ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ତିନି ତଲାକ୍‌ ବିଲ ଉପରେ ଆଲୋଚନା କରାଯିବ। ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ତିନି ତଲାକ୍‌ ପ୍ରଥାର ଅପରାଧୀକରଣ ଲାଗି କେନ୍ଦ୍ର ସରକାର ଆଣିଥିବା ବିଲ୍‌ ଉପରେ ଆଜି ଆଲୋଚନା କରାଯିବ। ଅନ୍ୟପକ୍ଷରେ କଂଗ୍ରେସ ଓ ଭାଜପା ପକ୍ଷରୁ ଏ ନେଇ ହ୍ୱିପ୍‌ ଜାରି କରାଯାଇଛି।

ଏ ପୂର୍ବରୁ ରବିବାର କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ସବୁ ଦଳର ନେତାଙ୍କୁ ଭେଟି ବିଲ୍‌କୁ ସମର୍ଥନ କରିବା ଲାଗି ଅନୁରୋଧ କରିଛନ୍ତି। ଗୁରୁବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। ୨୪୫ ସଦସ୍ୟ ବିଶିଷ୍ଟ ଗୃହରେ ୧୨୩ ସଦସ୍ୟଙ୍କ ସମର୍ଥନ ହାସଲ କରିବା ଏନଡିଏ ପାଇଁ ଏତେ ସହଜ ହେବନାହିଁ। ତେବେ ଏସବୁ ଭିତରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବିଲ୍‌କୁ ଗୃହରେ ଗୃହୀତ ହେବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି। ଅନ୍ୟପଟେ ବିଲ ପାସ ଲାଗି ରାଜ୍ୟ ସଭାରେ ସମର୍ଥନ ମିଳିଯିବ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ପୂର୍ବରୁ ମଧ୍ୟ ୨୦୧୭ରେ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ପାରିତ ହୋଇନପାରିବାରୁ ସରକାରଙ୍କୁ ଅଧ୍ୟାଦେଶ ଆଣିବାକୁ ପଡିଥିଲା।

Comment