୍ଚ ଅଟକଳକୁ ଗତ ସେପ୍ଟେମ୍ବର ୧୧ ତାରିଖରେ ମଞ୍ଜୁରୀ ମିଳିଛି। ସ୍ମାର୍ଟ ସିଟି କାମକୁ ଆଗେଇ ନେବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଶ୍ଚୟ।

ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକୁ ଷ୍ଟେନଲେସ୍‌ ଷ୍ଟିଲରେ ତିଆରି କରାଯିବ। ଏଗୁଡ଼ିକୁ ଷ୍ଟେନଲେସ୍‌ ଷ୍ଟିଲରେ ତିଆରି କରିବା ଦ୍ଵାରା ତାହା ଦୀର୍ଘସ୍ଥାୟୀ ଓ ସୁରକ୍ଷିତ ହେବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହେବ। ଏହା ଯାତ୍ରୀମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବ। ଅଗ୍ନି ନିରାପତ୍ତା ପାଇଁ ବସ୍ ଷ୍ଟପ୍‌ଗୁଡ଼ିକର ଛାତରେ ପଲିକାର୍ବୋନେଟ କଭର ଦିଆଯିବ। ଅଲ୍ଟ୍ରା ଭାଓଲେଟ  ନିରାପତ୍ତା ପାଇଁ ଛାତରେ ଏହି କଭରର ଦୁଇଟି ଆସ୍ତରଣ ରହିବ। ଏହି ସ୍ମାର୍ଟ ବସ୍‌ ଷ୍ଟପ୍‌ଗୁଡ଼ିକରେ ଲୋକମାନେ ବସିବା ପାଇଁ ସ୍ଵତନ୍ତ୍ର ଚେୟାର ରହିବ। ଏଠାରେ ଭୁବନେଶ୍ଵର ମ୍ୟାପ୍‌ ଥିବା ଡିଜିଟାଲ ବୋର୍ଡ ରହିବ।

ଜିପିଏସ ଦ୍ଵାରା ବସ୍‌ ଚଳାଚଳର ଡିଜିଟାଲ ସୂଚନା ଫଳକ ରହିବ। ଏହି ସୂଚନା ଫଳକକୁ ସହିଦ ନଗରସ୍ଥିତ ସିଟି ଅପରେସନ ସେଣ୍ଟର ସହିତ ସିଧାସଳଖ ସଂଯୋଗ କରାଯିବ। ଫଳରେ ସାରା ସହରରେ କେଉଁ ରୁଟ୍‌ରେ କେଉଁ ବସ କେଉଁ ଠାରେ ଅଛି ତାହା ଜଣା ପଡ଼ିବ। ଏହାଛଡ଼ା କୌଣସି ନିର୍ଦ୍ଦିଷ୍ଟ ବସ୍‌ ଷ୍ଟପ୍‌ରେ କେଉଁ ବସ୍‌ ଠିକ କେତେବେଳେ ପହଞ୍ଚିବ ସେଠାରେ ଅପେକ୍ଷା କରିଥିବା ଯାତ୍ରୀ ତାହା ଜାଣିପାରିବେ।

ଏହା ବାସ୍ତବିକ ଅତି ଆନନ୍ଦର କଥା।

ତେବେ ଏହି ଯୋଜନା ପରିସର ମଧ୍ୟରେ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥାଟିର ଉଲ୍ଲେଖ ନାହିଁ ତା’ ହେଲା ଯେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଲୋକେ ବର୍ଜ୍ୟବସ୍ତୁଗୁଡ଼ିକୁ କେଉଁଠାରେ ପକାଇବେ। ଯଦି କେହି ଥଣ୍ଡା ପାନୀୟ ପିଉଥାଏ ତେବେ ଖାଲି ବୋତଲଟିକୁ କେଉଁଠି ପକାଇବ? ଯଦି ଜଣେ କେକ, ବିସ୍କୁଟ ବା ଚକୋଲେଟ ଖାଉଥାଏ ତେବେ ତାହାର ଜରି କିମ୍ବା ଗୁଡା ଯାଇଥିବା କାଗଜ ପ୍ୟାକେଟଟିକୁ କେଉଁଠି ପକାଇବ? ଯଦି ଜଣେ ସିଗାରେଟ ଟାଣୁଥାଏ ତେବେ ସିଗାରେଟର ଶେଷ ଅଂଶରୁ ନିଆଁ ଲିଭାଇ କେଉଁଠାରେ ପକାଇବ? ଆମ ଏଠାରେ ପାନ ଖାଇବା ବହୁତ ଲୋକଙ୍କର ଅଭ୍ୟାସ – ସେ ପାନ ଛେପ କେଉଁଠାରେ ପକାଇବ? ସେଥିପାଇଁ ଆଧୁନିକ ବସ୍‌ ଷ୍ଟପ୍‌ଗୁଡ଼ିକ ନିକଟରେ ଡଷ୍ଟବିନ, ଆସଟ୍ରେ ଓ ସ୍ପିଟ ବକ୍ସ ବା ପିକଦାନୀ ବ୍ୟବସ୍ଥା କରିବା ଦରକାରୀ ନୁହେଁ କି?

ବିଶେଷକରି ଆମେ ଯେତେବେଳେ ଗୋଟିଏ ସ୍ଵଚ୍ଛ ଭାରତର ପରିକଳ୍ପନା କରୁଛନ୍ତି, ସେତେବେଳେ ସ୍ମାର୍ଟ ସିଟିର ସ୍ମାର୍ଟ ବସ୍‌ ଷ୍ଟପ୍‌ ନିର୍ମାଣ କରିବା ସମୟରେ ପରିମଳ ଦିଗଟିକୁ କିପରି ଭୁଲି ଯିବା? ଯଦି ଆମେ ସ୍ମାର୍ଟ ବସ୍ ଷ୍ଟପ୍‌ଗୁଡ଼ିକ ନିକଟରେ ଡଷ୍ଟବିନ, ଆସଟ୍ରେ ଓ ସ୍ପିଟ ବକ୍ସ ବା ପିକଦାନୀ ବ୍ୟବସ୍ଥା ରଖିବା ନାହିଁ ତେବେ ସେଠାରେ ଯେଉଁ କୁଢ଼ କୁଢ଼ ମଇଳା ସୃଷ୍ଟି ହେବ ତାକୁ ସଫା କରିବା କେମିତି? ଲୋକେ ଯଦି ପାନ ପିକ ପକାଇ ସ୍ଥାନଟିକୁ ଅପରିସ୍କାର କେରିବେ ତେବେ ଦୋଷ କାହାକୁ ଦେବା? ଦୀର୍ଘସ୍ଥାୟୀ ଷ୍ଟେନଲେସ୍ ଷ୍ଟିଲରେ ତିଆରି ବସ୍‌ ଷ୍ଟପ୍‌ଗୁଡ଼ିକ ଖୁବ ଶୀଘ୍ର ଅତି କଦର୍ଯ୍ୟ ହୋଇଯିବ ନାହିଁ କି?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment