ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନ ପୂର୍ବରୁ ନ୍ୟୁଜ ଏଜେନ୍ସୀ ଏଏନଆଇକୁ ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଲେ।

ରାମ ମନ୍ଦିର ଅଧ୍ୟାଦେଶରେ ପୂର୍ଣ୍ଣଛେଦ

ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପିର ନେତା ଓ ମନ୍ତ୍ରୀମାନେ ଅଧ୍ୟାଦେଶ ଆସିବ ବୋଲି କହୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୨୦୧୯ର ପ୍ରଥମ ଦିନରେ ଏଏନ୍ଆଇକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଏକଥା କହିଥିଲେ।

ମୋଦି କହିଥିଲେ, “ରାମ ମନ୍ଦିର ପାଇଁ ଏବେ ଅଧ୍ୟାଦେଶ ଆସିବ ନାହିଁ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅପକ୍ଷା କରିବାକୁ ପଡ଼ିବ। ଆମେ ନ୍ୟାୟିକ ପ୍ରକ୍ରିୟା ଶେଷ ହେବାକୁ ଅପେକ୍ଷା କରିଛୁ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ସରକାର ତାଙ୍କ କାମ ଓ କର୍ତ୍ତବ୍ୟ କରିବେ। ଏହାପରେ ହିଁ ଅଧ୍ୟାଦେଶ କଥା ଚିନ୍ତା କରାଯିବ। ସୁପ୍ରିମକୋର୍ଟରେ କଂଗ୍ରେସର ଆଇନଜୀବୀମାନେ ବାଧା ଦେଉଥିବାରୁ ମନ୍ଦିର ନିର୍ମାଣର ମାମଲାର ଶୁଣାଣିରେ ବିଳମ୍ବ ହେଉଛି।”

ଟ୍ରିପଲ ତଲାକକୁ ଅପରାଧ ରୂପେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବା ବେଳେ ରାମ ମନ୍ଦିର ନିର୍ମାଣ ପାଇଁ କାହିଁକି ଅଧ୍ୟାଦେଶ ଆସିବ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଇ ମୋଦି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରିପଲ ତଲାକ ପାଇଁ ଅଧ୍ୟାଦେଶ ଆସିଥିଲା।

ବିମୁଦ୍ରାକରଣ ଏକ ଝଟକା ନଥିଲା

ବିମୁଦ୍ରାକରଣ ଏକ ଅଚାନକ ଝଟକା ନଥିଲା ବୋଲି ମୋଦି କହିଛନ୍ତି। କଳାଧନ ଲୁଚାଇ ରଖିଥିବା ଲୋକଙ୍କୁ ଏଭଳି ଘଟଣା ଘଟିବ ବୋଲି ଗୋଟିଏ ବର୍ଷ ଆଗରୁ ସତର୍କ କରାଇ ଦିଆଯାଇଥିଲା। ମୋଦି କହିଛନ୍ତି ଯେ ଯେଉଁମାନେ କଳାଧନ ରଖିଛନ୍ତି ସେମାନେ ଏହାକୁ ବ୍ୟାଙ୍କରେ ଜମା କରି ଦେବାକୁ କୁହାଯାଇଥିଲା। ଏଥିପାଇଁ ସାମାନ୍ୟ ଜରିମାନା ଦେବାକୁ ପଡ଼ିବ ଏବଂ ଏଥିପାଇଁ ଆମ ସରକାର ସବୁ ପ୍ରକାରର ସହଯୋଗ କରିଥାଆନ୍ତା। ହେଲେ କଳାଧନ ରଖିଥିବା ଲୋକେ ଭାବିଲେ ଅନ୍ୟ ସବୁ ସରକାରଙ୍କ ଭଳି ମୋଦି ମଧ୍ୟ କେବଳ ଡରାଇବାକୁ ଚେଷ୍ଟା କରୁଛନ୍ତି।

କୃଷି ଋଣ ଛାଡ଼ ଏକ ପଲିଟିକାଲ ଷ୍ଟଣ୍ଟ

ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରେ କୃଷି ଋଣ ଛାଡ଼ ଘୋଷଣା କରିଛି। ଏ ସମ୍ପର୍କରେ ମୋଦି ଆଜି ନିଜର ମତ ରଖିଛନ୍ତି।

ସେ କହିଥିଲେ, “କୃଷିଋଣ ଛାଡ଼ କଲେ ପ୍ରକୃତ ଚାଷୀ ଲାଭବାନ ହୁଏନାହିଁ କି ଚାଷୀଙ୍କ ସମସ୍ୟାର ସମାଧାନ ହେବନାହିଁ। କୃଷିଋଣ ଛାଡ଼ କେବଳ ଏକ ରାଜନୀତିକ ଷ୍ଟଣ୍ଟ। କୃଷିଋଣ ଛାଡ଼ ଘୋଷଣା କରି କେବଳ ଚାଷୀଙ୍କୁ ଲଲିପପ୍ ଦିଆଯାଉଛି। ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହେଲେ, ପ୍ରଥମେ ସେମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ଆମ ସରକାର ସେହି କାମ କରୁଛି।

ମୋଦି ଆହୁରି କହିଥିଲେ ଯେ ପୂର୍ବରୁ ଅନେକ ଥର କୃଷିଋଣ ଛାଡ଼ ହୋଇଛି। ହେଲେ ଚାଷୀଙ୍କୁ କ’ଣ ଲାଭ ମିଳିଛି? ଏଣୁ କୃଷିଋଣ ଛାଡ଼ ଏକ ରାଜନୀତିକ ପ୍ରଚାର। ଚାଷୀଙ୍କୁ ପ୍ରଥମେ ସଶକ୍ତ କରିବାକୁ ପଡ଼ିବ। ଚାଷୀମାନେ କିପରି ଠିକ୍ ଭାବେ ବିହନଠାରୁ ଉତ୍ପାଦର ସଠିକ୍ ମାର୍କେଟିଂ କରିପାରିବେ ସେକଥାକୁ ଗୁରୁତ୍ୱ ଦିଆଯିବା ଦରକାର।

୨୦୧୯ ନିର୍ବାଚନ ହେବ ‘ଜନତା ବନାମ ମହାମେଣ୍ଟ’

ବିଜେପି ବିରୋଧରେ ହେଉଥିବା ମହାମେଣ୍ଟ ପ୍ରସଙ୍ଗକୁ ଖାରଜ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, “୨୦୧୯ ଲୋକସଭା ନିର୍ବାଚନ ଜନତା ବନାମ ମହାମେଣ୍ଟ ମଧ୍ୟରେ ହେବ।”

ଆଗାମୀ ନିର୍ବାଚନରେ ୫୪୩ଟି ଆସନରୁ ୧୮୦ ସିଟ୍ ମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ମଧ୍ୟ ଖଣ୍ଡନ କରିଛନ୍ତି ମୋଦି। ଏଭଳି ଚର୍ଚ୍ଚା ୨୦୧୪ ନିର୍ବାଚନରେ ବି ହେଉଥିଲା।  ୨୦୧୯ ନିର୍ବାଚନ ଜନତାଙ୍କ ଆଶା, ଆକାଂକ୍ଷା ପୂରଣ କରିବ ବୋଲି ମୋଦି ଦୃଢ଼ତାର ସହ କହିଛନ୍ତି।

 ଉର୍ଜିତ ପଟେଲଙ୍କ ଇସ୍ତଫା ସମ୍ପର୍କରେ ମତ ରଖିଲେ

ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ସମ୍ପର୍କରେ ମୁହଁ ଖୋଲିଛନ୍ତି। ଇସ୍ତଫା ପାଇଁ ତାଙ୍କ ଉପରେ କୌଣସି ରାଜନୀତିକ ଚାପ ନଥିଲା। ୬/୭ ମାସ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେବା କଥା ମତେ କହିଥିଲେ। ଏପରି କି ଲିଖିତ ଭାବେ ଇସ୍ତଫା କଥା ଜଣାଇଥିଲେ।

Comment