ଓଡ଼ିଶାଲାଇଭ୍ ବ୍ୟୁରୋ

 ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍। ୧୬ଟି ଦେଶର ଟିମ୍‌କୁ ନେଇ ଆୟୋଜିତ ହେଉଥିବା ଏହି ମେଗା ଇଭେଣ୍ଟରେ ଯୋଗ ଦେବେ ଅନେକ ବିଶିଷ୍ଟ ବ୍ୟକ୍ତି। ଏହି ଅବସରରେ ବିଦେଶୀ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଭୁବନେଶ୍ୱର ଆସିବେ।

ସେଥିପାଇଁ ଭୁବନେଶ୍ୱରର ସବୁ ରାସ୍ତାରେ ଭିଡ଼ ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବିଶେଷକରି ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଓଡ଼ିଶା ଅରବାନ ପୋଲିସ ଧାରା ୨୦୦୩ ଅନୁଯାୟୀ, କଟକ ଓ ଭୁବନେଶ୍ୱର କମିଶନରେଟ୍ ପୋଲିସ ୨୭ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜନଗହଳି ସ୍ଥାନରେ କାର୍ଯ୍ୟରତ ରହିବେ।

  • ସୁରକ୍ଷାକୁ ଆଖି ଆଗରେ ରଖି ଜୟଦେବ ବିହାରଠାରୁ ଆରମ୍ଭ କରି ବେହେରା ସାହି ପର୍ଯ୍ୟନ୍ତ ସମସ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏଥିସହ ଟ୍ରାଫିକ ଚେକ୍ ପଏଣ୍ଟ ଶାସ୍ତ୍ରୀ ନଗରରେ ରହିଛି। ନୟାପଲ୍ଲୀଠାରୁ ସିଆରପି ଛକ ପର୍ଯ୍ୟନ୍ତ ଗୋଟିଏ ରାସ୍ତା ନିର୍ମାଣ କରାଯାଇଛି।
  • ଖେଳାଳିଙ୍କ ଗାଡ଼ି, ମୋ ବସ୍ ଏବଂ କେତେକ ଜରୁରୀକାଳୀନ ଗାଡ଼ିକୁ ଛାଡ଼ିଦେବା ପରେ ବିଦ୍ୟୁତ ମାର୍ଗରୁ ଆସୁଥିବା ସମସ୍ତ ଗାଡ଼ି ଗଭର୍ଣ୍ଣର ହାଉସ୍ ଓ ସଚିବାଳୟର ରାସ୍ତା ଦେଇ ଯିବ।
  • ଯେଉଁ ଗାଡ଼ି ଟିକେଟ ବା ପାସ୍ ପାଇଥିବ ସେହି ଗାଡ଼ିଗୁଡ଼ିକ ନିକୋ ପାର୍କରୁ ବେହେରା ସାହି ଦେଇ ଯାଇଥିବା ରାସ୍ତା ଦେଇ ଯିବ। ନିକୋ ପାର୍କ ଛକରେ ଟ୍ରାଫିକ ଚେକ୍ ପଏଣ୍ଟ ରହିଛି। ଏହାଛଡ଼ା ସ୍ଥାନୀୟ ଲୋକଙ୍କ ଗାଡ଼ି, ଏଜି କଲୋନୀ ଓ ପାଖାପାଖି ଅଞ୍ଚଳର ଗାଡ଼ି ଏହି ବାଟ ଦେଇ ଯାଇପାରିବ।
  • ଖେଳାଳିଙ୍କ ଗାଡ଼ି, ମୋ ବସ୍, ପାସ୍‌ ପାଇଥିବା ଗାଡ଼ି ଏବଂ କେତେକ ଜରୁରୀକାଳୀନ ଗାଡ଼ି ବ୍ୟତୀତ ଯେଉଁ ଗାଡ଼ିଗୁଡ଼ିକ ଆଚାର୍ଯ୍ୟ ବିହାର ଛକ ଦେଇ ଜୟଦେବ ବିହାର ଆସୁଥିବ ସେଗୁଡ଼ିକ ଆଚାର୍ଯ୍ୟ ବିହାରରୁ ଏନଏଚ ୧୬ ରାସ୍ତା ଦେଇ ଯିବାକୁ ପଡ଼ିବ।
  • ନନ୍ଦନକାନନରୁ ଆସୁଥିବା ଗାଡ଼ି କଳିଙ୍ଗ ହସ୍ପିଟାଲ ଛକରୁ ରାସ୍ତା ପରିବର୍ତ୍ତନ କରି ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟ ବିହାର ଆସିବ।
  • ଯେଉଁ ଗାଡ଼ିଗୁଡ଼ିକ କଳିଙ୍ଗ ହସ୍ପିଟାଲ ଛକରୁ ଜୟଦେବ ବିହାର ଆସୁଥିବ ସେଗୁଡ଼ିକ ଆଚାର୍ଯ୍ୟ ବିହାରରୁ ରାସ୍ତା ପରିବର୍ତ୍ତନ କରିବ।
  • ଏଥିସହ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଗାଡ଼ିଗୁଡ଼ିକ ପାଇଁ ଜରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି। ଓଡ଼ିଶା ଅରବାନ ପୋଲିସ ଧାରା ୨୦୦୩ ଅନୁଯାୟୀ ଏହି ଜରିମାନା ୫୦୦ରୁ ୧୦୦୦ଟଙ୍କା ରଖାଯାଇଛି।
  • ଦ ୱାର୍ଲ୍ଡ ଛକଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଦିନ ୨ଟାରୁ ରାତି ୧୦ଟା ଯାଏଁ  ‘ନୋ ଭେଇକିଲ ଯୋଜନା’ ଘୋଷଣା କରାଯିବ।

Comment