ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରକୀୟା ବା ବ୍ୟଭିଚାରକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ଯାଇ ସୁପ୍ରିମକୋର୍ଟ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୯୭କୁ ହଟାଇ ଦେଇଛନ୍ତି। ଏହାକୁ ଏକ ‘ପୁରାତନ’ ଚିନ୍ତାଧାରା ଓ ଅସାମ୍ବିଧାନିକ କହିଛନ୍ତି କୋର୍ଟ। ଗତକାଲିଠାରୁ ଆଇପିସିରୁ ଏହି ଅପରାଧ ଦିଗଟି ହଟିଯାଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବେଞ୍ଚ୍ ଫଇସଲା ଶୁଣାଇବାକୁ ଯାଇ କହିଛନ୍ତି ଯେ ପତି, ପତ୍ନୀ ଓ ସେ ଏହିଭଳି ଏକ ସରଳରେଖା ଏବେ ଆଉ ଅପରାଧ ପଦବାଚ୍ୟ ନୁହେଁ। ବିବାହୋତ୍ତର ସମ୍ପର୍କକୁ ଅପରାଧ ତାଲିକାରୁ ବାହାର କରି ଦେବା ଦ୍ୱାରା ପରକିୟା ଏବେ ପୂରାପୂରି ମୁକ୍ତ ବିହଙ୍ଗମ ଭଳି। ୫ ଜଣ ଯାକ ବିଚାରପତି ଏହା ସପକ୍ଷରେ ଯୁକ୍ତି କରିଥିବାରୁ ଏହା ଆଗାମୀ ଦିନରେ ସାମାଜିକ ଆଚରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇ ରହିବ।

କୋର୍ଟ କହିଛନ୍ତି ଯେ ବ୍ୟଭିଚାରକୁ ତଲାକ ଭଳି ବିଚାର କରାଯିବ। ବ୍ୟଭିଚାର ଯୋଗୁଁ ଯଦି କେହି ଆତ୍ମହତ୍ୟା କରୁଛି ସେ କ୍ଷେତ୍ରରେ ଉସୁକାଇବା ମାମଲା ବି ରୁଜୁ କରାଯାଇପାରିବ।ଏହି ଐତିହାସିକ ରାୟ ପ୍ରକାଶ କରିବାକୁ ଯାଇ ବିଚାରପତିମାନେ କହିଛନ୍ତି ମହିଳାଙ୍କ ଇଛା, ଅଧିକାର ଓ ସମ୍ମାନ ସର୍ବୋଚ୍ଚ ମର୍ଯ୍ୟାଦା ପାଇବ ଓ ପତି କଦାପି ପତ୍ନୀର ମାଲିକ ନୁହେଁ। କୌଣସି ଆଇନ ମହିଳାଙ୍କୁ ତାଙ୍କ ଯୌନ ସମ୍ଭୋଗ ରୁଚିରୁ ବଞ୍ଚିତ କରିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କହିଛନ୍ତି।

ଜଷ୍ଟିସ ମିଶ୍ର ଓ ଜଷ୍ଟିସ ଖନୱିଲକର ପ୍ରଥମେ ରାୟ ପଢ଼ିଥିଲେ ଓ କହିଲେ ଯେ ଧାରା ୪୯୭ ବ୍ୟତୀତ ଧାରା ୧୯୮କୁ ବି ଆମେ ଅସାମ୍ବିଧାନିକ ଘୋଷଣା କରୁଛୁ। ଜଷ୍ଟିସ ନରୀମାନ ତାଙ୍କ ରାୟ ଅଲଗା ପଢ଼ିଥିଲେ ଓ କହିଲେ ଯେ ଦଫା ୪୯୭ ଏକ ପୁରୁଣାପନ୍ଥୀ ଚିନ୍ତାଧାରା। ଏହି ଧାରାର ଉଚ୍ଛେଦ ପରେ ଯୌନ ସମ୍ଭୋଗ କ୍ଷେତ୍ରରେ ଉଭୟ ପୁରୁଷ ଓ ସ୍ତ୍ରୀମାନଙ୍କର ବର୍ତ୍ତମାନ ସମାନ ଅଧିକାର ରହିବ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କହିବା କଥା ହେଲା ଯେ ପତିମାନେ ଏଣିକି ପତ୍ନୀଙ୍କ ମାଲିକ ବୋଲାଇପାରିବେ ନାହିଁ। ଜଷ୍ଟିସ ଚନ୍ଦ୍ରଚୁଡ଼ କହିଲେ ଯେ ଆଡଲଟ୍ରି ଆଇନଟି ଏକ ମନମାନି ଆଇନ। ଏହା ମହିଳାଙ୍କ ଗରିମାକୁ କୁଠାରାଘାତ କରୁଛି। ମହିଳାଙ୍କୁ ସେମାନଙ୍କ ଯୌନ ପସନ୍ଦରୁ ବଞ୍ଚିତ କରୁଥିବାରୁ ଧାରା ୪୯୭ ଅସାମ୍ବିଧାନିକ ବୋଲି ସେ କହିଥିଲେ। ବିବାହ ପରେ ମହିଳାମାନେ ଗୋଟିଏ ଯାଗାରେ ବାନ୍ଧି ହୋଇ ରହିବା ଆବଶ୍ୟକ ନୁହେଁ ବୋଲି କୋର୍ଟ କହିଛନ୍ତି। ବିଚାରପତିମାନେ କହିଲେ ଯେ ଜାପାନ, ଚୀନ ଓ ଅଷ୍ଟ୍ରେଲିଆ ଆଦି ଦେଶରେ ବ୍ୟଭିଚାର ଅପରାଧ ଭିତରେ ଆସୁନାହିଁ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା ଯେ ପରକୀୟା ଅପରାଧ ଅଟେ କାରଣ ଏହା ଦ୍ୱାରା ବୈବାହିକ ଜୀବନରେ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ମନେ ପକାଇ ଦିଆଯାଇପାରେ ଯେ ଆଗରୁ ଧାରା ୪୯୭ ମୁତାବକ ବ୍ୟଭିଚାର କ୍ଷେତ୍ରରେ ସ୍ୱାମୀକୁ ଅପରାଧୀ ଓ ସ୍ତ୍ରୀକୁ ପୀଡ଼ିତା ହିସାବ କରାଯାଉଥିଲା। ଏହି ଧାରା ଏକଥା ମଧ୍ୟ କହୁଥିଲା ଯେ ସ୍ୱାମୀର ଅନୁମତିରେ ଜଣେ ମହିଳା ଅନ୍ୟ ପୁରୁଷ ସହ ଦୈହିକ ସମ୍ପର୍କ ରଖି ପାରିବ। ଏହା ସ୍ୱାମୀକୁ ଗୋଟିଏ ପ୍ରକାର ମାଲିକାନା ସ୍ୱତ୍ୱ ଦେଉଥିଲା। ପତିଙ୍କ ଅନୁମତି ବିନା ଯଦି ଜଣେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଥିଲା ପତି ସେହି ବାହାର ପୁରୁଷ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିପାରୁଥିଲା।

ଏହି କେସ୍ ଯିଏ କରିଥିଲେ ତାଙ୍କ ଯୁକ୍ତି ଥିଲା ଯେ ଆଇପିସିର ଧାରା ୪୯୭ ପୁରୁଷ ଓ ସ୍ତ୍ରୀଙ୍କ ଭିତରେ ବାଛବିଚାର ସୃଷ୍ଟି କରୁଛି। ଯଦି ଅନ୍ୟ ଜଣେ ପୁରୁଷଙ୍କ ସହିତ ନିଜ ପତ୍ନୀ ସଂପର୍କ ରଖୁଥିଲା ସେହି ପୁରୁଷଙ୍କ ବିରୋଧରେ ମକଦ୍ଦମା ରୁଜୁ ହେଉଥିଲା। କିନ୍ତୁ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବା ବ୍ୟବସ୍ଥା ଦଫା ୪୯୭ରେ ନଥିଲା। ମକଦ୍ଦମାକାରୀଙ୍କ କହିବା କଥା ଥିଲା ଯେ ଏହା ଭେଦଭାବପୂର୍ଣ୍ଣ ଓ ଅସାମ୍ବିଧାନିକ ଏଣୁ ଏହାକୁ ଉଚ୍ଛେଦ କରାଯାଉ।

Comment