ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବ୍ରହ୍ମଗିରି ବ୍ଲକର ସାହାଜାନପୁର ଗାଁ
  • ମଦ୍ୟପାନ ଉପରେ କଟକଣା
  • ମଦ ପିଇ ଉତ୍ପାତ କଲେ ଗଛରେ ବନ୍ଧା ହେବାକୁ ପଡ଼େ
  • ଅନ୍ୟ ଗ୍ରାମ ପାଇଁ ଉଦାହରଣ ପାଲଟିଛି ସାହାଜାନପୁର
  • ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପ୍ରୟାସ

ମଦ କରେ ସର୍ବନାଶ। ଏହାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ସାହାଜାନପୁର ଗ୍ରାମବାସୀ। ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଗ୍ରାମବାସୀ ଗତ ଚାରି ବର୍ଷ ହେଲା ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି।

ଗାଁରେ ମଦ ପିଇ କେହି ଉତ୍ପାତ କଲେ ଜରିମାନା ଦେବା ସହିତ ଗଛରେ ବନ୍ଧା ହେବାକୁ ପଡ଼ିଥାଏ। ମଦ ପିଇଥିବା ବ୍ୟକ୍ତିକୁ ଗାଁର ଯେକୌଣସି ବ୍ୟକ୍ତି ବାନ୍ଧି ପାରିବ ବୋଲି ଗ୍ରାମବାସୀ ନିୟମ କରିଛନ୍ତି। ଏହି ନିୟମ ହେବା ଫଳରେ ସାହାଜାନପୁରରେ ଲୋକେ ନିଶା ସେବନ କରିବାକୁ ସାହସ କରୁନାହାନ୍ତି। ଜରିମାନା ବାବଦରେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଥାଏ।

ଗତ ଚାରି ବର୍ଷ ହେଲା ଏଭଳି ନିୟମ ଜାରି କରି ସାହାଜାନପୁର ଅନ୍ୟ ଗାଁ ପାଇଁ ଉଦାହରଣ ପାଲଟିଛି।

“ମଦ ପିଇବା ଦ୍ୱାରା ଗାଁରେ ବିଶୃଙ୍ଖଳା ଦେଖାଦେଲା। ବିଭିନ୍ନ ଅସୁବିଧା ମଧ୍ୟ ସୃଷ୍ଟି ହେଲା। କିଛି ପରିବାର ମଧ୍ୟ ମଦ ପାଇଁ ଛାରଖାର ହୋଇଗଲା। ଏହାକୁ ଦୃଷ୍ଟିରେ ରଖି ଗାଁରେ ମଦ ବାରଣ କରାଯାଇଛି। ଯଦି କେହି ମଦ ପିଇ ଗାଁରେ ଅଶାଳୀନ ବ୍ୟବହାର କରନ୍ତି ତାଙ୍କୁ ଗଛରେ ବାନ୍ଧି ଦିଆଯାଇଥାଏ ଏବଂ ଜରିମାନା ଦେବାକୁ ପଡ଼ିଥାଏ”, କହିଛନ୍ତି ସାହାଜାନପୁରର ଉମାକାନ୍ତ ମହାନ୍ତି।

ସାହାଜାନପୁର ଗାଁରେ ପାଖାପାଖି ସାଢ଼େ ୫୦୦ ଲୋକ ବସବାସ କରୁଛନ୍ତି। ଏଠାରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳିଥାନ୍ତି। ଛୋଟିଆ ଗାଁଟିଏ ହେଲେ ମଧ୍ୟ ଗତ ଚାରି ବର୍ଷ ହେଲା ମଦ୍ୟପାନ ଉପରେ କଟକଣା ଜାରି କରି ଆଖପାଖ ଗାଁ ପାଇଁ ପ୍ରେରଣା ପାଲଟିଛି।

Comment