ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଦୀପ ମହାରଥୀଙ୍କ ବୟାନକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ବିଜେପି ମହାରଥୀଙ୍କ ଇସ୍ତଫା ଦାବି କରିଥିବା ବେଳେ ମହାରଥୀ କହିଛନ୍ତି କ୍ଷମା ମାଗିବିନି।

  • ମହାରଥୀ କହିଲେ, “ମୁଁ ଭୁଲ୍ କରିନି”
  • ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି: ମହାରଥୀ
  • ‘ମହିଳାମାନଙ୍କୁ ମୁଁ ସମ୍ମାନ କରେ’
  • ‘ମହିଳାମାନଙ୍କ ଆଶୀର୍ବାଦରେ ମୁଁ ୬ ଥର ବିଧାୟକ ହୋଇଛି’

‘୩୦ ହଜାର ମହିଳାଙ୍କର ୬୦ ହଜାର ସ୍ୱାମୀ’ – ପ୍ରଦୀପ ମହାରଥୀଙ୍କର ଏହି ବୟାନ ଗଣମାଧ୍ୟମରେ ଗତ ଦୁଇଦିନ ହେଲା ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ମଧ୍ୟ ଘୂରି ବୁଲୁଛି ଏହି ଚର୍ଚ୍ଚିତ ଭିଡିଓ। ଏହାକୁ ନେଇ ବିରୋଧୀ ବିଜେପି ମହାରଥୀ ଏବଂ ସରକାରଙ୍କୁ ଘେରିଛି। ମହିଳାମାନଙ୍କ ବିରୋଧରେ ମହାରଥୀ ନକରାତ୍ମକ ଟିପ୍ପଣୀ ଦେଇଥିବାରୁ ମହାରଥୀ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ହୋ-ହଲ୍ଲା କରିବାରୁ ଆଜି ମହାରଥୀ ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, “ମୋ କଥାକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି। ଏଥିରେ କିଛି କାରଣ ନାହିଁ। ଏଥିପାଇଁ ମୁଁ ମର୍ମାହତ। ମୁଁ ସବୁବେଳେ ନାରୀମାନଙ୍କୁ ସମ୍ମାନ କରେ। ପିପିଲିର ମା’ ଓ ଭଉଣୀମାନଙ୍କ ଆଶୀର୍ବାଦ ପାଇଁ ମୁଁ ୬ ଥର ବିଧାନସଭାକୁ ଆସିଛି। ମୋ ମନ୍ତବ୍ୟରେ କୌଣସି ତ୍ରୁଟି ନଥିବାରୁ ମୁଁ କ୍ଷମା ମାଗିବି ନାହିଁ।”

ପୁରୀରେ ବିଜେପିର ମହିଳା ଅଧିବେଶନ ଆୟୋଜନକୁ ନେଇ ଗଣମାଧ୍ୟମ ପ୍ରତିନିଧି ମହାରଥୀଙ୍କ ପ୍ରତିକ୍ରିୟା ନେଇଥିଲେ। ମହାରଥୀ କହିଥିଲେ ଯେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବେ। ତାଙ୍କୁ ସ୍ୱାଗତ କରିବା ପାଇଁ ୩୦ ହଜାର ମହିଳା ଆସିବେ। ମହିଳାମାନଙ୍କ ସାଙ୍ଗରେ ସେମାନଙ୍କ ସ୍ୱାମୀ ଆସିବେ। ସେମାନଙ୍କ ସଂଖ୍ୟା ମିଶିଗଲେ ୬୦ ହଜାର ହେବ।

ଏହି ବକ୍ତବ୍ୟକୁ କଦର୍ଥ କରାଯାଇଥିବା ମହାରଥୀ ଆଜି କହିଛନ୍ତି।

ବ୍ରାହ୍ମଣ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ବିରୋଧରେ ନକରାତ୍ମକ ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଥିଲେ ଡାକ୍ତର ଦାମୋଦର ରାଉତ। କିନ୍ତୁ ଏବେ ମହାରଥୀ ମହିଳାଙ୍କୁ ଅସମ୍ମାନିତ କରିଛନ୍ତି। ମହିଳାଙ୍କୁ ଅସମ୍ମାନିତ କରିଥିବା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।

Comment