ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଲନ୍ଦସହର ହିଂସାକାଣ୍ଡ ଘଟଣାର ମାସେ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜକୁ ଗିରଫ କରିଛି।

ଡିସେମ୍ବର ୩ରେ ବୁଲନ୍ଦସହରରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଯୋଗେଶ ଘଟଣା ଦିନରୁ ଫେରାର ଥିଲା। ବୁଧବାର ରାତିରେ ଯୋଗେଶ ବୁଲନ୍ଦସହର ଆସିଥିବା ଖବର ପୋଲିସ ପାଇଥିଲା। ଏହାପରେ ବୁଲନ୍ଦସହର ବାଇପାସସ୍ଥିତ ବ୍ରହ୍ମାନନ୍ଦ କଲେଜ ନିକଟରୁ ରାତି ପ୍ରାୟ ୧୧ଟା ୩୦ରେ ଯୋଗେଶକୁ ପୋଲିସ ଗିରଫ କରିଥିଲା।

ଏହି ହିଂସାକାଣ୍ଡରେ ଜଡ଼ିତ ଆଉ ଦୁଇ ଅଭିଯୁକ୍ତ ବୁଧବାର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି ଘଟଣାରେ ଜଡ଼ିତ  ୩୨ ଜଣଙ୍କୁ ବତ୍ତର୍ମାନ ପଯ୍ୟନ୍ତ ପୋଲିସ ଗିରଫ କରିଛି।

ଡିସେମ୍ବର ୩ରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗୋହତ୍ୟା ଅଭିଯୋଗ ଆସିଥିଲା। ଏଭଳି ଅଭିଯୋଗ ଆସିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ସ୍ଥାନୀୟ ଲୋକ। ଉତ୍ତ୍ୟକ୍ତ ଲୋକେ ସେହି ଅଞ୍ଚଳରେ ହିଂସାକାଣ୍ଡ ଉପୁଜାଇଥିଲେ। ଏହି ହିଂସାକାଣ୍ଡରେ ଜଣେ ପୋଲିସ ଇନ୍ସପେକ୍ଟର ଓ ଅନ୍ୟ ଜଣେ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ।

ଉତ୍ତ୍ୟକ୍ତ ଲୋକେ ପୋଲିସ ଫାଣ୍ଡିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଏଥିସହ ସେମାନେ ଗାଡ଼ି ଜାଳି ମଧ୍ୟ ଦେଇଥିଲେ।ଘଟଣାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ସେହି ସ୍ଥାନରେ ବହୁତ ଭିଡ଼ ରହିଥିବାରୁ ପୋଲିସ୍ ଫାଙ୍କାରେ ଗୁଳି ଚାଳନା କରିଥିଲା। ଉତ୍ତ୍ୟକ୍ତ ଲୋକ କିନ୍ତୁ ନିୟନ୍ତ୍ରଣରେ ରହିବାକୁ ପ୍ରସ୍ତୁତ ନଥିଲେ। ଓଲଟା ପୋଲିସ ଉପରକୁ ପଥର ଫିଙ୍ଗିଥଲେ।

Comment