ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ପାଦ ଦେଉ ଦେଉ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ଲାଞ୍ଚ କାରବାର ଓ ଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

ଓଡ଼ିଶାକୁ ଆସୁ ଆସୁ ଆଟାକ୍ କରିଛନ୍ତି ପ୍ରଶାସକରୁ ନେତ୍ରୀ ବନିଥିବା ଅପରାଜିତା ଷଡ଼ଙ୍ଗୀ। ବିଜେପି ପାର୍ଟି ଅଫିସରେ ଶନିବାର ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ସିଧା ଆଟାକ କରିଛନ୍ତି। ଓଡ଼ିଶାର ବିଭିନ୍ନ ବ୍ଲକରେ ଲାଞ୍ଚ ନଦେଲେ କାମ ହୁଏନି ବୋଲି ଅପରାଜିତା କହିଛନ୍ତି।

“ୱାନ ଟିମ୍ ୱାନ ଡ୍ରିମର ଲକ୍ଷ୍ୟ ନେଇ ଆମେ କାରିବୁ। ଓଡ଼ିଶାର ବିକାଶ ପାଇଁ ବିଜେପି କାମ କରିବ। ଓଡ଼ିଶାକୁ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରହିଛି। ଆମ ରାଜ୍ୟକୁ ଆଗକୁ ନେବାକୁ ହେଲେ ନିସ୍ୱାର୍ଥପର ଭାବେ ସେବା କରିବା ଦରକାର”, କହିଛନ୍ତି ଅପରାଜିତା।

ଗତ ୨୭ ତାରିଖରେ ଅପରାଜିତା ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବାସଭବନରେ ବିଜେପିରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

୨୯ ତାରିଖରେ ଅପରାଜିତା ଓଡ଼ିଶା ଆସିଥିଲେ। ଭୁବନେଶ୍ୱର ଏୟାରପୋର୍ଟରେ ବିଜେପି କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ଅପରାଜିତା କାକଟପୁର ମା’ ମଙ୍ଗଳା ଏବଂ ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଶନିବାର ଦିନ ଅପରାଜିତାଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଅପରାଜିତାଙ୍କୁ ସ୍ୱାଗତ କରିଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ଅପରାଜିତା ଉଦବୋଧନ ଦେଇ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ କହିଛନ୍ତି।

ଅପରାଜିତା କହିଛନ୍ତି, “ରାଜନୀତି ସ୍କୁଲରେ ମୁଁ ପ୍ରଥମ ଶ୍ରେଣୀ ଛାତ୍ରୀ। ଓଡ଼ିଶାର ବିକାଶ ପାଇଁ ଯାହା କରିବା କଥା ତାହା ମୁଁ କରିବି। ସମସ୍ତଙ୍କ ସହ ମିଳିମିଶି କାମ କରିବି। ଓଡ଼ିଶାର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ା।”

ଏହାସହ ଅପରାଜିତା ଓଡ଼ିଶାର ଦାରିଦ୍ର୍ୟ ଏବଂ ଲାଞ୍ଚ କାରବାରକୁ ନେଇ ବାଣ ମାରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ କାହିଁକି ଦାରିଦ୍ର୍ୟ ଏବଂ ଦୁର୍ନୀତି ରହିବ? ଏଠି ଲାଞ୍ଚ ନଦେଲେ କିଛି କାମ ହୁଏନି। ପ୍ରତି ବ୍ଲକରେ ଲାଞ୍ଚ କାରବାର ଚାଲିଛି। ଏହାକୁ ରୋକିବାକୁ ପଡ଼ିବ ଏବଂ ଓଡ଼ିଶାକୁ ମଡେଲ ରାଜ୍ୟ କରିବାକୁ ପଡ଼ିବ।

Comment