ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇ ଚାଲିଗଲା ‘ତିତ୍ଲି’।
ଓଡ଼ିଶାରୁ ଟଳି ଯାଇଛି ବାତ୍ୟା ବିପଦ। ସାମୁଦ୍ରିକ ଝଡ଼ ‘ତିତ୍ଲି’ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ମୁହାଁଇଛି। କିନ୍ତୁ ଗଞ୍ଜାମ ଏବଂ ଗଜପତିରେ ତିତ୍ଲି ଯେଉଁ ପ୍ରଭାବ ପକାଇଛି ତାକୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି। ଗଜପତି ଜିଲ୍ଲାରେ ତିତ୍ଲି ବ୍ୟାପକ କ୍ଷୟକ୍ଷତି କରି ଚାଲିଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, “ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ପାରଳାଖେମୁଣ୍ଡି, କାଶୀନଗର, ମୋହନା ଏବଂ ଗୋଷାଣୀରେ ରାସ୍ତା ନଷ୍ଟ ହୋଇଛି। ଫଳରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ତେବେ ଆଉସବୁ କ’ଣ କ୍ଷତି ହୋଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି।”
ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଗଛ ଉପୁଡ଼ି ଯାଇଥିବାରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଶହ ଶହ ଗଛ ଭାଙ୍ଗି ଯାଇଛି। ଗୋପାଳପୁର, ଭଞ୍ଜନଗର, ବ୍ରହ୍ମପୁରରେ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯାଇଛି। ଭଞ୍ଜନଗରରେ ଆସିଥିବା ବନ୍ୟାରେ ୬ ଜଣ ଭାସି ଯାଇଛନ୍ତି।
ତିତ୍ଲି ପ୍ରଭାବରେ ବାଲେଶ୍ବର ଜିଲ୍ଲାରେ ୧୧୭ ମିଲିମିଟର, ପାରାଦୀପରେ ୧୧୧ ମିଲିମିଟର, ଗୋପାଳପୁରରେ ୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଏବଂ ଗଜପତିରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି।
ବାତ୍ୟା ତିତ୍ଲି ପାଇଁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧, ୧୧୨ ରିଲିଫ କ୍ୟାମ୍ପ ଖୋଲାଯାଇଛି। ପ୍ରଭାବିତ ଲୋକମାନଙ୍କୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି କ୍ୟାମ୍ପରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


















