ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଗୃହ କମିଟିରେ ହାଜର ହେଲେ ଅଭିଜିତ ଆୟାର ମିତ୍ର।

ଓଡ଼ିଶା ବିରୋଧରେ କଟୁ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ମଙ୍ଗଳବାର ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି। ଅଭିଜିତଙ୍କ ସହିତ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ଅଛନ୍ତି। ଗୃହ କମିଟିର ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଗୃହକମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ବୈଠକରେ ଅଭିଜିତ ନିଜ ପକ୍ଷ ରଖିବେ। ଗୃହ କମିଟି ଅଭିଜିତଙ୍କଠାରୁ ସବିଶେଷ ତଥ୍ୟ ନେବାପରେ ହିଁ  କୌଣସି ପଦକ୍ଷେପ ନେବେ। ଅଭିଜିତ ଓଡ଼ିଶାର ସଂସ୍କୃତି ଉପରେ ଅଶାଳୀନ ମନ୍ତବ୍ୟ ଦେବାପରେ ଅଭିଜିତଙ୍କ ନାଁରେ ସହିଦନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ କରାଯିବା ସହିତ ଗୃହ କମିଟି ଅଭିଜିତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଭିଜିତ ନା ଗୃହ କମିଟି ନିକଟରେ ହାଜର ହୋଇଥିଲେ ନା ଥାନାରେ। ପରେ କିନ୍ତୁ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୃହ କମିଟି ତାଙ୍କୁ ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ଅଭିଜିତ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର, ଓଡ଼ିଶା, ଓଡ଼ିଆ ଓ ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ସେ ଭୁବନେଶ୍ୱର ଆସିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ ଅଭିଜିତଙ୍କ ଅନ୍ତରୀଣ ଜାମିନ୍ ଅବଧି ଚଳିତ ମାସ ୫ ତାରିଖରୁ ଶେଷ ହୋଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ପାଇଁ ଜେଲ୍ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଗତ ୫ ତାରିଖରେ ଅଭିଜିତ କୋଣାର୍କ ଥାନାରେ ହାଜର ହେବା କଥା। ସେହିପରି ବିଧାୟକମାନଙ୍କ ବିରୋଧରେ ବ୍ୟବହାର କରିଥିବା ଅପଶବ୍ଦକୁ ନେଇ ଗତ ୧୧ ତାରିଖରେ ଗୃହ କମିଟିରେ ହାଜର ହେବା କଥା। କିନ୍ତୁ ତିତିଲି ବାତ୍ୟା ଯୋଗୁଁ ସେ ହାଜର ହୋଇ ପାରି ନ ଥିଲେ। ପରେ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କ୍ଷମା ମାଗିବା ସହିତ ଟୁଇଟ୍ ମଧ୍ୟ କରିଥିଲେ।

Comment