ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶରତ ସାହୁ ଦେଲେ ବାତ୍ୟା ତିତ୍‌ଲି ସମ୍ପର୍କରେ ତାଜା ସୂଚନା
  • ଗୁରୁବାର ସକାଳ ସାଢ଼େ ୫ଟାରେ ସ୍ଥଳଭାଗ ଛୁଇଁବ ତିତ୍‌ଲି
  • ପବନର ବେଗ ରହିବ ୧୬୦ କିଲୋମିଟର
  • ସୁବ ବନ୍ଦରରେ ୪ ନମ୍ବର ବିପଦସଙ୍କେତ

“ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଛି ତିତ୍‌ଲି। ଆଗକୁ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ହୋଇପାରେ। ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ”, ଆଜି ଅପରାହ୍ଣ ୧୨ଟା୪୮ ମିନିଟ୍‌ରେ ଓଡ଼ିଶାଲାଇଭ୍‌କୁ ବାତ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଶରତ ଚନ୍ଦ୍ର ସାହୁ।

ବାତ୍ୟା ତିତ୍‌ଲି ଉଗ୍ରରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ଗୋପାଳପୁର ବନ୍ଦରଠାରୁ ୨୩୦ କିଲୋମିଟର ଦୂରରେ ରହିଛି ତିତ୍‌ଲି। ଗୁରୁବାର ସକାଳ ସାଢ଼େ ୫ଟାରେ ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ତିତ୍‌ଲି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଏନଭାର୍ନୋମେଣ୍ଟ ଆଣ୍ଡ କ୍ଲାଇମେଟ୍‌ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଗୋପାଳପୁର ନିକଟରେ ଏହା ଯେତେବେଳେ ସ୍ଥଳଭାଗକୁ ଛୁଇଁବ ସେତେବେଳେ ଘଣ୍ଟାକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ। ବିଶେଷ ଭାବରେ ପୁରୀ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଏହାର ପ୍ରଭାବ ଅଧିକ ରହିବ। ସେହିଭଳି ଏହିସବୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ। ୧୦ ତାରିଖ ମଧ୍ୟରାତିରୁ ପବନର ବେଗ ବଢ଼ିବା”

ସେହିପରି ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ ଅତ୍ୟଧିକ ବର୍ଷା ହେବ। ବିଶେଷକରି ତିତଲିର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ଏହା ବ୍ୟତୀତ ଯେଉଁ ସମୟରେ ତିତଲି ସ୍ଥଳଭାଗକୁ ସ୍ପର୍ଶ କରିବ ସେହି ସମୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଆଦି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୧ରୁ ଦେଢ଼ ମିଟର ପର୍ଯ୍ୟନ୍ତ ସମୁଦ୍ର ଜୁଆର ଉଠିବାର ମଧ୍ୟ ଆଶଙ୍କା ରହିଥିବା ଶ୍ରୀ ସାହୁ କହିଛନ୍ତି।

ସମସ୍ତ ବନ୍ଦରମାନଙ୍କରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯିବା ସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ତିତଲିର ପ୍ରଭାବ ଫାଇଲିନ୍ ଓ ହୁଡ୍‌ହୁଡ୍‌ଠାରୁ କମ୍ ରହିବ। ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରେଡ୍ ଆଲର୍ଟ ଜାରି କରାଯାଇଛି।

Comment