ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚତୁର୍ଦ୍ଦଶ ପୁରୁଷ ହକି ବିଶ୍ଵକପରେ ସେମି ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ଇଂଲଣ୍ଡ। ପ୍ରଥମ କ୍ଵାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡ ଏକ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ମୁକାବିଲାରେ ଶକ୍ତିଶାଳୀ ତଥା ଅଲିମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି।

ଏହି ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡ ପକ୍ଷରୁ ବାରି ମିଡିଲଟନ, ଓ୍ଵିଲ କାଲନାନ ଓ ହାରି ମାର୍ଟିନ ଗୋଲ୍ ସ୍କୋର କରିଥିଲେ। ଅନ୍ୟ ପଟେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲୋ ପିଲାଟ ଏକାକୀ ଦୁଇଟି ଗୋଲ୍ ଦେଇଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। କ୍ଵାର୍ଟର ଫାଇନାଲରେ ପରାଜିତ ହେବା ସହିତ ଆର୍ଜେଣ୍ଟିନାର ହକି ବିଶ୍ଵ କପ ଅଭିଯାନ ଶେଷ ହୋଇଛି। ଏହି ମ୍ୟାଚରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଂଲଣ୍ଡ ଖେଳାଳି ଲିୟାମ ଆନସେଲ ପ୍ଲେଆର ଆଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ସେମି ଫାଇନାଲରେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ଵାର୍ଟର ଫାଇନାଲର ବିଜେତାକୁ ଭେଟିବ। ଗୁରୁବାର ହେବାକୁ ଥିବା ତୃତୀୟ କ୍ଵାର୍ଟର ଫାଇନାଲ ମୁକାବିଲା ଜର୍ମାନୀ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚର ବିଜେତା ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ।

ହକି ବିଶ୍ୱକପ୍‌ର ଅନ୍ୟତମ କ୍ୱାର୍ଟରଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ  ଖେଳାଳିଙ୍କ ଉପରେ ଆରମ୍ଭରୁ ନିଜର ଆଧିପତ୍ୟ ଜାରି ରଖିଥିଲେ। ଆୟୋଜକ ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ଗୁରୁବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ମୁକାବିଲା କରିବ।

Comment