ସୀତାକାନ୍ତ ମହାପାତ୍ର

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ  ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ।

ସେ ଅନେକ ଦିନ ତଳର କଥା। ଗଣେଶ୍ୱର ବାବୁଙ୍କ କ୍ଷୁଦ୍ରଗଳ୍ପ ଓ ଅନ୍ୟାନ୍ୟ ସୃଷ୍ଟି ସମ୍ପର୍କରେ ସୂଚନା ଭବନରେ ଗୋଟିଏ ଆଲୋଚନା ସଭା ହେଉଥାଏ। ମୁଖ୍ୟ ଅତିଥି ଭାବରେ ମୁଁ ଶେଷରେ କିଛି କହିଲି। ମୋ ବକ୍ତୃତାର ତାତ୍ପର୍ଯ୍ୟ ଥିଲା ଯେ ପ୍ରତ୍ୟେକ ସୃଜନଶୀଳ, ଲେଖକ ଲକ୍ଷ୍ୟ କରେ ପ୍ରତ୍ୟେକ ଚରିତ୍ରର ହୃଦୟର ଅଭ୍ୟନ୍ତରର ଚିତ୍ର ଓ ତା’ ସହିତ ବାହାର ସମାଜର ଚିତ୍ର। ଲକ୍ଷ୍ୟ କରେ ଚରିତ୍ରମାନେ କେମିତି ଉଭୟଙ୍କୁ ନେଇ ବଞ୍ଚନ୍ତି, କେମିତି ସମୀକରଣ କରନ୍ତି ବାହାର ଓ ଭିତରର ଦୁଇ ପୃଥିବୀକୁ। ଗଣେଶ୍ୱର ବାବୁଙ୍କ ଗଳ୍ପର କିଛି ଚରିତ୍ରଙ୍କୁ ନେଇ ମୋର ବକ୍ତବ୍ୟ ଥିଲା ଯେ ସେ ଅତି ଗଭୀର ଭାବେ ଉଭୟ ପୃଥିବୀକୁ ନିରୀକ୍ଷଣ କଲାପରେ ସମୀକରଣର ଅଦ୍ଭୂତ ପ୍ରକ୍ରିୟାକୁ ରୂପାୟନ କରନ୍ତି ମର୍ମସ୍ପର୍ଶୀ ଭାବରେ।

ଆଲୋଚନା ଶେଷ ପରେ ଗଣେଶ୍ୱର ବାବୁ ଆସି ମୋ ଦୁଇ ହାତକୁ ତାଙ୍କ ହାତରେ ଜାବୁଡ଼ି ଧରି କହିଲେ, ‘ଆପଣ ମୋ ଚରିତ୍ରମାନଙ୍କର ଓ ମୋ ଲେଖାର ଆତ୍ମାକୁ ଆଜି ଛୁଇଁଦେଲେ। ମୁଁ ଏକଥା କେବେ ଭୁଲିବିନି।’ ତାଙ୍କ ପରି ସୃଜନଶୀଳ ଲେଖକର ଏଇ ଦୁଇ ପଦର ପ୍ରଶଂସା ମୁଁ କେବେ ଭୁଲିନାହିଁ।

ତାଙ୍କ ଜୀବନର ଆଉ ଏକ ଅପାସୋରା ମର୍ମାନ୍ତିକ ପରିବେଶର ସନ୍ଧ୍ୟାରେ ତାଙ୍କ ସହ ଦୁଇପଦ ଆଳାପ ମନେପଡ଼ୁଛି। ସିଦ୍ଧାର୍ଥ, ତାଙ୍କୁ ଓ ସୁରଙ୍ଗିଣୀଙ୍କୁ କନ୍ଦାଇ ଚାଲି ଯାଇଥାଏ। ରାମ ମନ୍ଦିରରେ ସିଦ୍ଧାର୍ଥର ଏକାଦଶାହର ସନ୍ଧ୍ୟା। ତାଙ୍କୁ ଟାଣିନେଇ ମୁଁ ପାଖାପାଖି ଚୌକିରେ ବସିଲି। ଦୁଇ ମୁହୂର୍ତ୍ତର ଅଖଣ୍ଡ ନିରବତା ବିରାଜିଲା।

କ’ଣ କହିବି, କ’ଣ କହିବି- ମୁଁ ବିଚାରୁ ବିଚାରୁ ଗଣେଶ୍ୱର ବାବୁ କହିଲେ, ‘ସୁରଙ୍ଗିଣୀ ଭାଙ୍ଗି ପଡ଼ିଛି। ମୁଁ ତ ନହକା ମଣିଷ। ସେ ଝଡ଼ରେ ନଇଁଯାଇ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି। ‘ମୁଁ କହିଲି, ‘ ଗଣେଶ୍ୱର ବାବୁ, ଆମେ ତ ସଭିଏଁ ଯିବା, କେବଳ ଯିବାର ଦିନ ଅଜଣା। କିନ୍ତୁ ଯିବା ଆଗରୁ ସଂସାରରୁ ଫେରିଯିବାର ଅର୍ଥ ବୁଝି ସାରିଛନ୍ତି ଆପଣ। ସେଇ ବୁଝାମଣାର ମୋର ଜୀବନରେ ଅଭାବ ଅଛି। ଆପଣଙ୍କଠୁ ଶିଖୁଛି।’ ଉଭୟେ କାନ୍ଦ କାନ୍ଦ ହୋଇଗଲୁ ପୁଣି ମୁହୂର୍ତ୍ତକ ପାଇଁ।

ସେତିକି। ସେ ପଠେଇଥିଲେ ସୁରଙ୍ଗିଣୀଙ୍କ ‘ନିଜକଥା’। ଛୋଟ ବହିଟି ପାଇଲା ବେଳେ ପଢ଼ିସାରି ତାଙ୍କୁ ଫୋନ୍ କରିଥିଲି। ଦୀର୍ଘ ସମୟ କଥା ହେଲୁ। କହିଲି, ‘ବହିଟି ପଢ଼ିଲା ବେଳେ ପ୍ରତି ବାକ୍ୟ ପଛରେ ଆପଣଙ୍କ ଛାଇକୁ ନିରେଖିଲି। ନିଜ ଆତ୍ମଜୀବନୀ ଲେଖିବେ ଲେଖିବେ ବୋଲି ତ ଲେଖିପାରି ନାହାନ୍ତି। ନିଜ ଜୀବନର ସତ୍ୟପାଠ ସେଇ ଛୋଟ ବହିଟିରେ ଆମୂଳଚୂଳ ପ୍ରତିଫଳିତ। ମୁଁ ଭୁଲ୍ କହିଲି ଗଣେଶ୍ୱର। ସତ୍ୟପାଠ ନୁହେଁ- ମାର୍ମିକ ଅନ୍ତରଙ୍ଗ ଅନୁଭୂତି ସକଳର ସ୍ନିଗ୍‌ଧ ଉଚ୍ଚାରଣ।’

(ସୌଜନ୍ୟ: ‘ଗଣେଶ୍ୱର ଗରିମା’)

Comment