ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ଆମକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ। ଓଡ଼ିଶା ଟଙ୍କାରେ ଓଡ଼ିଶା ଲୋକଙ୍କ ଉନ୍ନତି ହେବ। ବର୍ଷକୁ ଏମସିଏଲ୍‌ ପାଉଛି ୨୦ହଜାର କୋଟି ଏହା ବଦଳରେ ଓଡ଼ିଶା ପାଉଛି କେବଳ ପ୍ରଦୂଷଣ।”

ଆଜି ବିଜେଡି ପାଳନ କରୁଛି ୨୧ତମ ପ୍ରତିଷ୍ଠା ଦିବସ। ଦଳୀୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ଉଦବୋଧନରେ ସୁପ୍ରିମୋ ସବୁ କର୍ମୀ ଓ ଭାଇଭଉଣୀଙ୍କୁ ଶୁଭେଛା ଜଣାଇଛନ୍ତି। ଏହା ସହିତ ନବୀନ କେନ୍ଦ୍ରକୁ ୯ଟି ପ୍ରଶ୍ନ ପଚାରି କହିଛନ୍ତି ‘ଜବାବ ମାଗୁଛି ଓଡ଼ିଶା’। କେନ୍ଦ୍ରକୁ ସମାଲୋଚନା ମଧ୍ୟ କରିଛନ୍ତି ବିଜେଡି ସୁପ୍ରିମୋ।

ନବୀନଙ୍କ ୯ ପ୍ରଶ୍ନ

ନବୀନ ତାଙ୍କ ଉଦବୋଧନରେ କହିଛନ୍ତି, ”ଜାତୀୟ ରାଜପଥର ଅବସ୍ଥା ଖରାପ, ରାଜ୍ୟକୁ ଗୁରୁତ୍ୱ ଦିଆଯାଇନି। ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ହେଲା ନାହିଁ। ବିଏସଏନଏଲ୍‌ ନେଟୱେର୍କ ପାଇଁ ଗଛ ଉପରକୁ ନହଲେ ଛାତ ଉପରକୁ ଯିବାକୁ ପଡୁଛି। ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଇତିହାସରେ ରହିଲା ଭଳି ଲାଗୁଛି। ରାଜ୍ୟ ମାଗଣା ଜମି, ଅଧା ଖର୍ଚ୍ଚ ଦେଲା, ତଥାପି ପ୍ରକଳ୍ପ ସରୁନି। ବିମୁଦ୍ରିକରଣ ପାଇଁ ଲୋକେ ହଇରାଣ ହେଲେ, କିନ୍ତୁ ଏଯାଏଁ ବ୍ୟାଙ୍କ ସୁବିଧା ମିଳୁନି। ଚାଷୀଙ୍କୁ ଫସଲବୀମା ମିଳୁନି, ମାତ୍ର ଘରୋଇ ବୀମା କଂପାନୀ ମାଲାମାଲ ହେଉଛନ୍ତି। ଏସସି /ଏସଟି ପିଲାଙ୍କ ଷ୍ଟାଇପେଣ୍ଡ କେନ୍ଦ୍ର ୨ବର୍ଷ ହେଲା ଦେଉନାହିଁ। ଉଜ୍ଜଳାର ବହୁତ ପ୍ରଚାର ହେଉଛି ସେପଟେ ଦରବୃଦ୍ଧି ପାଇଁ ରିଫିଲିଂ କରାଯାଇପାରୁନି। ବର୍ଷକୁ ଏମସିଏଲ୍‌ ପାଉଛି ୨୦ହଜାର କୋଟି ଏହା ବଦଳରେ ଓଡ଼ିଶା ପାଉଛି କେବଳ ପ୍ରଦୂଷଣ। ବାର୍ଷିକ ରେଲୱେ ନେଉଛି ୨୦ହଜାର କୋଟି, ଦେଉଛି ମାତ୍ର ୨ହଜାର କୋଟି। ଏସବୁର ଜବାବ ମାଗୁଛି ଓଡ଼ିଶା, କେନ୍ଦ୍ର ସରକାର ଜବାବ ଦିଅନ୍ତୁ। ଓଡ଼ିଶାର ହକ୍‌ ପାଇଁ ଆମ ଆନ୍ଦୋଳନ ଜାରି ରହିବ। ଆମକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା କି କେନ୍ଦ୍ରୀୟ ସହାୟତା ଦରକାର ନାହିଁ। ଓଡ଼ିଶା ଟଙ୍କାରେ ଓଡ଼ିଶା ଲୋକଙ୍କ ଉନ୍ନତି ହେବ।”

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comment