ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତିକରଣ ପ୍ରକଳ୍ପ ଯୋଜନାରେ ପଦକ୍ଷେପ
  • ଜାଇକା ବଢ଼ାଇଲା ସହାୟତାର ହାତ
  • ବୁଧବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପ୍ରତିଦିନ ୩ କୋଟି ୬୦ ଲକ୍ଷ ଲିଟର ବିଶୋଧନ କରିବାର କ୍ଷମତା
  • ୨୦୪୫ ସୁଦ୍ଧା ୧୧ ଲକ୍ଷ ବାସିନ୍ଦାଙ୍କୁ ମିଳିବ ସୁଫଳ
  • ମତ୍ତଗଜପୁରରେ ଆଉ ଏକ ପ୍ଲାଣ୍ଟ

ବଦଳିବ କଟକ ସହରର ପରିମଳ ଚିତ୍ର। ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତିକରଣ ପ୍ରକଳ୍ପ ଯୋଜନାରେ କଟକ ସହରକୁ ସ୍ୱଚ୍ଛ କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସିଡିଏ ସେକ୍ଟର-୧ରେ ଅତ୍ୟାଧୁନିକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଉଦଘାଟନ କରିବେ।

ଏହି ପ୍ଲାଣ୍ଟରେ ପ୍ରତିଦିନ ୩ କୋଟି ୬୦ ଲକ୍ଷ ଲିଟର ବିଶୋଧନ କରିବାର କ୍ଷମତା ରହିଛି।

ଏହାସହ କଟକ ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୭୫ କିଲୋମିଟରରୁ ଅଧିକ ଦୈର୍ଘ୍ୟର ସ୍ୱିରେଜ ପାଇପ୍‌ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ସେହିପରି ପୋଲିସ କଲୋନିରେ ଘଣ୍ଟା ପ୍ରତି ୭୨ ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନର ନିର୍ମାଣ କରାଯାଇଛି। ପ୍ରାୟ ତିନି ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ କରାଯାଇଛି।

ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜାଇକା)ର  ସହାୟତାରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହାସହ କଟକର ମତ୍ତଗଜପୁର ଏବଂ ଭୁବନେଶ୍ୱରର କିଛି ଅଞ୍ଚଳକୁ ନେଇ ଆଉ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏହା ଆଉ କିଛି ଦିନ ପରେ ଲୋକାର୍ପିତ ହେବ।

୨୦୪୫ ମସିହା ସୁଦ୍ଧା କଟକ ସହରର ୧୧ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ ସୁଫଳ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ କଟକ ସହରର ନାଳ ନର୍ଦ୍ଦମାର ଉନ୍ନତି ତଥା ବର୍ଷା ଜଳ ନିଷ୍କାସନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମୁଖ୍ୟ ଏବଂ ଶାଖା ଡ୍ରେନ ଉନ୍ନତିକରଣ କରିବା ସହ ଡ୍ରେନରେ କଠିନ ବର୍ଜ୍ୟବସ୍ତୁ ନପକାଇବା ପାଇଁ ତାର ଜାଲି ବ୍ୟବସ୍ଥା କରିବା, ସମାଜ ଅଫିସଠାରୁ ମାତୃଭବନ ପର୍ଯ୍ୟନ୍ତ ଖୋଲା ଡ୍ରେନ ବନ୍ଦ କରିବା, ଡ୍ରେନ୍ ତିଆରି ତଥା ତା’ଉପରେ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ବର୍ଷା ଜଳ ନିଷ୍କାସନ ପାଇଁ ୭ଟି ସ୍ୱୟଂଚାଳିତ ସ୍ଲୁଇସ ଗେଟ୍ ଓ ୫ଟି ବୃହତ ପମ୍ପିଙ୍ଗ୍ ଷ୍ଟେସନ୍ ନିର୍ମାଣ କରାଯାଉଛି।

ସବୁଠୁ ବଡ଼ କଥା ହେଲା ପ୍ରତି ଘରୁ ବାହାରୁଥିବା ବର୍ଜ୍ୟ ଜଳକୁ ସ୍ୱିରେଜ୍ ଲାଇନ ଦ୍ୱାରା ସଂଗ୍ରହ କରାଯାଇ ଏହାକୁ ପମ୍ପିଙ୍ଗ୍ ଷ୍ଟେସନ ଦ୍ୱାରା ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ନିଆଯିବ। ଏହାକୁ ବିଶୋଧନ କରାଯାଇ ନଦୀରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି।

ବସ୍ତି ବାସିନ୍ଦା ଏବଂ ଅନ୍ୟମାନଙ୍କୁ ଉନ୍ନତ ପରିମଳ ସେବା ଯୋଗାଇ ଦେବାକୁ ସହରର କେତେକ ସ୍ଥାନରେ କମ୍ୟୁନିଟି ଓ ପବ୍ଲିକ ଟଏଲେଟ୍ ମଧ୍ୟ ନିର୍ମାଣ କରାଯାଇଛି।

ସିଡିଏ ପ୍ଲାଣ୍ଟରେ ଉତ୍ତରରେ ମହାନଦୀ ରିଂ-ବନ୍ଧଠାରୁ ଦକ୍ଷିଣରେ କାଠଯୋଡ଼ି ରିଂ-ବନ୍ଧ ଅଞ୍ଚଳ ଏବଂ ବିଡ଼ାନାସି, ସିଡିଏ ସମେତ ମଙ୍ଗଳାବାଗ, ଫ୍ରେଣ୍ଡସକଲୋନି, ଝୋଲାସାହି, ବଙ୍ଗାଳୀ ସାହି, ପୁରୀଘାଟ ଆଦି ଅଞ୍ଚଳକୁ ସେବା ଯୋଗାଇଦେବ।

ମତ୍ତଗଜପୁରଠାରେ ନିର୍ମାଣାଧିନ ଏସ୍‌ଟିପି ସହରର ଅନ୍ୟ ଅଞ୍ଚଳକୁ ସେବା ଯୋଗାଇଦେବ।

Comment