ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ଵରରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର
  • ତିନି ଘରୋଇ ସଂସ୍ଥାକୁ ଦାୟିତ୍ୱ
  • ୧୧୩ ପୌରାଞ୍ଚଳରେ ଲାଗିବ ଷ୍ଟ୍ରିଟ ଲାଇଟ୍
  • ୨୬୯.୮୩ କୋଟି ଟଙ୍କା ବ୍ୟୟବରାଦ
  • ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଲଗାଯାଇଥିଲା ଏଲ୍‌ଇଡି ଲାଇଟ୍
  • ଆମ ସହର – ଆମ ଉନ୍ନତି ଯୋଜନାରେ ଲାଗିବ ଲାଇଟ୍

ରାଜ୍ୟର ୧୧୩ଟି ପୌରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ ନଥିବା ରାସ୍ତାଗୁଡ଼ିକୁ ସ୍ମାର୍ଟ ଏଲ୍‌ଇଡି ଲାଇଟ ଦ୍ୱାରା ଆଲୋକୀକରଣ କରାଯିବ। ଏନେଇ ଶନିବାର ଦିନ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି।

ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହରେ ସୂର୍ଯ୍ୟ ରୋଶନି, କ୍ରମ୍ପଟନ୍‌ ଏବଂ ଆକାଂକ୍ଷା ଘରୋଇ କମ୍ପାନିକୁ ଏଲଇଡି ଲାଇଟ ଲଗାଇବା ଏବଂ ମରାମତି ଦାୟିତ୍ୱ ଦିଆଯାଇଛି।

ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ଏହି ତିନୋଟି କମ୍ପାନି ସହ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି। ଏଲଇଡି ସଂଯୋଗ ପାଇଁ ୨୬୯.୮୩ କୋଟି ଟଙ୍କା ବ୍ୟୟବରାଦ କରାଯିବ।

“ଶକ୍ତି ସଞ୍ଚୟ କରିବା ପାଇଁ ଆମେ ଭୁବନେଶ୍ଵରରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମରକ୍ୟୁରୀ ବଦଳରେ ଏଲଇଡି ଲାଇଟ୍ ଲଗାଇଥିଲୁ। ଏହା ସଫଳ ହେବା ପରେ ୧୦୯ଟି ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍ ଲଗାଇଥିଲୁ। ଏବେ ଆମେ ଆଲୋକୀକରଣ ହୋଇ ନଥିବା ରାସ୍ତାରେ ଏଲଇଡି ଲଗାଇବା ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ମେ’ ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି”, କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

୨୦୧୪-୧୫ରେ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ୨୦ ହଜାର ଶକ୍ତି ସଞ୍ଚୟକାରୀ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ଏଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ଭୁବନେଶ୍ଵରରେ ଏଲ୍‌ଇଡି ଲାଇଟର ସଫଳତା ପରେ ରାଜ୍ୟର ୫ଟି ମହାନଗର ନିଗମରେ ଏଲ୍ଇଡି ଲାଇଟ୍ ଲଗାଯାଇଥିଲା। ଏଥିରେ ୭୮.୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୧୦୯ଟି ପୌରାଞ୍ଚଳରେ ପୁରୁଣାକାଳିଆ ବଲ୍‌ବ ବଦଳାଇ ନୂଆ ଏଲ୍‌ଇଡି ବଲ୍‌ବ ସଂଯୋଗ ଲାଗି ୨୮୧.୨୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା।

ସୂର୍ଯ୍ୟ ରୋଶନି କମ୍ପାନିର ଦୀପକ କହିଛନ୍ତି, “୧୧୩ଟି ପୌରାଞ୍ଚଳରେ ସ୍ମାର୍ଟ ଏଲଇଡି ଲାଇଟ୍ ଲଗାଇବା ପାଇଁ ଚୁକ୍ତିନାମା ଉତ୍ତର ଓଡ଼ିଶାର ୨୧ଟି ପୌରାଞ୍ଚଳରେ ଲାଇଟ୍ ଲଗାଇବା ପାଇଁ ଆମକୁ ଦାୟିତ୍ୱ ଦିଆଯାଇଛି। ଲୋକଙ୍କୁ ଉନ୍ନତମାନର ସୁବିଧା ଯୋଗାଇଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”

ପୌରାଞ୍ଚଳକୁ ସ୍ମାର୍ଟ ଏଲ୍‌ଇଡି ବଲ୍‌ବ ଦ୍ୱାରା ଆଲୋକୀକରଣ କରିବା ପାଇଁ ବର୍ତ୍ତମାନସୁଦ୍ଧା ରାଜ୍ୟ ସରକାର ୬୪୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରିଛନ୍ତି।

ଆକାଂକ୍ଷା ପାୱାର ଇନଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡର ଚୈତାଳୀ ଦାସମହାପାତ୍ର କହିଛନ୍ତି, “ଲୋକଙ୍କ ଆବଶ୍ୟକ ଅନୁଯାୟୀ ଆମେ ସେବା ଯୋଗାଇଦେବୁ। ଆମକୁ ୧୨ଟି ଜିଲ୍ଲାର ବିଭିନ୍ନ ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍ ଲଗାଇବାର ଦାୟିତ୍ୱ ଦିଆଯାଇଛି। ଲୋକଙ୍କୁ ଆମେ ସୁବିଧା ସୁଯୋଗ ଯୋଗାଇ ଦେବୁ।”

ସ୍ମାର୍ଟ ଏଲ୍‌ଇଡି ବଲ୍‌ବ ଦ୍ୱାରା ବାର୍ଷିକ ୮୦ ନିୟୁତ ୟୁନିଟ୍‌ର ଅଧିକ ବିଦ୍ୟୁତ୍ ସଞ୍ଚୟ ହୋଇପାରିବ। ଏହାସହ ଏଲଇଡି ଷ୍ଟ୍ରିଟ୍‌ ଲାଇଟଗୁଡ଼ିକର କାର୍ଯ୍ୟକ୍ଷମତା ବା ଅପ୍‌ ଟାଇମ ୯୫ ପ୍ରତିଶତ ବଜାୟ ରଖିବା, ପାରମ୍ପରିକ ଷ୍ଟ୍ରିଟ୍‌ ଲାଇଟ୍‌ ବଦଳାଇବ।, ବିଦ୍ୟୁତ ଶକ୍ତିର ଅପଚୟ ଏଡ଼ାଇବା ପାଇଁ ‘ସେଣ୍ଟ୍ରାଲାଇଜ୍‌ଡ କଣ୍ଟ୍ରୋଲ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ପ୍ୟାନେଲ୍‌’ ର ବ୍ୟବହାର ଏବଂ ସ୍ୱୟଂଚାଳିତ ସୁଇଚ୍‌ ଅନ୍‌ ସୁଇଚ୍ ଅଫ ବ୍ୟବସ୍ଥା ରହିଛି।

ଏହାସହ ରାଜ୍ୟର ୧୦୯ଟି ପୌରାଞ୍ଚଳରେ ଏହି ଅତ୍ୟାଧୁନିକ ସେବା ପହଞ୍ଚାଇବା ପାଇଁ ଇଇଏସଏଲ ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି ସରକାର।

ସମସ୍ତ ପୌରାଞ୍ଚଳରେ ସ୍ମାର୍ଟ ଏଲ୍ଇଡି ଷ୍ଟ୍ରିଟ୍‌ ଲାଇଟ୍ ଲଗାଇବା କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ।

Comment